ମୁମ୍ବାଇ: ଆପଣ ଜାଣନ୍ତି ଯେ ଏବେ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’। କରୋନା ମହାମାରୀ ପରେ ଏହା ହଉଛି ପ୍ରଥମ ଚଳଚ୍ଚିତ୍ର, ଯାହାକି ୧୦୦ କୋଟିର ବେପାର କରିବାରେ ସମର୍ଥ ହୋଇଛି। ଚଳଚ୍ଚିତ୍ରଟିକୁ ପ୍ରଶଂସକ ଓ ସମାଲୋଚକ ସମସ୍ତେ ପସନ୍ଦ କରିଛନ୍ତି। ବହୁ ବଲିଉଡ୍ ସେଲିବ୍ରେଟି ଚଳଚ୍ଚିତ୍ର ଉପରେ କମେଣ୍ଟ୍ ଦେଇଥିବା ବେଳେ ଏହି ଚଳଚ୍ଚିତ୍ରର ବ୍ୟବସାୟକୁ ନେଇ ଈର୍ଷା ଅନୁଭବ କରନ୍ତି ବୋଲି କହିଛନ୍ତି ଅଭିନେତା ଆର୍ ମାଧବନ୍।
ମାଧବନ୍ ତାଙ୍କ ଅଫିସିଆଲ୍ ଟ୍ବିଟର୍ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ଏହା ଅବିଶ୍ବସନୀୟ। ମୁଁ ଚଳଚ୍ଚିତ୍ରକୁ ନେଇ ଈର୍ଷାନ୍ବିତ ଓ କାଶ୍ମୀର ଫାଇଲ୍ସର ଟିମ୍କୁ ନେଇ ଗର୍ବିତ ମଧ୍ୟ।’ ସେ ତାଙ୍କ ଟ୍ବିଟ୍ରେ କାଶ୍ମୀର ଫାଇଲ୍ସର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଦିନର ବକ୍ସଅଫିସ୍ କଲେକସନ୍ ନେଇ ହୋଇଥିବା ଅନ୍ୟ ଜଣଙ୍କ ଟ୍ବିଟ୍କୁ ରି-ଟ୍ବିଟ୍ କରି ଏପରି ଲେଖିଛନ୍ତି।
This Is incredible and unprecedented .. so very jealous 😂😂and at the same time VERY proud and happy for Team #TheKashmir files. https://t.co/5zY9AgoTtc
— Ranganathan Madhavan (@ActorMadhavan) March 17, 2022
ଏପଟେ ‘ଦି କାଶ୍ମୀର୍ ଫାଇଲ୍ସ୍’ ଚଳଚ୍ଚିତ୍ରର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ‘ୱାଇ’ ବର୍ଗର ସୁରକ୍ଷା ମଞ୍ଜୁର ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ସେହି ଅନୁସାରେ, ସମଗ୍ର ଭାରତରେ ନିର୍ଦେଶକ ଅଗ୍ନିହୋତ୍ରୀଙ୍କ ସୁରକ୍ଷା ‘ସିଆର୍ପିଏଫ୍’ ପକ୍ଷରୁ ଯୋଗାଇ ଦିଆଯିବ। ଅର୍ଥାତ୍ ଦେଶ ମଧ୍ୟରେ ସେ ଯେଉଁ ଆଡ଼କୁ ଯିବେ ସୁରକ୍ଷା ଦେବା ପାଇଁ ତାଙ୍କ ସହ ‘ସିଆର୍ପିଏଫ୍’ ଯବାନ ଯିବେ।
‘ଦି କାଶ୍ମୀର୍ ଫାଇଲ୍ସ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ଏହାର ନିର୍ଦେଶକଙ୍କ ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ଆଧାର କରି ଉପରୋକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା କଥା ଜଣାପଡ଼ିଛି। ଅଗ୍ନିହୋତ୍ରୀଙ୍କୁ ‘ଭିଆଇପି’ ନିରାପତ୍ତା ଯୋଗାଇ ଦିଆଯିବା ଉଚିତ ବୋଲି କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସୁପାରିସ କରିଥିଲା।