ତିନି ଦଶନ୍ଧି ତଳର ଡିସ୍‌ନି ସିନେମା ‘ଦି ଲାୟନ୍‌ କିଙ୍ଗ୍‌’ ଏକ କିଂବଦନ୍ତି ଆନିମେସନ୍‌ ଚଳଚ୍ଚିତ୍ରର ମାନ୍ୟତା ବହନ କରିଆସିଛି। ଖୁବ୍ କମ୍ ଶିଶୁ ଥିବେ ଯେଉଁମାନେ ‘ସିମ୍ବା’ ନାମକ ସିଂହ ସହ ପରିଚିତ ନଥିବେ। ଏହି କାହାଣୀର ଚରିତ୍ରମାନଙ୍କ ପ୍ରସିଦ୍ଧି କାରଣରୁ ଏହାକୁ ପୁଣି ଥରେ ଉନ୍ନତ କମ୍ପ୍ୟୁଟର୍‌ ଆନିମେସନ୍‌ ସାହାଯ୍ୟର ପୁନଃନିର୍ମାଣ କରାଯାଇ ୨୦୧୯ରେ ମୁକ୍ତିଲାଭ କରାଯାଇଥିଲା। ସେ ସମୟରେ ତାହା ବିଶ୍ବର ସର୍ବାଧିକ ଆୟକାରୀ ଆନିମେସନ୍ ଚଳଚ୍ଚିତ୍ର ପାଲଟିଥିଲା। ବ୍ୟବସାୟ ଦୃଷ୍ଟିରୁ ନିର୍ମାତାଙ୍କ ଲାଗି ଏହାର ସିକ୍ବେଲ୍‌ (ପରବର୍ତ୍ତୀ ଭାଗ) ନିର୍ମାଣର ପରିକଳ୍ପନା ନିଶ୍ଚିତ ଭାବେ ଆକର୍ଷଣୀୟ ହୋଇଥିବ, ଯାହାର ଫଳଶ୍ରୁତି ହେଉଛି ‘ମୁଫାସା’। ରୋଚକ କଥା ହେଲା ଏହି ସିନେମା ଏକାବେଳେ ‘ଦି ଲାୟନ୍‌ କିଙ୍ଗ୍‌’ର ପ୍ରିକ୍ବେଲ୍‌ ଓ ସିକ୍ବେଲ୍‌ (ପୂର୍ବ ଓ ପର ଭାଗ)ର ଭୂମିକା ନିର୍ବାହ କରିଛି। ଆରମ୍ଭରେ ‘ସିମ୍ବା’ ଓ ‘ନାଲା’ ଏକ କନ୍ୟା ଶାବକ (କିଆରା)ର ପିତାମାତା ହେବା ପରେ ଦ୍ବିତୀୟ ସନ୍ତାନ ଜନ୍ମ ପାଇଁ କିଆରାକୁ ଟିମନ୍‌ (ଶ୍ରେୟସ ତଲପଡ଼େ) ଓ ପୁମ୍ବା (ସଂଜୟ ମିଶ୍ର) ପାଖରେ ଛାଡ଼ି ମରୁଦ୍ୟାନକୁ ଚାଲିଯାଉଛନ୍ତି। ଏହା ପରେ ରାଫିକି (ମକରନ୍ଦ ଦେଶପାଣ୍ଡେ) ଆସି ନାତୁଣୀତୁଲ୍ୟ କିଆରାକୁ ତା’ ଜେଜେବାପା ତଥା ‘ସିମ୍ବା’ର ପିତା ‘ମୁଫାସା’ର ଜୀବନ କାହାଣୀ କହିବା ଆରମ୍ଭ କରିଛନ୍ତି। 

Advertisment

ଶାବକ ‘ମୁଫାସା’ ଏକ ବନ୍ୟାରେ ନିଜ ପିତାମାତାଙ୍କ ପାଖରୁ ଭାସିଯାଇ ଏକ ଭିନ୍ନ ଦୁନିଆରେ ପହଞ୍ଚୁଛି ଏବଂ ସେଠାରେ ଆଉ ଏକ ସିଂହ ଦଳରେ ଆଶ୍ରୟ ନେଇ ନୂଆ ପରିବାରରେ ବଡ଼ ହେଉଛି। କ୍ରମେ ସେହି ଦଳର ରାଜକୁମାର ‘ଟାକା’ ସହ ଘନିଷ୍ଠ ଭ୍ରାତୃତ୍ବ,  ଶତ୍ରୁ ଦଳ ସହ ସଂଘର୍ଷ, ‘ସରାବୀ’ ନାମ୍ନୀ ସିଂହୀ ସହ ତ୍ରିକୋଣୀୟ ପ୍ରେମ, ସେହି କାରଣରୁ ଟାକା ସହ ଶତ୍ରୁତା ମୁଫାସାକୁ ରାଜା ହେବାର ଯେଉଁ ଜୀବନଯାତ୍ରାରେ ନେଇ ଯାଉଛି ତାହା ବଲିଉଡ୍‌ ସିନେମାର ଭ୍ରମ ସୃଷ୍ଟି କରିଥାଏ।

ପ୍ରାୟ ସବୁ ସିନେମା ମୂଳ ଭାଷାରେ ସବୁଠାରୁ ଅଧିକ ଉପଭୋଗ୍ୟ ହୋଇଥାଏ, କିନ୍ତୁ ‘ମୁଫାସା: ଦି ଲାୟନ୍ କିଙ୍ଗ୍‌’ ତାହାର ଏକ ବ୍ୟତିକ୍ରମ। ଏହାର ହିନ୍ଦୀ ସଂସ୍କରଣ ଏହି ସିନେମାକୁ ଦେଶୀ ଆବେଦନ ପ୍ରଦାନ କରିଛି। ‘ବଲିଉଡ୍‌ କିଙ୍ଗ୍‌’ ଶାହରୁଖଙ୍କ କନିଷ୍ଠ ସନ୍ତାନ ଅବରାମ ଶିଶୁ ମୁଫାସାର ସ୍ବର ଦେଇଥିବାବେଳେ ବଡ଼ ହେଲା ପରେ ଶାହରୁଖ ‘ଲାୟନ୍‌ କିଙ୍ଗ୍‌’ ମୁଫାସାର ସ୍ବର ପାଲଟିଛନ୍ତି। ମୁଫାସା ଭଳି ଏକ ପାରିବାରିକ, କରୁଣ, ରୋମାଣ୍ଟିକ୍‌ ଓ ବିଜ୍ଞ ଚରିତ୍ର ସହ ଶାହରୁଖଙ୍କ ସ୍ବର, ସଂଳାପ ଓ ଭାବମୂର୍ତ୍ତି ଏକାକାର ହୋଇଯାଇଛି। ଏଥିରେ ‘ମେଁ ହୁଁ ନା’ ପରି ସଂଳାପ ଶାହରୁଖଙ୍କ ସିନେମା ବିଷୟରେ ମନେ ପକାଇଦେଉଥିବା ବେଳେ ‘କଭି କଭି ଏକ ଖୁସ୍‌ବୁ ଆତୀ ହୈ, ଘର୍‌ କୀ’ ସଂଳାପରୁ ତାଙ୍କ ନିଜ ଜୀବନ କାହାଣୀର ଛାପ ପ୍ରତିଫଳିତ ହୋଇଛି। କେବଳ ଗୀତଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସବୁ ଦୃଶ୍ୟରେ ହିନ୍ଦୀ ଅନୁବାଦ ଚମତ୍କାର ହୋଇଛି।

ପୃଥିବୀ ଓ ପ୍ରକୃତିକୁ ଦେଖିବା ନେଇ ମଣିଷ ଠାରୁ ଯେ ଅଲଗା ଦୃଷ୍ଟିଭଙ୍ଗୀ ରହିଛି ତାହା ସିଂହଙ୍କ ଜରିଆରେ ଚମତ୍କାର ଭାବେ ପ୍ରଦର୍ଶିତ ହୋଇଛି। ସେଭଳି ଗୋଟିଏ ଦୃଶ୍ୟ ହେଲା ନିଜ ପରିବାର ଠାରୁ ବିଚ୍ଛିନ୍ନ ‘ମୁଫାସା’ ଯେତେବେଳେ ରାତି ଆକାଶରେ ସିଂହ ନକ୍ଷତ୍ରପୁଞ୍ଜ ଦେଖୁଛି। ଅନ୍ୟ କେତେକ ଦୃଶ୍ୟରେ ସିଂହମାନଙ୍କ ଆଘ୍ରାଣ ଶକ୍ତି ଓ ଶ୍ରବଣ ଶକ୍ତି କିପରି ଶିକାର କରିବାର ସହାୟକ ହୁଏ ତାହା ଦେଖାଯାଇଛି। ଛୋଟ ପିଲାଙ୍କ କଳ୍ପନାର ପରିସରକୁ ପରିବ୍ୟାପ୍ତ କରିବା ଦିଗରେ ଏଭଳି ଦୃଶ୍ୟ ସାହାଯ୍ୟ କରିବ। 

ବୈଷୟିକ ଦୃଷ୍ଟିରୁ ଏହି ଆନିମେସନ୍‌ ସିନେମା ଜଙ୍ଗଲର ଦୃଶ୍ୟ ଓ ପଶୁପକ୍ଷୀଙ୍କ ଚାଲିଚଳନକୁ ପ୍ରାକୃତିକ ରୂପ ଦେବା ଲାଗି ସୂକ୍ଷ୍ମାତିସୂକ୍ଷ୍ମ ଦିଗ ପ୍ରତି ଧ୍ୟାନ ଦେଇଛି। କିନ୍ତୁ ଏହାର କାହାଣୀ ପୁରୁଣା ‘ଦି ଲାୟନ୍‌ କିଙ୍ଗ୍‌’ ଭଳି ରୋମାଞ୍ଚକର ନୁହେଁ। ତଥାପି ଦୁଇଘଣ୍ଟିଆ ‘ମୁଫାସା: ଦି ଲାୟନ୍ କିଙ୍ଗ୍‌’ର ଆକର୍ଷଣୀୟ ଦୃଶ୍ୟ ଓ ଖାଁ ପରିବାରର ସ୍ବର ଦର୍ଶକଙ୍କୁ ବିଶେଷ ନିରାଶ କରିବ ନାହିଁ।