ମୁମ୍ବାଇ: କଥାରେ ଅଛି- ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ ଫକିର। ଅର୍ଥାତ ଧନ, ଯୌବନ ଓ ସଫଳତା କିିଛି ବି ଚିରସ୍ଥାୟୀ ନୁହେଁ। ସମୟ ଅନୁସାରେ ସବୁ ଫିକା ପଡ଼ିଯାଏ।  ରାନୁ ମଣ୍ଡଲଙ୍କଠାରୁ  ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ ପର୍ଯ୍ୟନ୍ତ ରାତାରାତି ଷ୍ଟାର ପାଲଟିଥିବା ଚର୍ଚ୍ଚିତ ଚେହେରାଙ୍କୁ ଆପଣ ମନେ ରଖିଥିବେ ନିଶ୍ଚୟ। ମାତ୍ର କିଛି ଦିନ ପରେ ସେମାନଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା। ସୋସିଆଲ୍ ମିଡିଆ ସେନସେସନ୍ ସହଦେବ ଦିର୍ଦୋ ଓ ଭୁବନ ବାଦ୍ୟକାରଙ୍କ ବିଷୟରେ ବି ଆପଣ ମନେ ରଖିଥିବେ ନିଶ୍ଚୟ।

Advertisment

୨୦୧୯ ମସିହାରେ ରାତାରାତି ଷ୍ଟାର୍‌ ପାଲଟିଥିଲେ ରାନୁ ମଣ୍ଡଲ। ଗୀତ ଗାଇ ରେଳ ‌ଷ୍ଟେସନ୍‌ରେ ଭିକ ମାଗିବାରୁ ନେଇ ବଲିଉଡ୍‌ରେ ହିମେଶ ରେସମିୟାଙ୍କ ସହ ଗୀତ ଗାଇବା ପର୍ଯ୍ୟନ୍ତ ରାନୁଙ୍କ ଯାତ୍ରା ବିଷୟ କାହାକୁ ଅଛପା ନାହିଁ। ସେ ସେହି ସମୟରେ ଯେଉଁ ‌ଲୋକପ୍ରିୟତା ପାଇଥିଲେ ତାହା ସମୟକ୍ରମେ ଢେର୍‌ ହ୍ରାସ ପାଇଛି। ପ୍ରଥମାବସ୍ଥାରେ ରାନୁଙ୍କୁ ଅନେକ ମଞ୍ଚରେ ଗାଇବାକୁ ଦେଖିବାକୁ ମିଳିଥିଲା। କିନ୍ତୁ ପରେ ସେ ଚମକ ହରାଇଥିଲେ।

ମାଲାୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ ଗୋଟାଏ ଆଖିମରା ଦୃଶ୍ୟ ପାଇଁ ଭାଇରାଲ୍‌ ହୋଇଥିଲେ। ସେ ସମୟରେ ଲୋକେ ତାଙ୍କୁ  ‘ୱିଙ୍କ୍‌ ଗାର୍ଲ’ ବୋଲି କହୁଥିଲେ।  ସେ ରାତାରାତି ଷ୍ଟାର୍‌ ପାଲଟିଥିଲେ। ଏବେ ବି ସେ ଫିଲ୍ମ କରୁଛନ୍ତି। ମାତ୍ର ତାଙ୍କର ଆଖି ମରା ଦୃଶ୍ୟ ପାଇଁ ସେ ଯେତିକି ଲୋକପ୍ରିୟ ହୋଇଥିଲେ ସେ‌ତିକି ଲୋକପ୍ରିୟତା ସେ ଫିଲ୍ମ ପାଇଁ ବି ହୋଇ ପାରିନାହାନ୍ତି।

‘ବଚପନ କା ପ୍ୟାର’ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ଛତିଶଗଡ଼ର ଶିଶୁ କଳାକାର ସହଦେବ ଦିର୍ଦୋଙ୍କ କଥା ଆପଣଙ୍କର ମନେଥିବ ନିଶ୍ଚୟ। ଏହି ଗୀତ ଗାଇ ଇଣ୍ଟର୍‌ନେଟରେ ସେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲେ। ଏବେ ତାଙ୍କର ଉପସ୍ଥିତି ଜାହିର କରିବାରେ ସେ ବିଫଳ।

ତେବେ କହିବା ଜରୁରୀ ନୁହେଁ ଯେ  ‘କାଚା ବାଦାମ’ ଗୀତ ଗାଇ ବାଦାମ ବିକ୍ରି କରୁଥିବା ଭୁବନ ବାଦ୍ୟକାର ସେହି ସମୟ‌ରେ ଖୁବ୍ ଭାଇରାଲ୍‌ ହୋଇଥିଲେ। ଏବେ ଆଉ ସେପରି ଲୋକେ ତାଙ୍କୁ ମନେ ରଖିନାହାନ୍ତି। ଏପରିକି ନିକଟରେ ସେ ଏକଥା କହିକି ମନ ଦୁଃଖ ବି କରୁଥିଲେ ଯେ ‘ମୁଁ ଅପାଠୁଆ ବୋଲି ଲୋକ ମୋ ଗୀତକୁ ନେଇ ମଜାକ ବନାଇଦେଲେ।’