ବେଶ୍‌ ପ୍ରଶଂସା ସାଉଁଟିବାରେ ଲାଗିଛି ସ୍ୱପ୍ନା-ଅନ୍ବେଷଙ୍କ ଅଭିନୀତ ୱେବ୍ ସିନେମା ‘ସୋସାଇଟି’

ଜାତୀୟ ସ୍ତରର ଓଟିଟି ପ୍ଲାଟ୍‌ଫର୍ମ ଏମ୍‌ଏକ୍ସ ପ୍ଲେୟାର ଓ ହଙ୍ଗାମାରେ ମୁକ୍ତିଲାଭ କରିଥିଛି ଓଡ଼ିଆ ଝିଅ ସ୍ବପ୍ନା ପତି ଓ ଓଡ଼ିଆ ପୁଅ ଅନ୍ବେଷଙ୍କ ଅଭିନୀତ ୱେବ୍ ସିନେମା ‘ସୋସାଇଟି’। ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ଏହି ଚଳଚ୍ଚିତ୍ରଟି ସାମ୍ପ୍ରତିକ ସମାଜର ଜାତିଗତ ବୈଷମ୍ୟ ତଥା ବାସ୍ତବତା ଉପରେ ଆଧାରିତ। ଧୀରଜ ସାର୍ଥକଙ୍କ ଦ୍ବାରା ନିର୍ଦ୍ଦେଶିତ ୩୦ ମିନିଟ୍‌ ଅବଧିର ଏହି ଫିଲ୍ମ ଦର୍ଶକଙ୍କୁ ଏକ ଭିନ୍ନ ସ୍ବାଦ ଦେବାରେ ଖୋରାକ ଯୋଗାଇଛି। ରାଜେଶ ମହାନ୍ତିଙ୍କ ପ୍ରଯୋଜିତ ଏଇ ଫିଲ୍ମଟି ବେଶ୍‌ ପ୍ରଶଂସା ସାଉଁଟିବାରେ ଲାଗିଛି।

ପୂର୍ବରୁ ରାଜେଶ ତାଙ୍କ ଏସ୍‌ଆର୍ ଏଣ୍ଟର୍‌ପ୍ରାଇଜ୍‌ ଓ ୨୪ ଏଫ୍‌ପିଏସ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ପ୍ରା.ଲି. ମାଧ୍ୟମରେ ଅନେକ ସାମାଜିକ ଗୁରୁତ୍ବ ବହନ କରୁଥିବା ଚଳଚ୍ଚିତ୍ର ନିର୍ମାଣ କରି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତିି। ଅନୁରୂପ ଭାବେ ଏହି ଚଳଚ୍ଚିତ୍ରଟି ମଧ୍ୟ ସାମାଜିକ ସମସ୍ୟା ଆଧାରିତ ବିଷୟବସ୍ତୁକୁ ନେଇ ନିର୍ମିତ। ଅନ୍ବେଷ ଏଥିରେ ଜଣେ ଅଧ୍ୟାପକ ଭୂମିକାରେ ଅଭିନୟ କରିଛନ୍ତି। ଜଣେ ଉଦାରବାଦୀ ହୋଇ ମଧ୍ୟ ଅତୀତରେ ଘଟିଥିବାଏମିତି କିଛି ସାମାଜିକ ଭେଦଭାବର ଯନ୍ତ୍ରଣା ତାଙ୍କ ହୃଦୟକୁ ବାରମ୍ବାର ଆଲୋଡ଼ିତ କରିଛି। ଅଭିନୟ ସହ ଅନ୍ବେଷ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ପରମ୍ପରାଗତ ଭାରତୀୟ ସଙ୍ଗୀତ ସାଙ୍ଗକୁ ପଶ୍ଚିମୀ ସଙ୍ଗୀତର ବିଭବକୁ ସେ ଏଥିରେ ମିଶ୍ରଣ କରିଛନ୍ତି ଯାହା ଦର୍ଶକଙ୍କୁ ବିମୁଗ୍ଧ କରୁଛି। ଆଜିକାଲିର ସଙ୍ଗୀତଠାରୁ ଭିନ୍ନତା ବଜାୟ ରଖିବାରେ ଏହା ସକ୍ଷମ ହୋଇଛି।

ଅପରପକ୍ଷେ ସ୍ବପ୍ନା ଜଣେ ଜଣାଶୁଣା ଅଭିନେତ୍ରୀ ଆଉ ସମାଜସେବୀ। ଏ.କେ. ବୀରଙ୍କ ଦ୍ବାରା ନିେର୍ଦ୍ଦଶିତ ‘ଅନ୍ତର୍ଧ୍ବନି’ରେ ଅଭିନୟ କରି ସେ ରାଜସ୍ଥାନ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଆ ଫିଲ୍ମ ‘ମାଲ୍‌ ମହୁ ଜୀବନ ମାଟି’ରେ ପ୍ରଭାବଶାଳୀ ଅଭିନୟ ତାଙ୍କୁ ଚର୍ଚ୍ଚା ଆଣିଦେଇଥିଲା। ଦୀର୍ଘ ୧୦ ବର୍ଷ ତଳେ ହର୍ବାଲ ହୋଲି ନାମରେ ସେ ଏକ ନିଆରା ଅଭିଯାନ ଆରମ୍ଭ କରିଥିଲେ ଯାହା ଏବେ ସାରା ଦେଶରେ ଆଦୃତ ହେବାରେ ଲାଗିଛି। ସ୍ବପ୍ନା ଏଥିରେ ଅଧ୍ୟାପକଙ୍କ ପତ୍ନୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସ୍ବାମୀଙ୍କୁ ଅତ୍ୟନ୍ତ ଭଲପାଇବା ସହ ବିଶ୍ବାସ କରୁଥିବା ଜଣେ ଶାନ୍ତ ସରଳ ମହିଳା ଚରିତ୍ରରେ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଛି। ଉଭୟ ସ୍ବପ୍ନା ଓ ଅନ୍ବେଷଙ୍କ ଘର ରାଉରକେଲା। ଅନ୍ବେଷ ଅତିରିକ୍ତ ରାଜସ୍ବ କମିସନର ଭାବେ କାର୍ଯ୍ୟରତ ଆଉ ମୁମ୍ବାଇରେ ଅବସ୍ଥାପିତ। ଚଳଚ୍ଚିତ୍ରରେ ମହେଶ ସରୋଜିନୀ ରଞ୍ଜନ ଚିତ୍ରୋତ୍ତୋଳନ କରିଥିବା ବେଳେ ସମ୍ପାଦନା କରିଛନ୍ତି ଚନ୍ଦନ କୁମାର। ପ୍ରଯୋଜକ ଏହି ଚଳଚ୍ଚିତ୍ରଟିକୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ ଲାଗି ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର