ନିକଟରେ ମୁକ୍ତିଲାଭ କରିଥିବା ସନ୍ତୋଷ ବିଶ୍ବାଳଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ କମ୍‌ଜୋରୀ’ରେ ନାୟିକା ଭୂମିକାରରେ ନଜର ଆସିଛନ୍ତି ଲିପିକା ସେନାପତି। ଆଗରୁ ତାଙ୍କୁ ଦର୍ଶକ ‘ଉହାନରୁ ଓଡ଼ିଶା’, ‘ପ୍ରେମ ଏଟିଏମ୍’ ଓ ‘ତୁ ସେଇ ନୀଳନୟନା’ ଆଦି ସିନେମାରେ ଦେଖିସାରିଛନ୍ତିି। ୨୦୧୭ରେ ମୁକ୍ତିଲାଭ କରିଥିବା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ପୁଣିଥରେ’ରେ ପ୍ରଥମେ ବଡ଼ ପରଦାରେ ନଜର ଆସିଥିଲେ ଲିପିକା। ଅରିନ୍ଦମ ଓ ଏଲିନା ଏଥିରେ ନାୟକ-ନାୟିକା ଭୂମିକାରେ ଥିବାବେଳେ ତାଙ୍କୁ ନାୟକଙ୍କ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଥିଲା।

Advertisment

ତେବେ ନାୟିକା ଭାବେ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲା ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ। ଏହାର ଟେଲିସିନେମା ‘ଟ୍ବିଷ୍ଟୱାଲା ଲଭଷ୍ଟୋରି’ରେ ଲିପିକା ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ଶୁଭାଶିଷ ଓରଫ୍ ମଣ୍ଟୁ। ଏହାପରେ ଏ ଯାବତ୍ ପାଞ୍ଚଟି ଟେଲିସିନେମାରେ ନଜର ଆସିଛନ୍ତି ଲିପିକା। ସେଗୁଡ଼ିକ ହେଲା, ଅଶ୍ବିନୀ ଗଡ଼ନାୟକଙ୍କ ନିର୍ଦ୍ଦେଶିତ ‘ମିଷ୍ଟର୍ ରୋମିଓ’, ପିନୁ ନାୟକଙ୍କ ନିର୍ଦ୍ଦେଶିତ ‘ଯଥା ରାବଣସ୍ୟ ମନ୍ଦୋଦରୀ’, ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ପାରି କରିବେ ଭୋଳାଶଙ୍କର-୨’ ଓ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୂଷା ମୋର ରଜନୀକାନ୍ତ’। ଏଥିମଧ୍ୟରୁ ‘ମିଷ୍ଟର୍ ରୋମିଓ’ ଓ ‘ଯଥା ରାବଣସ୍ୟ ମନ୍ଦୋଦରୀ’ରେ ଦୀପକ, ‘ପାରି କରିବେ ଭୋଳାଶଙ୍କର-୨’ରେ ରାକେଶ ଓ ‘ମୂଷା ମୋର ରଜନୀକାନ୍ତ’ରେ ଅଭିଜିତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ। 

ତେବେ କ୍ରମାଗତ ଭାବେ ଟେଲିସିନେମାରେ କାହିଁକି ଅଭିନୟ କଲେ ବୋଲି ପ୍ରଶ୍ନରେ ଲିପିକା କହନ୍ତି, ‘‘ମୁଁ ଯେଉଁ ସମୟରେ ଲିଡ୍ ରୋଲ୍ ପାଇଲି, ସେ ସମୟରେ କୋଭିଡ୍ ଆସିଗଲା। ସେତେବେଳେ ହଲ୍‌ରେ ସିନେମା ରିଲିଜ୍ କରିବାର ସୁଯୋଗ ନ ଥିଲା। ଏଣୁ ନିର୍ମାତାମାନେ ଟେଲିସିନେମା ନିର୍ମାଣ କଲେ ଏବଂ ସେଗୁଡ଼ିକର ଛୋଟ ପରଦାରେ ପ୍ରିମିଅର୍ ହେଲା। ଆଉ ମୋତେ ଯେହେତୁ ଲଗାତାର ଭଲ ଭଲ ଟେଲିସିନେମାର  ଅଫର୍ ମିଳିଲା, ମୁଁ ଗ୍ରହଣ କରିନେଲି। ତେବେ ଓଲିଉଡ୍‌ର ଦକ୍ଷ ନିର୍ଦ୍ଦେଶକମାନଙ୍କ ସହ କାମ କରିବାର ସୁଯୋଗ ମିଳିଲା, ଯାହା ମୋତେ ଅଭିନୟ କ୍ଷେତ୍ରରେ ଆଗକୁ ଯିବା ଲାଗି ପ୍ରେରିତ କଲା। ଆଗକୁ ଭଲ ଟେଲିସିନେମା ମିଳିଲେ କାମ ଜାରି ରଖିବି।’’