‘ଦ କଶ୍ମୀର ଫାଇଲ୍ସ-ଅନରିପୋଟେଡ୍’ ସମସ୍ତଙ୍କୁ ବିବ୍ରତ କରିବ ଏବଂ ଦୋହଲାଇ ଦେବ: ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଡ୍‌ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କ ବୟାନକୁ ବିରୋଧ କରୁଛନ୍ତି। ଏମଧ୍ୟ‌ରେ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଥିବା ଫିଲ୍ମ ନିର୍ମାତା ତଥା ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ଏକ ସାକ୍ଷାତକାରରେ ବଡ଼ ଘୋଷଣା କରିଛନ୍ତି।

ଫିଲ୍ମକୁ ନେଇ ପ୍ରଶ୍ନ ଉଠିବାରୁ ଏହାର ଦ୍ବିତୀୟ ଭାଗ ଆଣିବା ନେଇ ଘୋଷଣା କରିଛନ୍ତି ବିବେକ ଅଗ୍ନିହୋତ୍ରୀ, ଯାହାର ନାଁ ରହିବ ‘ଦ କଶ୍ମୀର ଫାଇଲ୍ସ-ଅନରିପୋଟେଡ୍’। ତେବେ ଏହା ଏକ ଫିଲ୍ମ ହେବ ନାଁ ୱେବ୍ ସିରିଜ୍, ସେ ବିଷୟରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବିବେକ।

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ଦେଇଥିବା ଏକ ସାକ୍ଷାତକାରରେ ଅଗ୍ନିହୋତ୍ରୀ କହିଛନ୍ତି, “ମୁଁ ବର୍ତ୍ତମାନ ଫିଲ୍ମର ଦ୍ବିତୀୟ ଭାଗ ଆଣିବାକୁ ସ୍ଥିର କରିଥିବା ନେଇ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଘୋଷଣା କରୁଛି। ଆମ ପ‌ାଖରେ ଅନେକ କାହାଣୀ ଅଛି। ଅନେକ ଉପନ୍ୟାସ ଅଛି, ଯେଉଁଥିରୁ ଆମେ ଗୋଟିଏ ବଦଳରେ ୧୦ଟି ଚଳଚ୍ଚିତ୍ର କରିପାରିଥାନ୍ତୁ। ହେଲେ ମୁଁ ସେତେବେଳେ କେବଳ ଗୋଟିଏ ଫିଲ୍ମ କରିବାକୁ ଚାହୁଁଥିଲି। କିନ୍ତୁ ବର୍ତ୍ତମାନ ମୁଁ ନିଷ୍ପତ୍ତି ନେଇଛି ଯେ ‘ଦ କଶ୍ମୀର ଫାଇଲ୍ସ-ଅନରିପୋଟେଡ୍’ ମାଧ୍ୟମରେ ମୁଁ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିବି।”

ସେ ଆହୁରି କହିଥିଲେ ଯେ, “ବର୍ତ୍ତମାନ ଦେଶର ପ୍ରତିଷ୍ଠା ଓ ସମ୍ମାନ ଉପରକୁ କଥା ଆସିଛି। ଏହା ମୋର ନୈତିକ ଦାୟିତ୍ବ ଯେ, ମୋ ପାଖରେ ଯାହା ବି ପ୍ରମାଣ ଅଛି, ମୁଁ ତାକୁ ବାହାରକୁ ଆଣି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିବି”।

ଜାତୀୟ ଗଣମାଧ୍ୟମ ରିପବ୍ଲିକକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, “ଦ କଶ୍ମୀର ଫାଇଲ୍ସ-ଅନରିପୋଟେଡ୍’ ସମସ୍ତଙ୍କୁ ବିବ୍ରତ କରିବ ଏବଂ ଦୋହଲାଇ ଦେବ”।

ତେବେ ମଙ୍ଗଳବାର ଏକ ଭିଡିଓ ଟ୍ବିଟ କରି ବିବେକ ସେ କହିଥିଲେ ଯେ, “ଆଜି ମୁଁ ଏହି ଦୁନିଆର ସମସ୍ତ ବୁଦ୍ଧିଜୀବୀ ଏବଂ ଇସ୍ରାଏଲର ସେହି ମହାନ ଚଳଚ୍ଚିତ୍ର ନିର୍ମାତାଙ୍କୁ କଶ୍ମୀର ଫାଇଲ୍ସରେ ଗୋଟିଏ ଫ୍ରେମ୍, ଗୋଟିଏ ସଂଳାପ କିମ୍ବା ଦେଖାଯାଇଥିବା ଗୋଟିଏ ଘଟଣା ମିଛ ବୋଲି ପ୍ରମାଣ କରି ଦେଖାଇବାକୁ ଚ୍ୟାଲେଞ୍ଜ କରୁଛି। ଯଦି କେହି ଫିଲ୍ମରେ ଦେଖାଯାଇଥିବା କୌଣସି ଘଟଣା ମିଛ ବୋଲି ପ୍ରମାଣ କରିଦେବ, ତେବେ ମୁଁ ଫିଲ୍ମ ନିର୍ମାଣ କରିବା ବନ୍ଦ କରିଦେବି”।

ସମ୍ବନ୍ଧିତ ଖବର