ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏବଂ ଆଦିତ୍ୟ ଠାକରେ କପୁରତାଲା ହାଉସରେ ପହଞ୍ଚିଥିଲେ। ବଲିଉଡର କିଛି ନାମିଦାମୀ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ତେବେ ନିର୍ବନ୍ଧ ସରିବା ପରେ ବର୍ତ୍ତମାନ ପରିଣୀତି ମୁମ୍ବାଇ ଫେରିଯାଇଛନ୍ତି।

Advertisment

ତେବେ ସେ ଦୁହିଁଙ୍କ ନିର୍ବନ୍ଧ ଏବେ ଚର୍ଚ୍ଚାରେ ରହିଥିବା ବେଳେ ପରିଣୀତି କହିଥିବା ଏକ କଥା ଏବେ ଖୁବ୍ ଜୋର୍‌‌ରେ ଚର୍ଚ୍ଚା ପାଲଟିଛି। ଅବଶ୍ୟ ଏହି କଥାଟି ସେ ଆଗକୁ କହିଥିଲେ। ତେବେ ରାଘବକୁ ନିଜ ଜୀବନସାଥୀ ଭାବେ ବାଛିବା ପରେ ପରିଣୀତିଙ୍କର ସେହି ପୁରୁଣା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ପରିଣୀତି କହୁଛନ୍ତି ଯେ ତା‌ଙ୍କୁ ତାଙ୍କ ବାପାଙ୍କ ପରି ଜୀବନସାଥୀ ଆଦୌ ବି ଦରକାର ନାହିଁ। ତାହା ପଛର କାରଣ ବି ସେ କହୁଛନ୍ତି। ପରିଣୀତିଙ୍କ କହିବା କଥା ହେଲା ତାଙ୍କ ବାପା ବହୁତ କଡ଼ା। ପୁଅମାନଙ୍କୁ ରୋଷେଇ ଘରେ ପଶିବାକୁ ଦିଅନ୍ତିନି ସେ। ତାଙ୍କ ଭାଇଙ୍କୁ ରୋଷେଇ ଘରକୁ ଯିବାକୁ ମନା କରନ୍ତି। ଏପରିକି କାନ୍ଦିବା ବି ତାଙ୍କ ବାପାଙ୍କୁ ପସନ୍ଦ ନୁହେଁ। କିଏ କାନ୍ଦିଲେ ସେ ବିରକ୍ତ ହୁଅନ୍ତି। ବାପାଙ୍କ ମଧ୍ୟରେ ଟିକେ ପୁରୁଷ ଅହଂକାର ରହିଛି, ଯାହାକି ସେ ନିଜ ଜୀବନସାଥୀ ଭିତରେ ‌ଦେଖିବାକୁ ଚାହାନ୍ତିନି। ଭିଡିଓଟି ‘ସତ୍ୟ ମୈବ ଜୟତେ’ର। ଏଥିରେ ପରିଣୀତିଙ୍କ ସହ ଆମୀର ଖାନ୍‌ ନଜର ଆସିଛନ୍ତି।