ଅଭିନୟ ଜୀବନରେ ପତି-ପତ୍ନୀ ସାଜିବା ପରେ ବାସ୍ତବ ଜୀବନରେ ଦମ୍ପତି ସାଜିବା କ୍ବଚିତ କଳାକାରଙ୍କ ଭାଗ୍ୟରେ ଜୁଟିଥାଏ। ତେବେ ଅଭିନୟ କ୍ଷେତ୍ରରେ ଯେତେ ପାରଦର୍ଶିତା ଲାଭ କରିଥିଲେ ହେଁ ବାସ୍ତବ ଘରସଂସାର ଯେପରି ଅଭିନୟ ଜୀବନକୁ ଫିକା କରିଦେଇଥାଏ। ମାଲାୟଲୀ ଓ ତାମିଲ ଅଭିନେତ୍ରୀ ତଥା ପ୍ରଯୋଜିକା ନଜରିୟା ନଜିମ୍‌ଙ୍କ ଭାଗ୍ୟରେ ଠିକ୍‌ ସେପରି କିଛି ଘଟିଛି। ନିଜର କୃତିତ୍ବ ପାଇଁ ଫିଲ୍ମଫେୟାର ସମେତ ୧୪ଟି ଜାତୀୟ ସ୍ତରର ପୁରସ୍କାର ହାତେଇଥିବା ଏହି ଅଭିନେତ୍ରୀଙ୍କର ବିବାହ ପରେ ପରେ ଅଭିନୟରେ ଭଟ୍ଟା ପଡ଼ିଯାଇଥିଲା।

Advertisment

ତେବେ ପରେ ସେ ଫିଲ୍ମ ଜଗତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଦର୍ଶକ ତାଙ୍କୁ ଆଉ ସେପରି ଗ୍ରହଣ କରିନଥିବାରୁ ସେ ମନସ୍ତାପରେ ଅଛନ୍ତି। ତେବେ ଆଗକୁ ପ୍ରକୃଷ୍ଟ ସୁଯୋଗ ମିଳିଲେ ସେ ତାଙ୍କର ପୂର୍ବ ଚମକ ଦୋହରାଇବେ ବୋଲି ନଜରିୟା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କେରଳର ତିରୁବନନ୍ତପୁରମ୍‌ରେ ୧୯୯୪ ଡିସେମ୍ବର ୨୦ରେ ଜନ୍ମ ନେଇଥିବା ନଜରିୟାଙ୍କର ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରହିଥିଲା। ସୁଯୋଗକୁ ମାତ୍ର ଦଶ ବର୍ଷ ବେଳେ ସେ ଏକ ମାଲାୟଲୀ ଟିଭି କ୍ବିଜ୍‌ ସୋ’ରେ ଉପସ୍ଥାପିକା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ୨୦୦୬ରେ ମାଲାୟଲୀ ସିନେମା ‘ପାଲୁଙ୍କୁ’ରେ ତାଙ୍କର ଅଭିନୟ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ଅନ୍ୟ ଦୁଇଟି ମାଲାୟଲୀ ଫିଲ୍ମରେ ଶିଶୁ କଳାକାର ଭାବେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଥିଲେ।

ଏହି ଅବସରରେ ବିଭିନ୍ନ ଟିଭି ସୋ’ରେ ଉପସ୍ଥାପିକା ସାଜି ସେ ଏପରି ବ୍ୟସ୍ତ ରହିଲେ ଯେ ନିଜର ପାଠପଢ଼ାରେ ଡୋରି ବାନ୍ଧିବାକୁ ବାଧ୍ୟ ହୋଇଥିଲେ। ତେବେ ଅଭିନୟରେ ତାଙ୍କୁ ପୂର୍ଣ୍ଣ ସଫଳତା ମିଳିଥିଲା ୨୦୧୩ରେ ମାଲାୟଲୀ ସିନେମା ‘ମ୍ୟାଡ୍‌ ଡାଡ୍‌’ର ନାୟିକା ମାରିୟା ଚରିତ୍ରରେ। ଏହାପରେ ଦ୍ବିଭାଷୀ (ମାଲାୟଲୀ/ତେଲୁଗୁ) ଫିଲ୍ମ ‘ନିରମ୍‌’ ଓ ମାଲାୟଲୀ ଫିଲ୍ମ ‘ରାଜାରାଣୀ’ ତାଙ୍କ ପାଇଁ ଅପୂର୍ବ ଲୋକପ୍ରିୟତା ଓ ପ୍ରତିଷ୍ଠା ଆଣିଦେଇଥିଲା। ସେହିପରି ନଜରିୟା ଚାରିଟି ସିନେମାର ଗୀତରେ ନିଜ କଣ୍ଠର ଯାଦୁ ପରଷି ଶ୍ରୋତାଙ୍କୁ ମୁଗ୍‌ଧ କରିପାରିଥିଲେ। ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା ୨୦୧୪ରେ ମାଲାୟଲୀ ସିନେମା ‘ବାଙ୍ଗାଲୋର ଡେଜ୍‌’ର ସୁଟିଂ ଅବସରରେ। ସେଥିରେ ତାଙ୍କ ନାୟକ ସାଜିଥିବା ଫହାଦ ଫାଜିଲଙ୍କ ସହ ସେ ସତସତିକା ପ୍ରେମରେ ପଡ଼ିଯାଇଥିଲେ।

ପରିଣତି ସ୍ବରୂପ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମାତ୍ର ତାହା ପରେ ନଜରିୟାଙ୍କର ଅଭିନୟରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଦୀର୍ଘ ଚାରି ବର୍ଷର ନିରବତା ପରେ ମାଲାୟଲୀ ଫିଲ୍ମ ‘କୂଡ଼େ’ ମାଧ୍ୟମରେ ପୁଣି ଥରେ ସେ ଦର୍ଶକଙ୍କ ମନକୁ ଛୁଇଁବା ଲାଗି ପ୍ରୟାସ ଆରମ୍ଭ କରିବା ସହ ନିଜର ପ୍ରଯୋଜନା ସଂସ୍ଥା ଖୋଲି ମାଲାୟଲୀ ସିନେମା ନିର୍ମାଣ ଆରମ୍ଭ କରିଥିଲେ। ତେବେ ୨୦୨୦ରେ ତାଙ୍କ ପ୍ରଯୋଜିତ ଶେଷ ଚଳଚ୍ଚିତ୍ର ‘ସି ୟୁ ସୁନ୍‌’ ସେଭଳି ବ୍ୟାବସାୟିକ ସଫଳତା ଦେଇନଥିବା ବେଳେ ଗତବର୍ଷ ଖେଳିଥିବା ତାଙ୍କ ଅଭିନୀତ ତେଲୁଗୁ ସିନେମା ‘ଆଣ୍ଟେ ସୁନ୍ଦରନିକି’ ମଧ୍ୟ ଅନୁରୂପ ବିଫଳତା ଆଣିଛି। ତଥାପି ନଜରିୟା ନିଜ ଦକ୍ଷତା ଓ ସମୟ ଉପରେ ଭରସା ରଖି ଅନୁକୂଳ ପରିସ୍ଥିତି ଅପେକ୍ଷାରେ ଅଛନ୍ତି।