କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ଘଟଣା: ୧୦ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି ସମାରୋହରେ ଯୋଗ ଦେଇପାରିବେ ନାହିଁ ୱିଲ୍

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିତରଣ ସମାରୋହରେ ଉପସ୍ଥାପକ ତଥା ଆମେରିକାର ଲୋକପ୍ରିୟ ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିଥିଲେ ହଲିଉଡ ଅଭିନେତା ୱିଲ ସ୍ମିଥ୍। ଏହି ଘଟଣାକୁ ନେଇ ଅନେକ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ଅକାଦେମୀ ପକ୍ଷରୁ ୱିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓସ୍କାର ଭଳି ପୁରସ୍କାର ବିତରଣ ସମାରୋହରେ ୱିଲଙ୍କ ଏଭଳି ଆଚରଣ ପାଇଁ ତାଙ୍କ ଉପରେ ୧୦ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି। ୧୦ବର୍ଷ ପର୍ଯ୍ୟନ୍ତ ସେ ଓସ୍କାରର କୌଣସି ସମାରୋହରେ ଯୋଗ ଦେଇପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ସ୍ମିଥ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିବା ପୂର୍ବରୁ ଏହି ଘଟଣା ଘଟିଥିଲା। ରକ୍‌ଙ୍କ ୱିଲ୍‌ଙ୍କ ସ୍ତ୍ରୀ ଜାଦା ପିନ୍‌କେଟ୍‌ଙ୍କୁ ଥଟ୍ଟା କରିଥିଲେ। ଜାଦାଙ୍କର ଲଣ୍ଡିତ ମସ୍ତକକୁ ଦେଖି ଉପସ୍ଥାପକ ରକ୍ ପରିହାସ ଛଳରେ କିଛି ମନ୍ତବ୍ୟ ଦେଇଥିଲେ ଯାହା ସ୍ମିଥ୍‌ଙ୍କୁ ଭଲ ଲାଗିନଥିଲା। ଜିଆଇ ଜେନ୍ ଶବ୍ଦ ବ୍ୟବହାର କରି ରକ୍ ପରିହାସ କରିଥିଲେ। ଜିଆଇ ଜେନ୍ କହିଲେ ସେନାରେ ନିଯୁକ୍ତ ମହିଳା କର୍ମଚାରୀଙ୍କୁ ବୁଝାଏ, ଯାହାଙ୍କ ପାଖରେ ସମସ୍ତ ପୁରୁଷସୁଲଭ ଲକ୍ଷଣ ଦେଖିବାକୁ ମିଳେ। ଏହା ଶୁଣି ସ୍ମିଥ୍ ମଞ୍ଚ ଉପରକୁ ଯାଇ ରକଙ୍କୁ ମାଡ଼ ମାରିଥିଲେ।

ଅବଶ୍ୟ, ସ୍ମିଥ୍‌ ନିଜ ଭୁଲକୁ ବୁଝିପାରି ପରେ ରକ୍‌ଙ୍କୁ କ୍ଷମା ମାଗିଥିଲେ। ଭାବପ୍ରବଣ ୱିଲ୍ ସ୍ମିଥ୍ ଲୁହ ଛଳଛଳ ଆଖିରେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, ମୁଁ ଏକାଡେମିକୁ କ୍ଷମା ପ୍ରାର୍ଥନା କରୁଛି। ପୁରସ୍କାର ପାଇଁ ମନୋନୀତ ହୋଇଥିବା ମୋର ସମସ୍ତ ବନ୍ଧୁ ଅଭିନେତାମାନଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି।

ସମ୍ବନ୍ଧିତ ଖବର