ମୁମ୍ବାଇ: ଦେଶର ବଡ଼ ରିୟାଲିଟି ସୋ’ ‘କୌନ୍ ବନେଗା କରୋଡପତି’ର ହୋଷ୍ଟ୍ କରୁଥିବା ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କୁ ନେଇ ପୂର୍ବରୁ ଆମେ ଅନେକ କଥା ଶୁଣିଛେ। ପ୍ରତିଯୋଗୀମାନଙ୍କୁ ମଜାରେ ମଜାରେ ସୋ’ରେ ସହଜ ଅନୁଭବ କରାଇବାରେ ବେଶ୍ ପାରଙ୍ଗମ ବିଗ୍ ବି ଅମିତାଭ। ପୂର୍ବରୁ ତାଙ୍କୁ ନେଇ ଅନେକ ମଜାଦାର କଥା ପ୍ରକାଶ ପାଇଛି। ନିକଟରେ ପ୍ରକାଶ ପାଇଥିବା ଏକ ଖବରଟି ବେଶ୍ ଖାସ।
ଜାଣିବାକୁ ମିଳିଛି ଯେ ‘କୌନ୍ ବନେଗା କରୋଡପତି’ର ସଜିନ୍-୧୨ରେ ଭାଗ ନେଇଥିବା ପ୍ରତିଯୋଗୀ ଅଭିଲାଷା ରାଓ କଲ୍ୱାଙ୍କୁ ତାଙ୍କ ନାଁରେ ନ ଡାକି ପୂରା ସୋ’ ଯାକ ‘ସାର୍ ମାଡାମ୍’ ବୋଲି ସମ୍ବୋଧନ କରିଥିଲେ ଅମିତାଭ। ଏହା ପଛରେ ରହିଛି ଏକ ରୋଚକ କହାଣୀ।
ମଧ୍ୟପ୍ରଦେଶର ପ୍ରତିଯୋଗୀ ଅଭିଳାଷା ସୋ’ରେ ନିଜ ସଂପର୍କିତ ଏକ ପ୍ରସଂଗ ଉଠାଇଥିଲେ। ଅଭିଳାଷା କହିଥିଲେ କି ସେ ଜଙ୍ଗଲ ରେଞ୍ଜ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଚାକିରିରେ ଆସୁଥିବା ସମସ୍ତ ଚ୍ୟାଲେଞ୍ଜ୍କୁ ସେ ଗ୍ରହଣ କରିଥିବା କଥା ସୋ’ରେ କହିବା ସହ ବନ୍ୟପ୍ରାଣୀମାନଙ୍କୁ ମୁକାବିଲା କରିବା କଥା ମଧ୍ୟ ପ୍ରକାଶ କରିଥିଲେ ଅଭିଳାଷା।
ଅଭିଳାଷା ଅମିତାଭଙ୍କୁ କହିଥିଲେ କି ସେ ଏକ ପୁରୁଷ ପ୍ରାଧାନ୍ୟ ପରିସରରେ ଚାକିରିରେ ଯୋଗ ଦେଇଥିବା କାରଣରୁ ଯେଉଁମାନେ ତାଙ୍କୁ କଲ୍ କରୁଥିଲେ ଶେଷରେ ସେମାନଙ୍କ ପାଟିରୁ ସାର୍ ବାହାରି ପଡୁଥିଲା। ଧିରେ ଧିରେ ତାଙ୍କୁ ସମସ୍ତେ ‘ସାର୍ ମ୍ୟାଡାମ୍’ ଡାକିବା ଆରମ୍ଭ କରିଦେଲେ। ଏହି କାରଣରୁ ବିଗ୍ ବି ମଧ୍ୟ ଅଭିଳାଷାଙ୍କୁ ସୋ’ ଯାକ ଏହି ନାମରେ ଡାକିଥିଲେ।