ରାଜପାଲଙ୍କୁ ମାଡ଼ ମରାଯିବାର ଦୃଶ୍ୟ ଥିବାରୁ ଫିଲ୍ମ ଦେଖିବାକୁ ମନା କରିଦେଇଥିଲେ ମା’

ମୁମ୍ବାଇ: ରାଜପାଲଙ୍କୁ ମାଡ଼ ମରାଯିବାର ଦୃଶ୍ୟ ଥିବାରୁ ଫିଲ୍ମ ଦେଖିବାକୁ ମନା କରିଦେଇଥିଲେ ମା’। ଏକ ସାକ୍ଷାତକାରେ ଏଭଳି ଖୁଲାସା କରିଛନ୍ତି ବଲିଉଡ ଅଭିନେତା ରାଜପାଲ ଯାଦବ। ନିକଟରେ ଅଭିନେତା ରାଜପାଲ ଯାଦବ ତାଙ୍କ ଫିଲ୍ମ ‘ହଙ୍ଗାମା’ ସହ ଜଡିତ ଏକ ଘଟଣା ସେୟାର କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ମା’ ପ୍ରଥମ ଥର ପାଇଁ ୨୦୦୩ରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ହଙ୍ଗାମା’ ଦେଖିଥିଲେ, ସେତେବେଳେ ସେ ଏହାକୁ ଦେଖିବାକୁ ମନା କରିଦେଇଥିଲେ। କାରଣ ସେହି ଚଳଚ୍ଚିତ୍ରରେ ରାଜପାଲ ଯାଦବଙ୍କୁ ଚାପୁଡ଼ା ମାରିବା ଏବଂ ପିଟିବାର ଅନେକ ଦୃଶ୍ୟ ରହିଥିଲା।

ସେ ଆହୁରି କହିଛନ୍ତି, ଯାତ୍ରା କରିପାରୁ ନଥିବାରୁ ମୁଁ ମୋ ମା’ଙ୍କୁ ମୁମ୍ବାଇକୁ କେବେ ଆଣି ପାରିଲି ନାହିଁ। ଯେଉଁଥିପାଇଁ ସେ ଘରେ ମୋ ଫିଲ୍ମ ଦେଖନ୍ତି। ଯେତେବେଳେ ସେ ‘ହଙ୍ଗାମା’ ଫିଲ୍ମ ଦେଖିଲେ, ସେତେବେଳେ ସେ ମୋତେ ପ୍ରଥମେ କହିଥିଲେ ଯେ, ତୋତେ ଲୋକେ କେତେ ପିଟୁଛନ୍ତି। ଏହା ପରେ ମୋ ମା’ ସେ ଫିଲ୍ମ ଦେଖିନଥିଲେ। ମୁଁ ତାଙ୍କୁ ବୁଝାଇଥିଲି ଯେ, ଫିଲ୍ମରେ ଦେଖାଯାଉଥିବା ମାରପିଟ ଦୃଶ୍ୟ ଅସଲି ନୁହେଁ। ତଥାପି ସେ ଫିଲ୍ମ ଦେଖିବାକୁ ମନା କରିଦେଇଥିଲେ।

ଫିଲ୍ମ ‘ହଙ୍ଗାମା’ରେ ରାଜପାଲ ଯାଦବଙ୍କ ବ୍ୟତୀତ ଅକ୍ଷୟ ଖାନ୍ନା, ଅଫତବ ଶିବଦସାନି, ରିମି ସେନ୍ ଏବଂ ପରେଶ ରାୱଲଙ୍କ ଭଳି କଳାକାର ଥିଲେ। ରାଜପାଲ ଏଥିରେ ‘ରାଜା’ ନାମକ ଏକ ମଜାଳିଆ ଚରିତ୍ରରେ ଅଭିନୟ କରିଥିଲେ। ରାଜପାଲ ଯାଦବ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ଫିଲ୍ମ ‘ହଙ୍ଗାମା’ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଏହି ଚଳଚ୍ଚିତ୍ର ପରେ ସେ ଭଲ ଟଙ୍କା, ସ୍ୱୀକୃତି ଏବଂ ସମ୍ମାନ ପାଇବା ଆରମ୍ଭ କଲେ।

ସମ୍ବନ୍ଧିତ ଖବର