ପ୍ରଯୋଜକ ରମେଶ ବାରିକଙ୍କ ନୂଆ ସିନେମା ‘ଆଜିର ରେବତୀ’ ପୂଜାକୁ ଆସିବାର ଥିଲା। କିନ୍ତୁ ତାହା ଆସିପାରି ନଥିଲା। ଏହାର କାରଣ ସଂପର୍କରେ ସିନେପ୍ରେମୀ ନିଶ୍ଚିତ ଜାଣିବାକୁ ଚାହିଁବେ। ଏନେଇ ପ୍ରଯୋଜକ ରମେଶ ବାରିକ କହିଛନ୍ତି, ‘ଆଜିର ରେବତୀ’ର କିଛି ଦୃଶ୍ୟର ପୁନଃ ଚିତ୍ରଗ୍ରହଣ କରାଯାଇଛି। ଏହି କାରଣରୁ ପୂର୍ବ ନିର୍ଦ୍ଧାରିତ ଦଶହରା ଅବସରରେ ଏହା ମୁକ୍ତିଲାଭ କରିପାରିଲାନାହିଁ। ତେବେ ଇତିମଧ୍ୟରେ ସିନେମାର ସମସ୍ତ ସୁଟିଂ ସରିଛି। ଏବେ ଏହାର ପୋଷ୍ଟ୍ ପ୍ରଡକସନ୍ କାମ ଚାଲିଛି। ଚଳିତବର୍ଷ ଏହା ମୁକ୍ତିଲାଭ କରିବ।
ଆର୍ ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍ ବ୍ୟାନର୍ରେ ନିର୍ମିତ ହେଉଥିବା ଏହି ଦ୍ବିଭାଷୀ (ଓଡ଼ିଆ-ବଙ୍ଗଳା) ଛବିର ନିର୍ଦ୍ଦେଶକ ହେଲେ‘ପୁଷ୍କରା’ ଫେମ୍ ଶୁଭ୍ରାଂଶୁ ଦାସ। ଶୁଭ୍ରାଂଶୁ ତାଙ୍କ ପ୍ରଥମ ସିନେମା ‘ପୁଷ୍କରା’ର ବି କିଛି ସିନ୍ ରିସୁଟ୍ କରିଥିଲେ, ଯେଉଁଥିଲାଗି ‘ପୁଷ୍କରା’ର ରିଲିଜ୍ ବିଳମ୍ବିତ ହୋଇଥିଲା। ଏହା ଅବଶ୍ୟ ଭିନ୍ନ କଥା ଯେ ସବ୍ୟସାଚୀ-ସୁପ୍ରିୟା ଷ୍ଟାରର୍ ‘ପୁଷ୍କରା’କୁ ବିପୁଳ ବ୍ୟାବସାୟିକ ସଫଳତା ମିଳିଥିଲା।
ଉଲ୍ଲେଖଯୋଗ୍ୟ, ‘ଆଜିର ରେବତୀ’ରେ ବଙ୍ଗୀୟ ନାୟକ ବନ୍ନି ସେନଗୁପ୍ତ, ଶୀତଲ୍, ପୃଥ୍ବୀରାଜ ନାୟକ, ଉଷସୀ ମିଶ୍ର ଓ ପୁଷ୍ପା ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବଦ୍ରି ମିଶ୍ରଙ୍କ କାହାଣୀ ଆଧାରିତ ଏହି ସିନେମାର ସଂଳାପକାର ହେଲେ ଶ୍ୟାମା ପ୍ରସାଦ ମିଶ୍ର। ପ୍ରେମ୍ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।