ଏଚଳଚ୍ଚିତ୍ର ଆରମ୍ଭ ହୁଏ ଋଚା (ସାନ୍ୟା ମଲହୋତ୍ରା) ନାମ୍ନୀ ନୃତ୍ୟପ୍ରିୟ, ଶିକ୍ଷିତା ଝିଅର ବିବାହ ପାଇଁ ତାଙ୍କ ମାଆ ରୋଷେଇ ଘରେ ପ୍ରସ୍ତୁତ କରୁଥିବା ବିଭିନ୍ନ ବ୍ୟଞ୍ଜନର ଲୋଭନୀୟ ଦୃଶ୍ୟରୁ। ଯୁବ ସ୍ତ୍ରୀରୋଗ ଡାକ୍ତର ଦିବାକର (ନିଶାନ୍ତ ଦାହିୟା)ଙ୍କ ପରିବାରକୁ ଋଚା ପସନ୍ଦ ଆସିବା ପରେ ଜାକଜମକରେ ବିବାହ ସଂପନ୍ନ ହୁଏ। ଶାଶୂଘରରୁ ଯିବା ପରେ ଋଚା ଧୀରେ ଧୀରେ ପୁରୁଷତାନ୍ତ୍ରିକ ପରିବାରରେ ସ୍ତ୍ରୀମାନଙ୍କ ଦାୟିତ୍ବ ସମ୍ପର୍କରେ ଅବଗତ ହୁଅନ୍ତି। ସାଧାରଣ ଭାବେ ଶାଶୂମାନେ ବୋହୂଙ୍କ ଅସୁଖୀ ବିବାହ ଜୀବନର କାରଣ ବୋଲି ଏକ ଧାରଣା (ଏହାର ପ୍ରବର୍ତ୍ତକ ଓ ପ୍ରଚାରକ ପୁରୁଷମାନେ ହୋଇଥିବାର ସନ୍ଦେହ ଚଳଚ୍ଚିତ୍ର ଆଗକୁ ବଢ଼ିବା ସହିତ ଦୃଢ଼ତର ହେବାକୁ ଲାଗେ) ଆମ ସମାଜରେ ବଳବତ୍ତର ଥିବାରୁ ପ୍ରଥମେ ଅନୁରୂପ ସନ୍ଦେହ ସୃଷ୍ଟି ହୁଏ। ଏହାର କାରଣ ହେଲା ସ୍ବାମୀ ଦିବାକର ଅଥବା ଶ୍ବଶୁର (କଵଁଲଜିତ ସିଂହ) ବୋହୂ ଉପରେ କୌଣସି ପ୍ରକାର ଚାପ ବା କ୍ରୋଧ ପ୍ରୟୋଗ କରିବାର ଦେଖାଯାଏ ନାହିଁ। ବାସ୍ତବରେ ଚଳଚ୍ଚିତ୍ର ଶେଷ ପର୍ଯ୍ୟନ୍ତ ପୁରୁଷମାନେ ଋଚା ପ୍ରତି ହିଂସ୍ର ଆଚରଣ ପ୍ରଦର୍ଶନ କରିବାର କୌଣସି ଦୃଶ୍ୟ ନାହିଁ। ତଥାପି ମୁକ୍ତିଲାଭ କରିବାର ଏକ ମାସ ମଧ୍ୟରେ ଏହି ସିନେମାକୁ ଏତେ ପ୍ରଶଂସା ଓ ସମାଲୋଚନା ମିଳୁଛି କାହିଁକି?
ଏହି ଜିଜ୍ଞାସା କାରଣରୁ ‘ମିସେସ୍’ ଦେଖିଥିବା ଭାରତୀୟ ପୁରୁଷମାନେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ। କାରଣ ଶିକ୍ଷିତ, ସଭ୍ୟ ଓ ସମ୍ମାନିତ ପରିବାରର ପରିଚୟ ତଳେ ଲୁଚାଇ ରଖାଯାଉଥିବା ଆବର୍ଜନା (ସିନେମାର ନିର୍ମଳ ରୋଷେଇଘର ବେସିନ୍ ତଳେ ଥୁଆ ହୋଇଥିବା ଆବର୍ଜନା ପାଣି ଭର୍ତ୍ତି ବାଲଟି ପରି)କୁ ଏହା ଆମ ସାମ୍ନାରେ ଆଣି ରଖିଦେଇଛି। ଋଚା ଚରିତ୍ରର ସୌନ୍ଦର୍ଯ୍ୟ ହେଲା ସେ (ଅଗଣିତ ଭାରତୀୟ ମହିଳାଙ୍କ ପରି) ପୂର୍ବାଗ୍ରହ ବିନା ଜଣେ ଗୃହିଣୀ ହେବାର ନିଷ୍ପତ୍ତି ନେଇଛି। ଶାଶୂ କିପରି ଘରର ପୁରୁଷମାନଙ୍କ ସର୍ବନିମ୍ନ ସୁବିଧା ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଅବିରତ ପରିଶ୍ରମ କରୁଛନ୍ତି, ତାହା ଅନୁକରଣ କରିବା ଋଚା ପାଖରୁ ଆଶା କରାଯାଉଛି। ସେ ଏହି ବ୍ୟବସ୍ଥା ସହ ଖାପ ଖୁଆଇବାକୁ ବି ସବୁପ୍ରକାର ଚେଷ୍ଟା କରୁଛି। ତା’ ସତ୍ତ୍ବେ ସାମାନ୍ୟ ଧନ୍ୟବାଦ ବା ସ୍ବୀକୃତିଭରା ହସ ବଦଳରେ ତାକୁ ଅପମାନ ମିଳୁଛି ଏବଂ ନୃତ୍ୟ ଶିକ୍ଷୟିତ୍ରୀ ହେବାର ଅନୁମତି ପ୍ରତିକ୍ରିୟାରେ ମିଳୁଛି ପ୍ରତ୍ୟାଖ୍ୟାନର ଶୃଙ୍ଖଳ। ଶେଷରେ ଋଚା ତା’ ଶାଶୂ ଭଳି ଏହି ଦାୟିତ୍ବର ଶିକୁଳି ସହିତ ବଞ୍ଚିବାର ଅଭ୍ୟାସ କରିନେବ ବା କରିନେବା ଉଚିତ କି?
ଏହାର ଉତ୍ତର ଯେ ନିରର୍ଥକ, ତାହା ଏହି ସିନେମାର ଶେଷ କିଛି ମିନିଟରେ ଅତି ନିଷ୍ଠୁର ଭାବେ ପ୍ରଘଟ ହୋଇଛି। କାହାଣୀରେ, ସାଧାରଣ ଭାବେ, ମୁଖ୍ୟ ଚରିତ୍ରର ମୃତ୍ୟୁ ଦ୍ବାରା ଦର୍ଶକ ମନରେ ଆଘାତ ସୃଷ୍ଟି କରାଯାଏ। କିନ୍ତୁ ଏଥିରେ ମୃତ୍ୟୁ ବଦଳରେ ତିଷ୍ଠି ରହିବାର କ୍ଷମତା ସବୁଠାରୁ ଭୟଙ୍କର ହୋଇଛି। ସେ କ୍ଷମତାର ଅଧିକାରୀ ହେଉଛି ପୁରୁଷତାନ୍ତ୍ରିକ ମାନସିକତା। ଦକ୍ଷିଣ ଭାରତର ମୌଳିକ କାହାଣୀର ବଲିଉଡ୍ ରିମେକ୍କୁ ଏହି ସ୍ତମ୍ଭରେ ଅନେକ ଥର ସମାଲୋଚନା କରାଯାଇଛି। କିନ୍ତୁ ୨୦୨୧ର େକରଳୀ ସିନେମା ‘ଦି ଗ୍ରେଟ୍ ଇଣ୍ଡିଆନ୍ କିଚେନ୍’ର ବାର୍ତ୍ତାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରସାର କରିଥିବାରୁ ‘ମିସେସ୍’ର ନିର୍ମାତାମାନେ ପ୍ରଶଂସାର ପାତ୍ର। ‘ମିସେସ୍’ର ଋଚା ଚରିତ୍ର ପ୍ରମାଣ ଯେ ସାନ୍ୟା ମଲହୋତ୍ରା ହେଉଛନ୍ତି ବଲିଉଡ୍ର ସର୍ବଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ‘ମିସେସ୍’ ଦେଖି ଝିଅମାନେ ବିବାହ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି କୁହାଗଲାଣି। ଏହା ଦେଖିବା ପରେ ଯେକୌଣସି ସମ୍ବେଦନଶୀଳ ପୁରୁଷ େସଭଳି ନିଷ୍ପତ୍ତି ନେଉଥିବା ମହିଳାଙ୍କ ସହ ସହମତ ନ ହେଲେ ବି ତା’କୁ ସମ୍ମାନ କରିବ।