ମୁମ୍ବାଇ: ଭାରତର ପ୍ରଥମ ଫିଲ୍ମ ଭାବେ ଓସ୍କାର ୨୦୨୫ ପାଇଁ କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ମନୋନୀତ ହୋଇଛି | ଫିଲ୍ମଟି ଭାରତୀୟଙ୍କ ମନ କିଣିବା ପରେ ଏବେ ଓସ୍କାରରେ ବିଦେଶୀ ଦର୍ଶକଙ୍କ ମନ କିଣିବ ବୋଲି ଆଶା ରଖିଛନ୍ତି କିରଣ ରାଓ। ଏହି ଚଳଚ୍ଚିତ୍ରରେ ପ୍ରତୀଭା ରାଣ୍ଟା, ନିତାନ୍ସି ଗୋୟଲ, ସ୍ପର୍ଶ ଶ୍ରୀବାସ୍ତବ, ଛାୟା କଦମ ଏବଂ ରବି କିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନେତା ଆମୀର ନିଜେ ଏକ ଚରିତ୍ର କରିବାକୁ ଚାହୁଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଅଡିସନ ଦେଇଥିଲେ ବି ତାଙ୍କୁ ସେହି ଚରିତ୍ର ମିଳିନଥିଲା। ଏହା ପରେ ଫିଲ୍ମରେ ସେହି ଚରିତ୍ର କରିଥି‌ଲେ ଲୋକପ୍ରିୟ ଅଭିନେତା ରବି କିଶନ। 

Advertisment

ଏହି ଘଟଣା ବିଷୟରେ ଜଣାଇ ଆମୀର ଏକ ସାକ୍ଷାତକାରରେ କହିଛନ୍ତି ଯେ, “କାହାଣୀ ବାସ୍ତବରେ ବହୁତ ଭଲ ଥିଲା ଏବଂ ସେଥିରେ ଥିବା ଗୋଟାଏ ଚରିତ୍ର ମୋତେ ବହୁତ ପସନ୍ଦ ଆସିଥିଲା | ମୁଁ ଭାବିଲି ମୁଁ କିରଣଙ୍କୁ ଏହି କାହାଣୀ ବିଷୟରେ କହିବି, ବୋଧହୁଏ ସେ ଏହାକୁ ପସନ୍ଦ କରିବେ | ଏହା ପରେ ମୁଁ ତାଙ୍କୁ କାହାଣୀ ବିଷୟରେ କହିଥିଲି ଏବଂ ଏହି ଚଳଚ୍ଚିତ୍ରରେ ଏକ ଭୂମିକା କରିବାକୁ ଚାହୁଁଥିବା ଜଣାଇଥିଲି। ଏହା ଶୁଣି କିରଣ କହିଥିଲେ, 'ତୁମେ ଜଣେ ବଡ ଷ୍ଟାର । ମୋର ଫିଲ୍ମ ଛୋଟ । ତୁମେ ଏହାକୁ ଖରାପ କରିଦେବ। ମୁଁ କହିଲି, ଅନ୍ତତଃପକ୍ଷେ ମୋତେ ଏକ ସ୍କ୍ରିନ୍ ଟେଷ୍ଟ କରିବାକୁ ଦିଅ। ଏହା ପରେ ମୁଁ ଅଡିସନ ଦେଲି ଏବଂ ସମସ୍ତଙ୍କୁ ମୋ ଅଭିନୟ ପସନ୍ଦ ବି ଆସିଲା। କିନ୍ତୁ ଆମେ ଦୁହେଁ ଭୟ କରିଥିଲୁ ଯଦି ଜଣେ ଷ୍ଟାର ଭାବରେ ଲୋକେ ମୋଠାରୁ ଅଧିକ ଆଶା କରିବେ | ଏହା ପରେ ଆମେ ଅନୁଭବ କଲୁ ଯେ କୌଣସି ପରିସ୍ଥିତିରେ ମୋତେ ଏହି ଫିଲ୍ମରେ ରହିବା ଉଚିତ୍ ନୁହେଁ |"