ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ରାଜସ୍ଥାନର ମନିକା ବିଶ୍ୱକର୍ମା। ସେ ସୋମବାର ଅଗଷ୍ଟ ୧୮ରେ ଏହି ସମ୍ମାନଜନକ ମୁକୁଟ ଜିତିଥିଲେ। ଏହି ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ, ରାଜସ୍ଥାନର ମନିକା ବିଶ୍ୱକର୍ମା ବିଜୟୀ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି। ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ ହୋଇଥିବା ଜଣାଯାଇଛି।

Advertisment

ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନିକା ବିଶ୍ୱକର୍ମାଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ପିନ୍ଧାଇଥିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜୟିନୀ ରିଆ ସିଂହା। ସେ ତାଙ୍କୁ ମିଳିଥିବା ମୁକୁଟ ମନିକାଙ୍କୁ ପିନ୍ଧାଇଥିଲେ। ଜୁରି ସଦସ୍ୟମାନଙ୍କ ମଧ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ, ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା, ପ୍ରସିଦ୍ଧ ବଲିଉଡ୍ ଷ୍ଟାଇଲିଷ୍ଟ ଅସଲେ ରୋବେଲୋ, ବଲିଉଡ୍‌ର ପ୍ରସିଦ୍ଧ ଲେଖକ-ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ଭଳି ଲୋକପ୍ରିୟ ନାମ ସାମିଲ ଥିଲେ।

ମନିକା ରାଜସ୍ଥାନର ଶ୍ରୀଗଙ୍ଗାନଗରର ବାସିନ୍ଦା ଏବଂ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ୨୩ ବର୍ଷୀୟା ମନିକା ୨୦୨୪ ମସିହାରେ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେବ୍ୟୁ କରିଥିଲେ। ତାଙ୍କର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସଫଳତା ବ୍ୟତୀତ, ମନିକା ନ୍ୟୁରୋନୋଭାର ପ୍ରତିଷ୍ଠାତା ମଧ୍ୟ।

ଏହା ବ୍ୟତୀତ ମନିକା ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ବିମ୍ସଟେକ୍ ସେବୋକନରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କୁ ଲଳିତ କଳା ଏକାଡେମୀ ଏବଂ ଜେଜେ ସ୍କୁଲ ଅଫ୍ ଆର୍ଟସ୍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି। ଏହା ସହ ସେ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ।

ମନିକା ଏବେ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ, ଯାହା ନଭେମ୍ବର ୨୧, ୨୦୨୫ରେ ଥାଇଲ୍ୟାଣ୍ଡର ପାକ୍ କ୍ରେଟ୍‌ସ୍ଥିତ ଇମ୍ପ୍ୟାକ୍ଟ ଚ୍ୟାଲେଞ୍ଜର ହଲରେ ଅନୁଷ୍ଠିତ ହେବ।