ଆପଣମାନେ ମଧ୍ୟ ଗୁଗୁଲ୍ରେ ଏଠାରେ ସ˚ଯୁକ୍ତ ହୋଇଥିବା କଳାଧଳା ଛବି ଦେଖୁଥିବେ ଓ ପଢ଼ିଥିବେ ଯେ ଏହା ହେଉଛି ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ଛବି। ସାମାଜିକ, ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମରେ ଏହି ଛବି ବେଶ୍ ଭାଇରାଲ୍ ହୋଇଛି, ଅଥଚ ତାହାର ମୂଳ ଉତ୍ସ କେହି ଖୋଜିନାହାନ୍ତି । ସୀତା ବିବାହ ନାମରେ ପ୍ରଚୁର ଭାଇରାଲ ହେଉଥିବା ଛବି ମଧ୍ୟରୁ ଗୋଟିଏ ‘ମାଟିର ମଣିଷ’ର ଯେଉଁଥିରେ ସୁଜାତା ଆନନ୍ଦ ଅଛନ୍ତି, ଆର ଛବିଟି ୧୯୩୪ ମସିହାରେ ମୁକ୍ତିପ୍ରାପ୍ତ ବଙ୍ଗଳା ଓ ହିନ୍ଦୀ ଦ୍ବିଭାଷୀ ସିନେମା ‘ଚଣ୍ତି ଦାସ’ର ଫଟୋ। କେହି ଜଣେ ତାକୁ ‘ସୀତା ବିବାହ’ର ଛବି ବୋଲି ଏକଦା ପୋଷ୍ଟ୍ କରିଛନ୍ତିି ଏବଂ ଆମ ସାମାଜିକ, ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ତାକୁ ଏପର୍ଯ୍ୟନ୍ତ ଭାଇରାଲ୍ କରିଆସୁଛନ୍ତି।
‘ଚଣ୍ତି ଦାସ’ ଫିଲ୍ମଟି ୟୁ-ଟ୍ୟୁବ୍ରେ ମଧ୍ୟ ଅଛି ଓ ‘ଚଣ୍ତି ଦାସ’ର କେତେକ ଫଟୋ ଓ ପୋଷ୍ଟର୍ ବି ଅଛି ଇଣ୍ଟର୍ନେଟ୍ରେ। ସେଥିରୁ ଗୋଟିଏକୁ କେହି ଜଣେ ପୋଷ୍ଟ୍ କରିଛନ୍ତି ‘ସୀତା ବିବାହ’ ନାମରେ ଓ ତାହା ଏପର୍ଯ୍ୟନ୍ତ ଭାଇରାଲ୍ ହେଉଛି। କେହି ତାହାକୁ ପରଖ ବି କରୁନାହାନ୍ତି।
ଆମ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ କେଉଁଠି ବି ନାହିଁ, ଭଲ ଫଟୋଟିଏ ବି ନାହିଁ ଓ ନାହିଁ ବୋଲି ଏଣୁତେଣୁ ଛବିକୁ ‘ସୀତା ବିବାହ’ର ଛବି ବୋଲି ଗଣମାଧ୍ୟମରେ ପ୍ରସାରଣ କରାଯାଉଛ। ଇଣ୍ଟରନେଟ୍କୁ ବିଶ୍ବାସ କରି ଗଣମାଧ୍ୟମରେ ଯେଉଁ ଦୁଇ ଛବିକୁ ‘ସୀତା ବିବାହ’ର ଛବି ବୋଲି ପ୍ରସାରଣ କରାଯାଉଛି, ତହିଁରୁ ବଙ୍ଗଳା ସିନେମା ‘ଚଣ୍ତି ଦାସ’ରେ ଅଛନ୍ତି କୁନ୍ଦନ୍ଲାଲ ସାଇଗଲ୍ ଓ ଉମାଶଶୀ। କୁନ୍ଦନ୍ଲାଲ ସାଇଗଲ୍ କୋଟ୍ ପିନ୍ଧିଛନ୍ତି, ବେକରେ ମଫଲର ଗୁଡ଼ାଇଛନ୍ତି। ଉମାଶଶୀ ସାଧାରଣ ପରିପାଟୀରେ ଅଛନ୍ତି।
‘ଚଣ୍ତି ଦାସ’ର ଏକ ପୋଷ୍ଟର୍ ମଧ୍ୟ ଏହି ଲେଖା ସହ ସ˚ଯୁକ୍ତ ହୋଇଛି। ସେଥିରୁ ସ୍ପଷ୍ଟ ହୋଇଯିବ ଯେ ‘ଚଣ୍ତି ଦାସ’ର ଛବିକୁ ହିଁ ବିଭିନ୍ନ ପ୍ରସାରଣ ମାଧ୍ୟମ ‘ସୀତା ବିବାହ’ ନାମରେ ଭାଇରାଲ୍ କରୁଛନ୍ତି। ‘ସୀତା ବିବାହ’ ନାମରେ ଭାଇରାଲ୍ ହେଉଥିବା ଅନ୍ୟ ଛବିଟି ମୃଣାଳ ସେନ ନିର୍ଦେଶିତ ଏକମାତ୍ର ଓଡ଼ିଆ ସିନେମା ‘ମାଟିର ମଣିଷ’ର, ସେଥିରେ ସୁଜାତା ଅଛନ୍ତି। ସେ ‘ମାଟିର ମଣିଷ’ ସିନେମାରେ ନେତ୍ରମଣୀ ଚରିତ୍ରରେ ଅଭିନୟ କରିଥିଲେ। ‘ମାଟିର ମଣିଷ’ରେ ସୁଜାତାଙ୍କ ଅଭିନୟର ସେହି ମୂଳ ଛବି ମଧ୍ୟ ଏଠାରେ ସ˚ଯୁକ୍ତ ହୋଇଛି। ଆଗାମୀ ଦିନରେ ‘ସୀତା ବିବାହ’ ବୋଲି ଏହି ଦୁଇ ଭୁଲ ଛବି ବିଭିନ୍ନ ପ୍ରସାରଣ ମାଧ୍ୟମରେ ଆଉ ପ୍ରସାରିତ ହେବ ନାହିଁ ବୋଲି ଆଶା କରାଯାଉ।
ସୂର୍ଯ୍ୟ ଦେଓ