ରାଜ୍ ବାହାଦୂର କିଏ?

ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ୫୧ତମ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’ ପାଇଁ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ବନ୍ଦ୍ବୀ ଅଭିନେତା ରଜନୀକାନ୍ତଙ୍କ ନାମ ଘୋଷଣା ହୋଇଛି। ଏହି ଅବସରରେ ସୁପରଷ୍ଟାର୍ ରଜନୀକାନ୍ତ ପୁରସ୍କାରର ସମସ୍ତ ଶ୍ରେୟ ଭାଇ ସତ୍ୟନାରାୟଣ ରାଓ ଗାୟକଵାଡ୍‌ଙ୍କଠାରୁ ଆରମ୍ଭ କରି ତାମିଲ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ତାଙ୍କ ପରାମର୍ଶଦାତା କେ. ବାଲାଚନ୍ଦର୍‌ଙ୍କୁ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମସ୍ତ ନାଁ ଭିତରେ ରଜନୀକାନ୍ତ ତାଙ୍କ ପୁରୁଣା ସାଙ୍ଗ ବସ୍‌ଚାଳକ ରାଜ୍ ବାହଦୂରଙ୍କୁ ଭୁଲି ନାହାନ୍ତି।

୭୦ ଦଶକରେ ରଜନୀକାନ୍ତ ଯେତେବେଳେ ବେଙ୍ଗାଲୁରୁରେ ବସ୍‌ର ରୁଟ୍ ୧୦ ଓ ୧୦ ‘ଏ’ର ଶ୍ରୀନଗରରୁ ମାଜେଷ୍ଟିକ୍ ପର୍ଯ୍ୟନ୍ତ କଣ୍ଡକ୍ଟର୍ ଭାବେ କାମ କରୁଥିଲେ, ସେତେବେଳେ ବସ୍‌ ଚାଳକ ରାଜ୍ ବାହାଦୂରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। କିଛି ବର୍ଷର ମିଳାମିଶା ମଧ୍ୟରେ ବାହାଦୂର ବନ୍ଧୁ ରଜନୀଙ୍କର ଅଭିନୟ କରିବାର ଇଚ୍ଛା ବିଷୟରେ ଜାଣିଥିଲେ। ଏହା ପରଠୁ ସେ ରଜନୀଙ୍କୁ ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥି‌ଲେ। ସେ ରଜନୀଙ୍କୁ ଚେନ୍ନାଇସ୍ଥିତ ଅଦ୍ୟାର୍ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌କୁ ପାଠ ପଢ଼ିବା ପାଇଁ ପଠାଇଥିଲେ। ଏପରିକି ତାଙ୍କର ଦୁଇବର୍ଷର କୋର୍ସ ଫି’ ପାଇଁ ବାହାଦୂର ତାଙ୍କ ଦୁଗ୍ଧଫ୍ୟାକ୍ଟ୍ରିରୁ ହେଉଥିବା ଆୟକୁ ରଜନୀକାନ୍ତଙ୍କୁ ଦେଇଥି‌ଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ, ନିଜର ପ୍ରତିଟି ଫିଲ୍ମ ମୁକ୍ତିଲାଭ କରିବା ପରେ ରଜନୀକାନ୍ତ ବାହାଦୂରଙ୍କ ଘରକୁ ଆସି ତାଙ୍କୁ ଦେଖା କରନ୍ତି।

ସେହିଭଳି ୨୦୧୪ରେ ରଜନୀକାନ୍ତ ଓ ରାଜ୍ ବାହାଦୂରଙ୍କ ବନ୍ଧୁତାକୁ ନେଇ କନ୍ନଡ଼ ଭାଷାରେ ​​‘ଵାନ୍ ୱେ’ ଏବଂ ତାମିଲ୍ ଭାଷାରେ ‘ଓରୁ ଭାଜି ସାଲାଇ’ ମୁକ୍ତିଲାଭ କରିଥା’ନ୍ତା। ଏନେଇ ସେତେବେଳେ ବାହାଦୂର୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ରଜନୀଙ୍କ ଆଗାମୀ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ମାତ୍ର ଏହାର ମୁକ୍ତିଲାଭ ସମ୍ପର୍କରେ ବର୍ତ୍ତମାନ ଉଭୟ ରଜନୀ ଓ ବାହାଦୂରଙ୍କଠାରୁ କୌଣସି ସୂଚନା ମିଳି ପାରିନାହିଁ। ତେବେ ପୂର୍ବରୁ ବାହାଦୂର ସାଙ୍ଗ ରଜନୀଙ୍କ ‘ଭଲ୍ଲି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିପାଇଁ ରଜନୀ ମଧ୍ୟ ତାଙ୍କୁ ୨ଲକ୍ଷ ଟଙ୍କାର ପାରିଶ୍ରମିକ ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର