ଦୁବାଇ: କିଛି ଦିନ ପୂର୍ବରୁ ପାକିସ୍ତାନୀ ଅଭିନେତା ଫାହାଦ୍ ମୁସ୍ତାଫା ଦୁବାଇରେ ଅନୁଷ୍ଠିତ ଏକ ଆୱାର୍ଡ ଶୋ’ରେ ଯୋଗ ଦେଇଥିଲେ। ଏହି ଆୱାର୍ଡ ଶୋ’ରେ ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଜଣାଶୁଣା ଚେହେରା ମଧ୍ୟ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ମଧ୍ୟ ଉପସ୍ଥିତ ଥିଲେ। ଏହି ଆୱାର୍ଡ ଶୋ’ରେ ପାକିସ୍ତାନୀ ଅଭିନେତା ଫାହାଦ୍ ମୁସ୍ତାଫାଙ୍କୁ ପ୍ରମିସିଙ୍ଗ ଷ୍ଟାର୍ ଅଫ୍ ପାକିସ୍ତାନ ପୁରସ୍କାର ପ୍ରଦାନ କରାଯାଇଥିଲା କିନ୍ତୁ ଫାହାଦ୍ ମୁସ୍ତାଫା ତାଙ୍କ ଆୱାର୍ଡ ପାଇବା ପାଇଁ ନୁହେଁ ବରଂ ବଲିଉଡ ତାରକା ଗୋବିନ୍ଦାଙ୍କ ପାଦ ଛୁଇଁବା ଓ ତାଙ୍କୁ ପ୍ରଶଂସା କରିବା କାରଣରୁ ଲାଇମଲାଇଟ୍ ରେ ରହିଥିଲେ।

Advertisment

ଫହାଦ୍ ମୁସ୍ତାଫା ତାଙ୍କ ଭାଷଣରେ ଗୋବିନ୍ଦାଙ୍କ ପାଇଁ କହିଥିଲେ, ‘ଯେତେବେଳେ ମୁଁ ଅଭିନୟ ଆରମ୍ଭ କଲି, ସେତେବେଳେ ମୁଁ ଗୋବିନ୍ଦା ସାରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲି। ସାର୍, ମୁଁ ଆପଣଙ୍କର ବହୁତ ବଡ ପ୍ରଶଂସକ ଏବଂ ଆମେ ପାକିସ୍ତାନରେ ଭାବୁ ଯେ ଯଦି ଆକ୍ଟିଂ କରିବାର ଅଛି ତାହେଲେ ଗୋବିନ୍ଦାଙ୍କ ପରି କରିବୁ । ତା’ପରେ ରଣବୀର ସିଂ ସାର୍ ଇଣ୍ଡଷ୍ଟ୍ରିରେ ଆସିଲେ, ମୁଁ ତାଙ୍କର ମଧ୍ୟ ଏକ ବଡ ପ୍ରଶଂସକ। ଅଭିନୟ ପାଇଁ ମୁଁ ଆପଣଙ୍କ ଠାରୁ ପ୍ରେରଣା ନେଇଛି। ଆଜି ଆପଣଙ୍କ ସହ ଏହି ଷ୍ଟେଜରେ ଠିଆ ହେଇଥିବାରୁ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି । ମୁଁ ଆଶା କରୁଛି ପାକିସ୍ଥାନ ଓ ଭାରତ ପୁଣି ଏକା ସହିତ ମିଶି ଭଲ କାମ କରିବେ ।’

ସୋସିଆଲ ମିଡିଆରେ ଏଥିପାଇଁ ଫହାଦ ମୁସ୍ତାଫାଙ୍କୁ ଲୋକମାନେ ବହୁତ ଟ୍ରୋଲ ମଧ୍ୟ କରିଥିଲେ । ଜଣେ ୟୁଜର୍ସ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଉପରେ କମେଣ୍ଟ ଦେଇ କହିଛନ୍ତି ଯେ ଫହାଦ ମୁସ୍ତାଫା ଆପଣ ଭୁଲି ଯାଇଛନ୍ତି ଯେ ସେ ଜଣେ ମୁସଲମାନ ନୁହଁନ୍ତି ଏବଂ ଆମେ ଏହିପରି କାର୍ଯ୍ୟ କରୁନାହୁଁ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଫାହାଦ୍ ମୁସ୍ତାଫା ଏହା କହିବା କିଛି ଜରୁରୀ ନଥିଲା ଆଉ ଠିକ୍ ମଧ୍ୟ ନଥିଲା ।

ଫହାଦ ମୁସ୍ତାଫା ପାକିସ୍ତାନର ଜଣେ ଟିଭି ଓ ଚଳଚ୍ଚିତ୍ର ଅଭିନେତା। ସେ 'ଜିତୋ ପାକିସ୍ଥାନ' ନାମକ ଏକ ଖେଳ ଶୋ’ ହୋଷ୍ଟ କରିବା ପାଇଁ ଖୁବ ପ୍ରସିଦ୍ଧ । ମୁସ୍ତାଫା କରାଚିର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବାକାଇ ମେଡିକାଲ ୟୁନିଭରସିଟିରୁ ଫାର୍ମାସିଷ୍ଟ ଅଧ୍ୟୟନ କରିଥିଲେ, କିନ୍ତୁ ଅଭିନୟରେ କ୍ୟାରିୟର କରିବା ପାଇଁ ସେ ମେଡିକାଲ୍ ଅଧ୍ୟୟନ ଅଧାରେ ଛାଡିଥିଲେ । ଫାହାଦ ମୁସ୍ତାଫା ପ୍ରଥମେ ସିରିଏଲ 'ଶୀଶେ କା ମହଲ'ରେ ନଜର ଆସିଥିଲେ। ୨୦୦୮ ମସିହାରେ, ସେ ଟେଲିଭିଜନ ପ୍ରଡକ୍ସନ ଜଗତରେ ପ୍ରବେଶ କରିଥିଲେ । ଫାହାଦ୍ ୨୦୧୪ ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। 'ନା ମାଲୁମ୍ ଆଫ୍ରାଦ' ଚଳଚ୍ଚିତ୍ରରେ ସେ ନିଜ ଡେବ୍ୟୁ କରିଥିଲେ। ଆଜିକାଲି ଫାହାଦ ମୁସ୍ତାଫା ନିଜ ଫିଲ୍ମ 'ବ୍ୟାଣ୍ଡ ତୋ ଅବ ବାଜେଗା'ରେ ବ୍ୟସ୍ତ ଅଛନ୍ତି। ଫହାଦ ମୁସ୍ତାଫାଙ୍କ ସୋସିଆଲ ମିଡିଆରେ ତିନି ଲକ୍ଷ ଫୋଲଅର୍ସ ଅଛନ୍ତି ।