ଗତବର୍ଷ ବଲିଉଡ୍ର ବ୍ୟବସାୟ କିଛିଟା ମାନ୍ଦା ଥିଲା। ୨୫୦ରୁ ଅଧିକ ଫିଲ୍ମ ରିଲିଜ୍ ହୋଇଥିଲେ ମଧ୍ୟ ମାତ୍ର ତିନିଟି ଫିଲ୍ମ ବ୍ଲକ୍ବଷ୍ଟର୍ ହିଟ୍ ହୋଇଥିଲା: ‘ଟାଇଗର୍ ଜିନ୍ଦା ହୈ’, ‘ରଇସ୍’ ଓ ‘ଗୋଲ୍ମାଲ୍ ଏଗେନ୍’। ତେବେ ୨୦୧୮ରେ ଏ ପରିସ୍ଥିତି ବଦଳିଯିବ ବୋଲି ଆଶା କରାଯାଏ। ଆସନ୍ତୁ ଦେଖିବା, ୨୦୧୮ରେ ବ୍ଲକ୍ବଷ୍ଟର୍ ହିଟ୍ ହେବାର ଶ୍ରେଷ୍ଠ ଛଅଟି ଫିଲ୍ମକୁ:
ପଦ୍ମାବତ୍
ଦୀପିକା ପାଦ୍ୟୁକୋନ୍, ରଣବୀର ସିଂହ ଓ ସାହିଦ୍ କପୁର୍ଙ୍କ ଅଭିନୀତ ତଥା ସଞ୍ଜୟ ଲୀଲା ବଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’ ବିଷୟରେ ଏବଂ ଫିଲ୍ମଟି ୟା’ ଭିତରେ କେତେ ସମସ୍ୟାର ସମ୍ମୁଖୀନ ହୋଇ ସାରିଲାଣି, ଆପଣଙ୍କୁ ଅଜଣା ନାହିଁ। ରାଜପୁତ ରାଣୀ ପଦ୍ମାବତୀଙ୍କ କାହାଣୀକୁ ନେଇ ଫିଲ୍ମଟି ତିଆରି କରା ଯାଇଛି ଏବଂ ସେଥିରେ ପଦ୍ମିନୀ (ଦୀପିକା ଓ ଆଲ୍ଲା ଉଦ୍ଦିନ୍ ଖଲିଜି (ରଣବୀର)ଙ୍କର ଅନ୍ତରଙ୍ଗ ପ୍ରେମ ଦୃଶ୍ୟ ରହିଛି ବୋଲି ପ୍ରଚାର ହେବାପରେ ଫିଲ୍ମଟିକୁ କିଛି ରାଜପୁତ ଓ ହିନ୍ଦୁ ସଂଗଠନ କଡ଼ା ବିରୋଧ କରିଥିଲେ। ପୋଡ଼ାଜଳା ହୋଇଥିଲା, ସେଥିରେ ରାଜନୀତି ମଧ୍ୟ ପ୍ରବେଶ କରିଥିଲା। ତେବେ ଏବେ ସମାଧାନର ସୂତ୍ର ବାହାର କରା ଯାଇଛି, ଶେଷରେ ଫିଲ୍ମଟିକୁ ଏଇ ୨୫ ତାରିଖରେ ‘ପଦ୍ମାବତ୍’ ନାଁରେ ରିଲିଜ୍ କରା ଯାଉଛି। ଏହାଦ୍ୱାରା ନିର୍ମାତା ପ୍ରକାଶ୍ୟରେ ଘୋଷଣା କରିଛନ୍ତି ଯେ ରାଣୀ ପଦ୍ମାବତୀଙ୍କ କାହାଣୀ ସହିତ ଏ ଫିଲ୍ମର କୌଣସି ସଂପର୍କ ନାହିଁ! ତେବେ ଏଇ ଚର୍ଚ୍ଚା, ବିତର୍କ ବା ଗଣ୍ଡଗୋଳ ପାଇଁ ହିଁ ଯେ ଲୋକେ ଫିଲ୍ମଟିକୁ ଦେଖିବାକୁ ଯିବେ- ଏହା କହିବା ନିର୍ଦ୍ଦେଶକ ବଂଶାଲୀଙ୍କ ପ୍ରତି ଅନ୍ୟାୟ ହେବ। ‘ହମ୍ ଦିଲ୍ ଦେ ଚୁକେ ସୋନମ୍’, ‘ଦେବଦାସ୍’, ‘ରାମ୍-ଲୀଲା’ ଓ ‘ବାଜିରାଓ ମସ୍ତାନୀ’ ଭଳି ଚମତ୍କାର ଫିଲ୍ମ ତିଆରି କରିଥିବା ବଂଶାଲୀ ଯେ ବଲିଉଡ୍ର ଜଣେ ସୁଦକ୍ଷ ଓ ନିଆରା ନିର୍ଦ୍ଦେଶକ ଏଥିରେ ଆଦୌ ସନ୍ଦେହ ନାହିଁ।
ଜିରୋ
ନିଜ କ୍ୟାରିୟର୍ର ଶୀର୍ଷରେ ସୁପର୍ଷ୍ଟାର୍ ଶାହ୍ରୁଖ୍ ଖାଁ ‘ଜିରୋ’ ଜରିଆରେ ଏକ ବଡ଼ ରିସ୍କ୍ ନେଇଛନ୍ତି। ଏ ଫିଲ୍ମରେ ସେ ଜଣେ ବାମନ ଭୂମିକାରେ ଅଭିନୟ କରୁଛନ୍ତି। ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଏ ଫିଲ୍ମରେ ଶାହ୍ରୁଖ୍ ତାଙ୍କ ଅଭିନେତା ଜୀବନର ସବୁ ନିଷ୍ଠା ଓ ଦକ୍ଷତାକୁ ନିଗାଡ଼ି ଦେଉଛନ୍ତି ବୋଲି କୁହା ଯାଉଛି। ଏ ଫିଲ୍ମଟି ତାଙ୍କୁ ଏକାଧିକ ପୁରସ୍କାରର ବିଜୟୀ କରିବ ବୋଲି ତ ଲୋକେ ଏବେଠୁ କହିଲେଣି। ‘ଜିରୋ’ ଭଲ ବ୍ୟବସାୟ କରିବ ବୋଲି ଆମେ ଅନୁମାନ କରୁଛୁ, କାରଣ ଏ ଧରଣର ଫିଲ୍ମକୁ ସବୁ ବୟସର ଦର୍ଶକମାନେ ଦେଖିବାକୁ ଚାହିବେ। ଆପଣ ଜାଣନ୍ତି, ସବୁ ବୟସର ଦର୍ଶକଙ୍କୁ ଆକର୍ଷଣ କରିବା ହେଉଛି ଏବେ ଫିଲ୍ମ ବ୍ୟବସାୟର ଏକ ବଡ଼ ସୂତ୍ର। ‘ଜିରୋ’ ରିଲିଜ୍ ହେବ ୨୦୧୮ ଡିସେମ୍ବର ମାସରେ।
ପ୍ୟାଡ୍ ମ୍ୟାନ୍
ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପ୍ୟାଡ୍ ମ୍ୟାନ୍’ର ଲେଖକ ଓ ନିର୍ଦ୍ଦେଶକ ହେଉଛନ୍ତି ‘ଚିନି କମ୍’ ଓ ‘ପା’ ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍ ବଲ୍କି। ନିଜ ଫିଲ୍ମକୁ ନେଇ ବଲ୍କି ସାହେବ କେତେ ଗମ୍ଭୀର, କାହାରିକୁ ଅଜଣା ନାହିଁ। ଇଏ ଅକ୍ଷୟଙ୍କର ମହିଳା ପ୍ରସଙ୍ଗ ଭିତ୍ତିକ ଅନ୍ୟ ଏକ ଫିଲ୍ମ। ଏଥିରେ ଅଛି ଗରିବ ମହିଳାମାନଙ୍କ ପାଇଁ ସ୍ୱଳ୍ପଖର୍ଚ୍ଚରେ ସାନିଟାରି ନ୍ୟାପ୍କିନ୍ ପ୍ରସ୍ତୁତ କରିବାଲାଗି ନିଜର ସବୁ ଧନ ଓ ସମ୍ମାନକୁ ବାଜିରେ ଲଗାଇ ଦେଇଥିବା ଅରୁଣାଚଳମ୍ ମୁରୁଗାନାନ୍ତମ୍ଙ୍କ ସତ କାହାଣୀ। ଆପଣ ଜାଣନ୍ତି, ଅକ୍ଷୟ କୁମାର ବର୍ତ୍ତମାନ ଅଳ୍ପ ବଜେଟ୍ରେ ଭିନ୍ନ ଧରଣର ଚମତ୍କାର କିନ୍ତୁ ସରଳ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମକୁ ପସନ୍ଦ କରୁଛନ୍ତି। ଏ ଫର୍ମୁଲା ବି ଭଲ କାମ କରୁଛି।
ସଞ୍ଜୁ
ବର୍ତ୍ତମାନ ତ ବଲିଉଡ୍ରେ ବାୟୋପିକ୍ର ଜମାନା ଚାଲିଛି। ରାଜକୁମାର ହିରାନୀଙ୍କ ‘ସଞ୍ଜୁ’ ଏହାର ସଦ୍ୟତମ ଉଦାହରଣ। ବିତର୍କିତ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ତିଆରି ହେଉଥିବା ଏ ଫିଲ୍ମରେ ସଞ୍ଜୟଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର କପୁର୍। ସଞ୍ଜୟଙ୍କ ଷ୍ଟାର୍ ବାପା ମାଆ (ସୁନୀଲ୍ ଦତ୍ତ ଓ ନର୍ଗିସ୍), ସଫଳତା, ପ୍ରେମ ଜୀବନ, ନିଶା ସେବନ, ଅଣ୍ଡର୍ଓ୍ଵାର୍ଲଡ୍ ସହ ସଂପୃକ୍ତି ଓ ଜେଲ୍ ଯାତ୍ରା ଆଦିକୁ ଦେଖିଲେ, ସେ କାହାଣୀ କୌଣସି ମସଲାଦାର ବଲିଉଡ୍ ଫିଲ୍ମଠୁ କିଛି କମ୍ ନୁହେଁ! ତେଣୁ ଫିଲ୍ମଟିକୁ ନେଇ ସମସ୍ତଙ୍କର ବେଶ୍ ଉତ୍କଣ୍ଠା ଅଛି। ‘ଥ୍ରି ଇଡିୟଟ୍ସ୍’ ଓ ‘ପି.କେ.’ ଭଳି ବ୍ଲକ୍ବଷ୍ଟର୍ ଓ ପ୍ରଶଂସିତ ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ରାଜକୁମାର ବି ସଫଳତାରେ ବେଶ୍ ଅଭ୍ୟସ୍ତ। ଫିଲ୍ମଟି ଜୁନ୍ ମାସରେ ରିଲିଜ୍ ହେବ।
ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍
ଅମିର୍ ଖାଁ, ଅମିତାଭ ବଚ୍ଚନ୍ ଓ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ‘ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍’ ୧୮୩୯ରେ ପ୍ରକାଶିତ ଫିଲିପ୍ ମିଡୋସ୍ଙ୍କ ଉପନ୍ୟାସ ‘କନ୍ଫେସନ୍ ଅଫ୍ ଏ ଥଗ୍’ ଉପରେ ଆଧାରିତ। ସେ ଡକାୟତ ଜଣକ ସେତେବେଳେ ଭାରତକୁ ଶାସନ କରୁଥିବା ଇଂରେଜ ଶାସକଙ୍କୁ ନାକେଦମ୍ କରି ପକାଇଥିଲା। ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟ ଏହି କାହାଣୀକୁ ପରଦା ଉପରେ କିପରି ଦେଖାଉଛନ୍ତି, ସମସ୍ତଙ୍କର ବହୁ ଉତ୍କଣ୍ଠା ରହିଛି। ଏମିତିରେ ଉଭୟ ଅମିର୍ ଓ ଅମିତାଭ କାହାଣୀ ଓ ଚରିତ୍ରରେ ଦମ୍ ନ ଥିଲେ, ଫିଲ୍ମ କରନ୍ତିନାହିଁ। ଏ ଦୁହିଁଙ୍କର ସ୍ୱୀକୃତି ଓ ଉପସ୍ଥିତି ଲୋକଙ୍କୁ ଫିଲ୍ମ ହଲ୍କୁ ଟାଣିବ, ଏଥିରେ ସନ୍ଦେହ ନାହିଁ। ‘ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍’ ରିଲିଜ୍ ହେବ ନଭେମ୍ବର ମାସରେ।
୨.୦
ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ସୁପର୍ହିଟ୍ ନିର୍ଦ୍ଦେଶକ ଶଙ୍କରଙ୍କର ଏ ଫିଲ୍ମରେ ଅଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ମହାନାୟକ ରଜନୀକାନ୍ତ, ଯିଏ ଛୁଇଁଲେ ପଥର ବି ସୁନା ହୋଇଯାଏ! ତାଙ୍କ ସହିତ ଆହୁରି ଅଛନ୍ତି ବଲିଉଡ୍ ଖିଲାଡ଼ି କୁମାର ଅକ୍ଷୟ କୁମାର। ସେ ଅଛନ୍ତି ଖଳନାୟକ ଭୂମିକାରେ। ୨୦୧୦ରେ ରିଲିଜ୍ ହୋଇଥିବା ରଜନିକାନ୍ତ ଓ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ‘ରୋବଟ୍’ର ଏହା ଦ୍ୱିତୀୟ ଭାଗ। ଫିଲ୍ମଟି ଏପ୍ରିଲ୍ ୨୭ ତାରିଖରେ ରିଲିଜ୍ ହେବ।