ମୁମ୍ବାଇ: ରିଲିଜ ପୂର୍ବରୁ ବିବାଦ ଘେରରେ ରହିଛି ଫିଲ୍ମ 'ପଠାନ'ର ଗୀତ 'ବେସରମ ରଙ୍ଗ'। ଗୀତରେ ବଲିଉଡ ଅଭିନେତା ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗକୁ ବିରୋଧ କରାଯାଉଥିବା ବେଳେ ଏବେ ଗୀତରେ ଦେଖାଯାଇଥିବା ଅଶ୍ଳୀଳତାକୁ ବିରୋଧ କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ସେ 'ବେସରମ ରଙ୍ଗ' ଭିଡିଓ ସହ ଏକ ଛୋଟ ଝିଅର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଝିଅଟି ଏଭଳି ଅଶ୍ଳୀଳତା ପାଇଁ ଝିଅମାନଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି କହିଛନ୍ତି।
WARNING:#PnV video against Bollywood. Don’t watch it if you are a Secular. pic.twitter.com/7wKPX4A8Ev
— Vivek Ranjan Agnihotri (@vivekagnihotri) December 28, 2022
ଟ୍ବିଟ କରିଥିବା ଭିଡିଓର କ୍ୟାପସନରେ ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି, ଯଦି ଆପଣ ଧର୍ମନିରପେକ୍ଷ ତେବେ ଏହି ଗୀତକୁ ଦେଖନ୍ତୁ ନାହିଁ। ଏହି ଟ୍ବିଟରେ ଝିଅଟି କହୁଥିବା ଭିଡିଓଟି ଏକ ବିଜ୍ଞାପନ ଭିଡିଓ ଥିବା ବେଳେ ସେଥିରେ ଦୁଷ୍କର୍ମ, ସାଂସ୍କୃତିକ ଆକ୍ରମଣ, ଚଳଚ୍ଚିତ୍ର-ସୋସିଆଲ ମିଡିଆ- ଓଟିଟିରେ ଅଶ୍ଳୀଳତା ପ୍ରଚାରକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ଏହା ସହ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ନିବେଦନ କରାଯାଇଛି।
ଭିଡିଓରେ, ଝିଅଟି ଚଳଚ୍ଚିତ୍ର ନିର୍ମାତାଙ୍କୁ କାନ୍ଦି କାନ୍ଦି ପ୍ରଶ୍ନ କରୁଛି, "ଆପଣ ଏତେ ଅଶ୍ଳୀଳତା କେଉଁଠୁ ଆଣୁଛନ୍ତି?" ନା ମୋ ଶରୀର ପ୍ରତି କୌଣସି ସମ୍ମାନ ଅଛି, ନା ମୋ ମନର କୌଣସି ମୂଲ୍ୟ ଅଛି, କେବଳ ଅର୍ଥହୀନ ଶବ୍ଦ ଏବଂ ଅଶ୍ଲୀଳ ଦୃଶ୍ୟ ରହିଛି। ଆପଣ ଏହାକୁ ବିଷୟବସ୍ତୁ କହୁଛନ୍ତି? ଆପଣ ଏଭଳି ଅଶ୍ଲୀଳ ଫିଲ୍ମ କରି ଚାଲିଯାଆନ୍ତି, ହେଲେ ଆମେ ଏହାର କୁପରିଣାମର ଶିକାର ହୋଇଥାଉ। ଏଭଳି କହିବା ସହ ଭିଡିଓ ଶେଷରେ ଝିଅଟି ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ନକରିବାକୁ ଅନୁରୋଧ କରିଛି।