ମୁମ୍ବାଇ: ବିଲିଉଡ୍ର ଜଣେ ସଫଳ ସିନେ ପ୍ରଯୋଜକ ଭାବେ ବୋନି କପୁର ବେଶ୍ ଜଣାଶୁଣା। ତାଙ୍କ ସଂପର୍କରେ ଆପଣ ଅନେକ ଚମତ୍କାର କଥା ସବୁ ଶୁଣିଥିବେ। ଚଳଚ୍ଚିତ୍ର ଦୁନିଆରୁ ନେଇ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ଟିକେ ରଂଗୀନ ମିଜାଜ୍ର। ସେ ନିଜର କ୍ୟାରିୟର୍, ପ୍ରେମ, ବିବାହ ଓ ପତ୍ନୀ ଶ୍ରୀଦେବୀଙ୍କୁ ନେଇ ଅନେକ ଥର ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି।
ନିକଟରେ ତାଙ୍କ ସଂପର୍କରେ ଏକ ମଜାଦାର କଥାର ଖୁଲାସା ହୋଇଛି। ଜାଣିବାକୁ ମିଳିଛି ଯେ ପିଲାଦିନେ ବୋନି ଏକ ଛୋଟିଆ କଥାକୁ ନେଇ ପରୀକ୍ଷା ଦେବାକୁ ଯାଇନଥିଲେ। ସେ ତାଙ୍କ ଚଳଚ୍ଚିତ୍ର ‘ମିଲି’ର ପ୍ରମୋସନ ପାଇଁ ଚଳଚ୍ଚିତ୍ରର ଅଭିନେତ୍ରୀ ତଥା ତାଙ୍କ ଝିଅ ଜାହ୍ନବୀ କପୁରଙ୍କ ସହ କପିଲ୍ ଶର୍ମାଙ୍କ ସୋ’କୁ ଆସିଥିଲେ।
ବୋନି ନିକଟରେ ତାଙ୍କର ସେ ସ୍ମୃତିକୁ ସମସ୍ତଙ୍କ ସହ ସେୟାର୍ କରିଛନ୍ତି। ସେ କହିଛନ୍ତି କି, ‘ପିଲାଟିଦିନରୁ ମୋତେ ଦହି ଖାଇବାକୁ ଭାରି ଭଲ ଲାଗେ। ମୋ ପାଇଁ ଏକ ପୃଥକ ଗିନାରେ ସବୁବେଳେ ଦହି ରଖା ଯାଇଥାଏ। ସେ ଦହିରେ ଟିକେ ବି ପାଣି ମିଶିନଥିବ କି ସେଥିରେ ଗୋଟାଏ ଗାର ବି ପଡ଼ିନଥିବ। ପୂରା ସଜଡ଼ା ହୋଇ ଗିନାରେ ଦହିଥାଏ, ମୁଁ ତାକୁ ଖାଏ। ଦିନେ ମୋ ମାଆ ଘରେ ନଥିଲେ। ସେ ଘରୁ ବାହାରକୁ ଯିବା ବେଳେ ଆମ ଗୃହ ସହାୟିକାଙ୍କୁ କହିଥିଲେ କି ମୋତେ ଦହି ଦେବା ପାଇଁ। ମୁଁ ପରୀକ୍ଷା ଦେବାକୁ ବାହାରିବା ବେଳେ ମୋ ଗୃହ ସହାୟିକା ମୋତେ ଆଣି ଦହି ଦେଲେ। ହେଲେ ମୁଁ ଯେପରି ଦହି ଖାଏ, ସେପରି ନଥିଲା। ମୁଁ ସେ ଦହିକୁ ଫୋପାଡ଼ି ଦେଇ କହିଲି ମୁଁ ପରୀକ୍ଷାକୁ ଯିବିନି।’