ନୂଆଦିଲ୍ଳୀ: କିଛି  ମିସ୍‌ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀମାନଙ୍କ ଅଭିଯୋଗ ଶୁଣିଲେ ଆପଣ ଚକିତ ହୋଇଯିବେ। ମିସ୍‌ ୟୁନିଭର୍ସ ଇ‌ଣ୍ଡୋନେସିଆର ଏହି ପ୍ରତିଯୋଗୀମାନେ ସଂଗଠନର ଆୟୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ସେମାନେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ପ୍ରତିଯୋଗିତାର ଆୟୋଜକମାନେ ତାଙ୍କୁ ଟପ୍‌ଲେସ୍‌ ହେବାକୁ କହିଥିଲେ। କେବଳ ସେତିକି ନୁହେଁ, ପ୍ରତିଯୋଗୀମାନଙ୍କୁ ପୁରୁଷବିଚାରକମାନଙ୍କ ସାମ୍ନାରେ ନଗ୍ନ ହେବାକୁ ବି କୁହାଯାଇଥିଲା। ପ୍ରତିଯୋଗୀଙ୍କ ଶାରୀରିକ ‌ସୌନ୍ଦର୍ଯ୍ୟ ଆକଳନ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ଆୟୋଜକ କହିଥିଲେ।

Advertisment

ଗତ ଜୁଲାଇ ୨୯ରୁ ଅଗଷ୍ଟ ୩ ଭିତରେ ହୋଇଥିବା ଏହି ପ୍ରତିଯୋଗିତା ଇଣ୍ଡୋନେସିଆର ଜାକର୍ତ୍ତାରେ ହୋଇଥିଲା। ଅଭିଯୋଗକାରିଣୀମାନେ ସେମାନଙ୍କ ଅଭିଯୋଗରେ କହିଛନ୍ତି ଯେ ଶରୀର ପରୀକ୍ଷା ବା ବଡ଼ି ଚେକ୍‌ ପାଇଁ ପୁରୁଷ ବିଚାରକଙ୍କ ସମେତ ୨୦ ଜଣଙ୍କ ସାମ୍ନାରେ ସେମାନଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ କୁହାଯାଇଥିଲା।

ଅଭିଯୋଗକାରିଣୀମାନେ ପୁଲିସ୍‌ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ପ୍ରତିଯୋଗୀମାନଙ୍କ ଓକିଲ ମେଲିସା ଅଙ୍ଗଗ୍ରେନି କହିଛନ୍ତି ଯେ ଆୟୋଜକମାନେ ପ୍ରତିଯୋଗୀମାନଙ୍କୁ ଟପ୍‌ଲେସ୍‌ ହେବାକୁ କହିବା ସହ ଟପଲେସ୍ ହୋଇଥିବା ସମୟର ଫଟୋ ମଧ୍ୟ ଉଠାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମୁଦାୟ ୬ ଜଣ ପ୍ରତିଯୋଗୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ଏନେଇ ମିସ୍ ୟୁନିଭର୍ସ ସଂଗଠନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।  ମିସ୍ ୟୁନିଭର୍ସ ଯୌନ ଶୋଷଣକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେଇଥାଏ। ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଯୋଗାଇବା ହେଉଛି ମିସ୍ ୟୁନିଭର୍ସ ସଂଗଠନର ପ୍ରାଥମିକତା।