ପ୍ରେମ ସପ୍ତାହକୁ ଅଧିକ ମଧୁମୟ କରିବା ଲାଗି ‘କିସି କା ଭାଇ କିସି କି ଜାନ୍’ ଚଳଚ୍ଚିତ୍ରର ନିର୍ମାତାଙ୍କ ପକ୍ଷରୁ ‘ନୈୟୋଁ ଲଗଦା’ ଗୀତଟିକୁ ବଜାରକୁ ଛଡ଼ାଯାଇଛି। ସଲମାନ ଖାନଙ୍କ ପ୍ରସିଦ୍ଧ ଟିଭି କାର୍ଯ୍ୟକ୍ରମ ‘ବିଗ୍ ବସ୍ ୧୬’ର ଗ୍ରାଣ୍ଡ୍ ଫିନାଲେ ଅବସରରେ ଏହି ରୋମାଣ୍ଟିକ୍ ଗୀତର ଶୁଭମୁକ୍ତି ନେଇ ଘୋଷଣା କରାଯାଇଥିଲା। ଲେହ ଓ ଲଦାଖର ସୁନ୍ଦର ଉପତ୍ୟକାରେ ସଲମାନ ଖାନ ଓ ପୂଜା ହେଗଡେଙ୍କ ନୃତ୍ୟାଭିନୟ ଦର୍ଶକ ମନରେ ପ୍ରେମର ନିଆରା ଛାପ ଛାଡ଼ିବାରେ ସଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି।

Advertisment

ଏମିତି ବି ଯେବେ ଯେବେ ସଲମାନଙ୍କ ଚଳଚ୍ଚିତ୍ରରେ ହିମେଶ ରେଶମିୟାଙ୍କ ସଂଗୀତର ପ୍ରୟୋଗ କରାଯାଇଛି ସେ ସବୁ ଗୀତ ଖୁବ୍ ଲୋକପ୍ରିୟ ହୋଇଛି। ‘ନୈୟୋଁ ଲଗଦା’ ଗୀତଟିକୁ ଶବିର ଅହମଦ ଲେଖିଥିବା ବେଳେ କମାଲ ଖାନ ଓ ପଲକ ମୁଚ୍ଛଲ ଏଥିରେ କଣ୍ଠଦାନ କରିଛନ୍ତି। ‘କିସି କା ଭାଇ କିସି କି ଜାନ୍’ ଏ ବର୍ଷ ଇଦ୍‌ ଅବସରରେ ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ। ଏଥିରେ ସଲମାନ ଓ ପୂଜାଙ୍କ ସମେତ ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ ଭେଙ୍କଟେଶ ଦଗ୍‌ଗୁବାତୀ, ଭୂମିକା ଚାଵଲା, ବିଜେନ୍ଦର ସିଂହ, ଶେହନାଜ ଗିଲ, ଅଭିମନ୍ୟୁ ସିଂହ, ସିଦ୍ଧାର୍ଥ ନିଗମ ବିଭିନ୍ନ ନିର୍ଣ୍ଣାୟକ ଭୂମିକାରେ ଅଭିନୟ କରିଛନ୍ତି।