ଚର୍ଚ୍ଚାରେ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’, ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ରେ ଦର୍ଶକଙ୍କ ମନକିଣୁଛି

ଅଶ୍ଳୀଳ ଶବ୍ଦ ବ୍ୟବହାରକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ରରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଥିବା ବେଳେ ୱେବ୍‌ ସିରିଜ୍‌ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ର ଦର୍ଶକୀୟ ଅଦୃତି ବଢ଼ିଚାଲିଛି । ପୁରୀର ବହୁବର୍ଣ୍ଣା ଜୀବନଧାରାର ଭଲ-ମନ୍ଦକୁ ନେଇ ଗଢ଼ି ଉଠିଛି ଏହାର କାହାଣୀ। ଦେଶର ଏହି ପ୍ରାଚୀନ ଐତିହ୍ୟ ସହରର କଳା-ସଂସ୍କୃତି, ଜୀବନଶୈଳୀ ଓ ସ୍ବାର୍ଥ-ସଂଘର୍ଷର କାହାଣୀ ତୋଳିଧରିଛି ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’।

ଶ୍ରୀମନ୍ଦିର ପାଇଁ ପୁରୀ ପରିଚୟ ପାଉଥିବା ବେଳେ ପୁରୀର  ଜୀବନକୁ ଅତି ସରଳ ଢଙ୍ଗରେ ଓଡ଼ିଆ ଦର୍ଶକଙ୍କ ପାଖରେ ପହଞ୍ଚାଇଛି  ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’। ପୁରୀ ନିଜର ଧର୍ମୀୟ ପରମ୍ପରା ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ଵରେ ବେଶ୍ ପରିଚିତ ! ଅନ୍ୟପକ୍ଷରେ କିଛି ଅପରାଧିକ ଗ୍ୟାଙ୍ଗ ପୁରୀକୁ ନିଜ କବ୍ଜାରେ ରଖିବା ପାଇଁ ରକ୍ତର ହୋଲି ଖେଳୁଛନ୍ତି, ଯେଉଁଥି ପାଇଁ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଏହି ସିରିଜରେ ଉଭୟ ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଓ ଧର୍ମ-ଅଧର୍ମ ପରି ପରସ୍ପରର ପରିପନ୍ଥୀ ସତ୍ୟକୁ ସହଜ ଭାବେ ଦେଖେଇବାକୁ ଚେଷ୍ଟା କରିଛି ପୁରା ଟିମ୍।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହନ୍ତି, ପୁରୀ ଏକ ପ୍ରାଚୀନ ସହର। ଏହାର ଏଭଳି ଅନେକ ଦିଗ ଅଛି ଯାହା ବହୁଲୋକ ଜାଣିନାହାନ୍ତି। ପୁଣି ପୁରୀ ଏକ ପ୍ରସିଦ୍ଧ ସ୍ଥାନ ତେଣୁ ଆମେ ଭାବିଲୁ କି ପୁରୀର ସଂସ୍କୃତି ଓ ପରମ୍ପରା ଉପରେ ଫୋକସ୍ କରିବୁ। ପୁରୀର ଲୋକସଂସ୍କୃତି ବି ବହୁତ ପୁରୁଣା। ଯେମିତି ପୁରୀର ବୋଲି, ପଙ୍ଗତ, ଅଭଡ଼ା, ଜାଗାଘର ଓ କୁସ୍ତି ପରମ୍ପରା ବି ବେଶ୍ ଆକର୍ଷକ। ‌‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର କାହାଣୀ କେବଳ ଗ୍ୟାଙ୍ଗଙ୍କୁ ନେଇ ନୁହେଁ, ଏଥିରେ ଆହୁରି ଅନେକ ନୂଆ କଥା ରହିଛି।

‘‘ଗ୍ୟାଙ୍ଗସ୍ ଅଫ୍ ପୁରୀ’’ର କାହାଣୀ ଏମିତି ଗତିଶୀଳ ହୋଇଛି।  ଜନୈକ ବଙ୍ଗାଳୀ ହୋଟେଲ୍ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡେ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜୀବୀମାନଙ୍କ ବସ୍ତି ଉପରେ ! ମତ୍ସ୍ୟଜୀବୀମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ୍ ନିର୍ମାଣ କରିବା ପାଇଁ ସେ ଲୋଡନ୍ତି ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ !  ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ  ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବାବୁ ଜେନା । ବସ୍ତି ବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡା ହୋଇଥିବା ବାବୁ ଜେନା ବିରୁଦ୍ଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗ୍ ଷ୍ଟାର। ବାବୁ ଜେନା ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁ ଗ୍ୟାଙ୍ଗର ଗ୍ୟାଙ୍ଗୱାର। ପବିତ୍ର କ୍ଷେତ୍ର ପୁରୀ ଏକ ରକ୍ତାକ୍ତ ରଣକ୍ଷେତ୍ରରେ ପରିଣତ ହୁଏ!ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି କ୍ରିଷ୍ଣା କର,ଅମନ୍,ଚୌଧୁରୀ ଜୟ ପ୍ରକାଶ ଦାସ୍‌,ହର ରଥ, ରବି ମିଶ୍ର,ଅଙ୍କିତା ମହାନ୍ତି,ଭକ୍ତି ପ୍ରଣବ ରଥ,ଉଦିତ୍‌ ଗୁରୁ ଏବଂ ଆହୁରି ଅନେକ୍ କଳାକାର।

କ୍ରାଇମ୍ ଓ ଆକ୍ସନ୍‌ ଭରା ଏହି ୱେବ୍ ସିରିଜ୍‌ରେ ପୁରୀର  ସାହିସାହିରେ ଜନ୍ମ ନେଉଥିବା  ଗ୍ୟାଙ୍ଗଷ୍ଟାରମାନଙ୍କ ଜୀବନଯାତ୍ରାକୁ ଖୁବ୍ ନିଖୁଣ ଭାବେ ଦେଖାଯାଇଛି।ହେଲେ ସଂପୁର୍ଣ୍ଣ କାହାଣୀଟିରେ କେବଳ ରକ୍ତପାତ ନୁହେଁ, ପୁରୀ ସହରର ଆଧ୍ୟାତ୍ମିକତା,  ସଂସ୍କୃତି, ପ୍ରଥା-ପରଂପରା ଓ ବେଳାଭୂମିର ଆକର୍ଷକ  ଚିତ୍ର ସିରିଜ୍‌କୁ ଅଧିକ ଜୀବନ୍ତ କରି ଦେଇଛି ବୋଲି କହିଛନ୍ତି କଞ୍ଚାଲଙ୍କା”ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା ।

କାହାଣୀକୁ ଆହୁରି ବାସ୍ତବବାଦୀ କରିବା ପାଇଁ ପୁରୀ , କଟକ ଓ ଭୁବନେଶ୍ୱରରେ ସୁଟିଙ୍ଗ କରାଯାଇଛି ପୁରା ସିରିଜ୍ । ସମ୍ପୂର୍ଣ୍ଣ ସିରିଜ ପ୍ରସ୍ତୁତ ହେବାରେ ପାଖାପାଖି ଦୁଇବର୍ଷ ଲାଗିଯାଇଛି। ତେବେ କଞ୍ଚାଲଙ୍କାରେ “ଗ୍ୟାଙ୍ଗସ୍ ଅଫ୍ ପୁରୀ” ଷ୍ଟ୍ରିମିଙ୍ଗ ହେବା ପରେ ଅନେକ ଲୋକ ଏହାକୁ ବିରୋଧ କରିଛନ୍ତି। ୪ ଘଣ୍ଟାର ଏହି ସିରିଜରେ ବହୁ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଥିବା ଅନେକ ଅଭିଯୋଗ କରୁଥିବାବେଳେ ଟିମର କହିବା କଥା ପୁରୀବାସୀ ନିତିଦିନିଆ ଯେଭଳି କଥା ହୁଅନ୍ତି ସେହି ଶବ୍ଦ ହିଁ ବ୍ୟବହାର କରାଯାଇଛି।

ସମ୍ବନ୍ଧିତ ଖବର