ମୁମ୍ବାଇ: ଗତକାଲି ଅର୍ଥାତ, ଅକ୍ଟୋବର ୧୧ ତାରିଖ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଥିଲା। ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ବିଗ୍ ବିଙ୍କ ଜନ୍ମଦିନରେ ବିଶ୍ବ ସୁନ୍ଦରୀ ବୋହୂ ଐଶ୍ବର୍ଯ୍ୟା ରାୟଙ୍କ ପୋଷ୍ଟ୍କୁ ପ୍ରଶଂସକଙ୍କ ଅପେକ୍ଷା ରହିଥିଲେ। ଶଶୁରଙ୍କ ଜନ୍ମଦିନରେ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇବାର ସୁଯୋଗକୁ ନୀଳନୟନା ଆଦୌ ବି ହାତଛଡ଼ା କରିନାହାନ୍ତି। ସେ ଅମିତାଭ ଓ ଝିଅ ଅରାଧ୍ୟାଙ୍କର ଏକ ଫଟୋ ପୋଷ୍ଟ୍ କରି ଶଶୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ତେବେ ଅଭିନେତ୍ରୀଙ୍କର ଏହି ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ସାମାଲୋଚନାର ପରିସର ଭିତରକୁ ଆସିଛି। ଫଟୋକୁ ଦେଖିବା ପରେ ଐଶ୍ବର୍ଯ୍ୟା ଓ ଶାଶୂ ଜୟା ବଚ୍ଚନଙ୍କ ସଂପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଐଶ୍ବ ଫଟୋରୁ ତାଙ୍କ ଶାଶୂଙ୍କୁ କ୍ରପ୍ କରି କେବଳ ଶଶୁର ଅମିତାଭ ଓ ଝିଅର ଅରାଧ୍ୟାର ଫଟୋ ରଖିଛନ୍ତି।
ଐଶ୍ବର୍ଯ୍ୟାଙ୍କ ପୂର୍ବରୁ ବିଗ୍ ବିଙ୍କ ନାତୁଣୀ ନବ୍ୟା ନନ୍ଦା ବି ସମାନ ଫଟୋ ପୋଷ୍ଟ୍ କରି ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କେବଳ ସେ ନୁହଁନ୍ତି ଅମିତାଭ ଓ ଜୟାଙ୍କ ଝିଅ ଶ୍ବେତା ନନ୍ଦ ବି ସମାନ ଫଟୋ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇଥିବା ବେଳେ ଐଶ୍ବର୍ଯ୍ୟା ଫଟୋଟିକୁ କ୍ରପ୍ କରିଥିବାରୁ ସମାଲୋଚିତ ହୋଇଛନ୍ତି। ଫଟୋରେ ପୂର୍ବରୁ ବିଗ୍ ଓ ନାତୁଣୀ ଅରାଧ୍ୟାଙ୍କ ବ୍ୟତୀତ ଜୟା, ନବ୍ୟା ଓ ତାଙ୍କ ଭାଇ ଅଗସ୍ତ୍ୟ ମଧ୍ୟ ଥିଲେ।
ବ୍ୟବହାରକାରୀମାନେ ଐଶ୍ବଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ପ୍ରଥମରୁ ହିଁ ଫଟୋ ସୋସିଆଲ୍ ମିଡିଆରେ ଅଛି ତ କ୍ରପ୍ କରି ଦେବାର କ’ଣ ଆବଶ୍ୟକତା ପଡ଼ିଗଲା? ଅନ୍ୟ ଜଣେ ଲେଖିଛନ୍ତି, ‘ଯଦି କେବଳ ଆରାଧ୍ୟା ଓ ଅମିତାଭଙ୍କ ଫଟୋ ପୋଷ୍ଟ୍ କରିବାକୁ ଥିଲା ତ କିଛି ଭିନ୍ନ ଫଟୋ ପୋଷ୍ଟ୍ କରି ପାରିଥାନ୍ତ।’