ସିନେମା, ଆଲବମ୍ ଓ ଯାତ୍ରାରେ କାମ କରିଥିବା ବୟୋଜ୍ୟେଷ୍ଠ ସଙ୍ଗୀତକାର ଓ ଗୀତିକାର ମହେନ୍ଦ୍ର ଆଚାର୍ଯ୍ୟ ଓଲିଉଡ୍କୁ ପ୍ରାୟ ୧୦ ବର୍ଷ ପରେ ଫେରିଛନ୍ତି। ତାଙ୍କ ରଚିତ ଓ ସ୍ବରାରୋପିତ ଗୀତ ଶୁଣିବାକୁ ମିଳିବ ମୁକ୍ତିପ୍ରତୀକ୍ଷିତ ଓଡ଼ିଆ ଛବି ‘ଅପରାହ୍ନର ସୂର୍ଯ୍ୟ’ରେ। ନିର୍ମାତା-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତିଙ୍କ ଏହି ଛବିରେ ଥିବା ଏକ ଗୀତର ଶବ୍ଦ ଓ ସ୍ବର ସଂଯୋଜନା କରିଛନ୍ତି ମହେନ୍ଦ୍ର ଆଚାର୍ଯ୍ୟ। ଉକ୍ତ ଗୀତରେ କଣ୍ଠଦାନ କରିଛନ୍ତି ଜଣାଶୁଣା ଗାୟକ ଶୁଭାଶିଷ ମହାକୁଡ଼। ଏହି ଗୀତଟିକୁ ଚଳଚ୍ଚିତ୍ରରେ ବିଭିନ୍ନ ସମୟରେ ସ୍ଥାନିତ କରାଯାଇଛି।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମହେନ୍ଦ୍ର ଆଚାର୍ଯ୍ୟ ତୃତୀୟ ବର୍ଷର ଛାତ୍ର ଥିବାବେଳେ ଆଜିକାର ବିଶିଷ୍ଟ ସଙ୍ଗୀତକାର ମନ୍ମଥ ମିଶ୍ର ପଢ଼ୁଥିଲେ ପ୍ରଥମ ବର୍ଷରେ। କମଲଙ୍କ ସହ ମିଶି ସେ ଦୁହେଁ ପ୍ରଥମେ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ‘ଆଶାର ଆକାଶ’ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଶାର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଯୁଗଳ ଦେବତା ଏହାର ପ୍ରଯୋଜନା କରିଥିବା ବେଳେ ଗଦାଧର ପୁଟ୍ଟୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ‘ଆଶାର ଆକାଶ’ରେ ମହେନ୍ଦ୍ର ଆଚାର୍ଯ୍ୟ ତିନିଟି ଗୀତ ବି ଲେଖିଥିଲେ। ଏହି ସିନେମାର ଗୀତଗୁଡ଼ିକ ଶ୍ରୁତିମଧୁର ହୋଇଥିଲା। କିନ୍ତୁ ଏହାପରେ ସେ ଶିକ୍ଷାଦାନକୁ ପେସା କରି ସଙ୍ଗୀତ ଶିକ୍ଷକ ଭାବେ ୟୁନିଟ୍-୮ ଡିଏଭି ସ୍କୁଲରେ ଶିକ୍ଷକତା କରିଲେ। ଏହି କାରଣରୁ ସେ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ବିଶେଷ ସୁଯୋଗ ପାଇ ପାରି ନଥିଲେ। ଆଉ ଏଥିଲାଗି ତାଙ୍କ ମନରେ ବି କୌଣସି ଦୁଃଖ ନାହିଁ ବୋଲି କହନ୍ତି ମହେନ୍ଦ୍ର ଆଚାର୍ଯ୍ୟ।
‘ଆଶାର ଆକାଶ’ ପରେ ‘ନଈ ସେପାରି କନକ ଗୋରୀ’ରେ ସେ ଅଜୟ ମହାନ୍ତିଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏବେ ପ୍ରଥମ ଥର ପାଇଁ ଏକାକୀ ‘ଅପରାହ୍ନର ସୂର୍ଯ୍ୟ’ରେ ସ୍ବରସଂଯୋଜନା କରିଛନ୍ତି ମହେନ୍ଦ୍ର ଆଚାର୍ଯ୍ୟ।
‘ଆଶାର ଆକାଶ’ ପରେ ପୁଣି ‘ନଈ ସେପାରି କନକ ଗୋରୀ’ସେ ଅଜୟ ମହାନ୍ତିଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏବେ ପ୍ରଥମ ଥର ପାଇଁ ଏକାକୀ ‘ଅପରାହ୍ନର ସୂର୍ଯ୍ୟ’ରେ ସେ ସ୍ବରସଂଯୋଜନା କରିଛନ୍ତି। ମହେନ୍ଦ୍ର ଆଚାର୍ଯ୍ୟ ପ୍ରାୟ ୩୦ଟି ଆଲବମ୍ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେ ଓଡ଼ିଶାର ଅଧିକାଂଶ କଣ୍ଠଶିଳ୍ପୀ ଓ ବଲିଉଡ୍ ଗାୟକ ସୁରେଶ ଵାଡେକର୍, ସୋନୁ ନିଗମ୍ ଓ ବାବୁଲ ସୁପ୍ରିଓଙ୍କ ଭଳି ଗାୟକଙ୍କୁ ନେଇ ଗୀତ କରିଛନ୍ତି। ‘ଘର ମାଳିସାହି, ଥାନା ପିପିଲି’ ଓ ‘ଘର ଭାଙ୍ଗିଦେଲା ଘରଣୀ ତୋର’ ଭଳି ଚର୍ଚ୍ଚିତ ନାଟକ ସମେତ ପାଖାପାଖି ୧୨ଟି ଯାତ୍ରାରେ ଗୀତ ରଚନା କରିବା ସହ ସଙ୍ଗୀତ ବି ଦେଇଛନ୍ତି। ଖାଲି ସେତିକି ନୁହେଁ, ସେ ସଙ୍ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ସମେତ ଅଧିକାଂଶ ଜଣାଶୁଣା ସଙ୍ଗୀତକାରଙ୍କ ପାଇଁ ଯାତ୍ରାରେ ଗୀତ ଲେଖିଛନ୍ତି। ମହେନ୍ଦ୍ର ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ। ସେ ନିଜ ସ୍ବରାରୋପିତ ଚଳଚ୍ଚିତ୍ର ଓ ଆଲବମ୍ରେ କଣ୍ଠଦାନ କରିଛନ୍ତି। ଏକ ଉଲ୍ଲେଖନୀୟ କଥା ହେଲା, ସେ ସଂସ୍କୃତ, ହିନ୍ଦୀ ଓ ଓଡ଼ିଆ ଭାଷାରେ ବହୁ ଓଡ଼ିଶୀ ଡ୍ୟାନ୍ସ ଡ୍ରାମାର ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି, ଯାହା ଦେଶବିଦେଶରେ ପ୍ରଶଂସିତ ହୋଇଛି।
- ଶିବଶଙ୍କର ଓଝା