‘ଆରଆରଆର’ ପରେ ଆଲିଆଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଦୁଇଟି କାରଣରୁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ହେଲା ତାଙ୍କ ବିବାହ ଏବଂ ଅନ୍ୟଟି ହେଲା ଫିଲ୍ମ ଆରଆରଆର। ଫିଲ୍ମ ବକ୍ସ ଅଫିସରେ ୧୦୦୦କୋଟି ଆୟ କରି ଇତିହାସ ରଚିଥିବା ବେଳେ ଫିଲ୍ମରେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି। କମ ସ୍କ୍ରିନ ସ୍ପେସ୍ ଥିଲେ ବି ଆଲିଆଙ୍କ ଚରିତ୍ରର ଗୁରୁତ୍ବ ଅଧିକ ରହିଛି। ତେବେ ଡେବ୍ୟୁ ଫିଲ୍ମରେ କମ ସ୍କ୍ରିନ ସ୍ପେସ୍ ଦେଇ ଆଗକୁ ଆଲିଆଙ୍କ ସହ କାମ କରିବେ କି ନାହିଁ ପଚରାଯିବା ପରେ ଏହାର ଉତ୍ତର ରଖିଛନ୍ତି ‘ଆରଆରଆର’ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି।

ସେ କହିଛନ୍ତି ଯେ, ମୁଁ ଆଲିଆଙ୍କୁ ବହୁତ ପସନ୍ଦ କରେ। ତାଙ୍କର ଅଭିନୟ ଦକ୍ଷତା ହେତୁ ମୁଁ ତାଙ୍କୁ ବହୁତ ଭଲପାଏ। ମୁଁ ପୁଣି ଥରେ ଆଗକୁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ। ମୁଁ ନିଶ୍ଚିତ ଯେ ଆଲିଆ ପୁଣି ମୋ ସହିତ କାମ କରିବାକୁ ଚାହିଁବେ। ଜଣେ କଳାକାର ଏବଂ ନିର୍ଦ୍ଦେଶକ ଭାବରେ, ଆମେ ଦୁହେଁ ଯୋଡ଼ି ହୋଇଛୁ। ଏହା ସତ ଯେ, ‘ଆରଆରଆର’ ଚଳଚ୍ଚିତ୍ରରେ ଆଲିଆଙ୍କର ବଡ଼ ଭୂମିକା ନଥିଲା। କିନ୍ତୁ ଜାଣିଶୁଣି ନୁହେଁ, କାହାଣୀ ଅନୁସାରେ ହିଁ ତାଙ୍କର ଛୋଟ ଭୂମିକା ରହିଥିଲା। ଏକଥା ପୂର୍ବରୁ ଆଲିଆ ଜାଣିଥିଲେ। ମୁଁ ଆଲିଆଙ୍କ ସହ କାମ କରି ଖୁସି। ଆଗକୁ ମଧ୍ୟ କାମ କରିବାକୁ ଚାହିଁବି।

ସମ୍ବନ୍ଧିତ ଖବର