ଦୂରଦର୍ଶୀ ଧର୍ମେନ୍ଦ୍ର

‘ୱକ୍‌ତ କା ତକାଜା ହୈ’ ଏକଥା ଆମେ କହୁନୁ, ବଲିଉଡ୍‌ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ତାଙ୍କ ଦୂରଦର୍ଶୀ ଚିନ୍ତାଧାରା ପ୍ରକଟ କରି ଏହା କହିଛନ୍ତି। ସିନେମାରୁ ପ୍ରାୟ ସନ୍ନ୍ୟାସ ନେଇଯାଇଥିବା ଧର୍ମେନ୍ଦ୍ର ୨୦୦୭ରେ ହଠାତ୍ ପାରିବାରିକ ଚଳଚ୍ଚିତ୍ର ନେଇ ପରଦାରେ ଉଭା ହେଲେ। ମନେ ପକାନ୍ତୁ ଚଳଚ୍ଚିତ୍ର ‘ଅପନେ’। ଏଥିରେ କିରଣ ଖେର, ଶିଳ୍ପା ସେଟ୍ଟୀ ଓ କ୍ୟାଟ୍ରିନା କୈଫ୍ ଥିଲେ ମଧ୍ୟ ପୁରୁଷ କଳାକାରଙ୍କ ମଧ୍ୟରେ ଥିଲେ କେବଳ ଗୋଟିଏ ପରିବାରର ପିତା-ପୁତ୍ର ଅର୍ଥାତ୍ ଧର୍ମେନ୍ଦ୍ର, ସନ୍ନି ଦେଓଲ ଓ ବବି ଦେଓଲ। ଧର୍ମେନ୍ଦ୍ର କହିଛନ୍ତି, ‘ଏବେ ସାରା ଦେଶ ସଂକଟ ଦେଇ ଗତି କରୁଛି, ଦେଶବାସୀ ଅତ୍ୟନ୍ତ ସତର୍କତାର ସହ ଜୀବନ ଜିଉଁଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ‘ଅପନେ-୨’ ଭଳି ପାରିବାରିକ ଚଳଚ୍ଚିତ୍ରଟିଏ ତିଆରି କରିବା ଜରୁରୀ ନୁହେଁ। ତୁମେ କୌଣସି କାମ ଆରମ୍ଭ କର ଯେତେବେଳେ ତାହା କରିବାକୁ ଉଚିତ ଭାବୁଛ।’

ଧର୍ମେନ୍ଦ୍ର ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଯେକୌଣସି ନିଷ୍ପତ୍ତିକୁ ଅଙ୍ଗୀକାର କରିନିଅନ୍ତି। କାରଣ ଅନୀଲଙ୍କ ପାଇଁ ତାଙ୍କ ପୁଅ (ସନ୍ନି ଦେଓଲ) ଅଭିନୟ କରିଥିବା ‘ଗଦ୍ଦର’ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା। ଏପରିକି ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ହୁକୁମତ୍, ଏଲାନ-ଏ-ଜଙ୍ଗ୍, ତେହେଲକା, ଫରିସ୍ତା ଯେଉଁଥିରେ ଧର୍ମେନ୍ଦ୍ର ଅଭିନୟ କରିଥିଲେ, ସେସବୁ ସିନେମା ଆଶାତୀତ ସଫଳତା ପାଇଥିଲା। ତେଣୁ ଧର୍ମେନ୍ଦ୍ରଙ୍କ କହିବା କଥା, ‘ଅପନେ’ ଏକ ଭାବପ୍ରବଣ ବିଷୟବସ୍ତୁ। ଏହା ପରିବାରର ଭିତିରି କଥା। କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହର ଯେଭଳି ଭୟାନକ ହେଇଛି, ଏତିକିବେଳେ ‘ଅପନେ’ର ସିକୁଏଲ୍‌ ତିଆରି କରିବା ଉପଯୁକ୍ତ ସମୟ ନୁହେଁ। ଏଣୁ ସେ କହିଛନ୍ତି, ‘ୱକ୍‌ତ କା ତକାଜା ହୈ’ ସମୟ ତା’ବାଟରେ ଚାଲିଛି, ଏହା ଠିକ୍ କି ନୁହେଁ, ଆମେ କହିପାରିବାନି, ବରଂ ଏଭଳି ସମୟରେ ଆମେ ‘ଅପନେ’ ନିର୍ମାଣ କରିବା ଠିକ୍ ନୁହେଁ।

ସମ୍ବନ୍ଧିତ ଖବର