ଗତକାଲି ଏ ବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ଆଶ୍ରମ’ ମୁକ୍ତିଲାଭ କରିଛି। ତପନ କୁମାର ଦାଶଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିରେ ଦର୍ଶକ ମହାଶ୍ବେତା ରାୟ, ଅଭିଷେକ ଗିରି, ସୂର୍ଯ୍ୟମୟୀ, ନବାଗତ ସୌମ୍ୟ, ତନୁଶ୍ରୀ, ଶ୍ବେତା ଆଚାର୍ଯ୍ୟ, ଶଙ୍କର, ପ୍ରଶାନ୍ତ ପାତ୍ର ଓ ତୁଷାର ଆଚାର୍ଯ୍ୟ ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇଛନ୍ତି। ହେଲେ ଏଥିରେ ଓଲିଉଡ୍‌ର ଲୋକପ୍ରିୟ ନାୟିକା ଭୂମିକାଙ୍କୁ ଖୋଜିଛନ୍ତି ସିନେପ୍ରେମୀ। ଭୂମିକା ନିର୍ମାତା ତପନ କୁମାର ଦାଶଙ୍କ ସହ ହାଟ୍ରିକ୍ କରିବେ ବୋଲି ସେମାନେ ଆଶା ରଖିଥିଲେ। କାରଣ ଏହି ପ୍ରଯୋଜକଙ୍କ ପୂର୍ବ ଦୁଇଟି ସିନେମା ‘ଚକ୍ଷୁବନ୍ଧନ’ ଓ ‘ମାୟାବୀ’ରେ ନାୟିକା ଭୂମିକାରେ ନଜର ଆସିଥିଲେ ସେ। ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶିତ ‘ଚକ୍ଷୁବନ୍ଧନ’ରେ ସେ ରାଜ ରାଜେଶଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସେହିପରି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମାୟାବୀ’ରେ ତାଙ୍କୁ ପ୍ରଥମ ଥର ଲାଗି ଅମ୍ଳାନଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ। ‘ଆଶ୍ରମ’ରେ କିନ୍ତୁ ବାଦ୍ ପଡ଼ିଛନ୍ତି ଭୂମିକା। 

Advertisment

ବାଦ୍ ପଡ଼ିବା କାରଣକୁ ନେଇ ସିନେପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ଏ ପ୍ରଶ୍ନର ଉତ୍ତରରେ ପ୍ରଯୋଜକ ତପନ କୁମାର ଦାଶ କହିଛନ୍ତି, ‘‘ଭୂମିକା ଜଣେ ଭଲ ଓ ସହଯୋଗୀ ଅଭିନେତ୍ରୀ। ତାଙ୍କୁ ମୁଁ ମୋର ପୂର୍ବ ଦୁଇଟି ଫିଲ୍ମରେ ନେଇଥିଲି। ହେଲେ ‘ଆଶ୍ରମ’ରେ ଆମେ ସୂର୍ଯ୍ୟମୟୀଙ୍କୁ ନେଲୁ, କାରଣ ସେ ମହାଶ୍ବେତା ମ୍ୟାଡାମ୍‌ଙ୍କ ଯୁବାବସ୍ଥାର ଚରିତ୍ର ପାଇଁ ଅଧିକ ଉପଯୁକ୍ତ ମନେହେଲେ।’’