ବଦଳିଯିବେ କି ଷ୍ଟାରସନ୍ ବାବୁସାନ୍!

‘ମୁଁ ଗଣମାଧ୍ୟମକୁ ଅନୁରୋଧ କରୁଛି, ସେମାନେ ଯେମିତି ବାବୁସାନ୍‌କୁ ପବ୍ଲିସିଟି ଦେଇ ଆଜି ଚଳଚ୍ଚିତ୍ରର ଅଭିନେତା ସଜେଇ ଦେଇଛନ୍ତି, ସେମିତି ତା’ର ବ୍ୟକ୍ତିଗତ ଜୀବନ କେମିତି ଶୃଙ୍ଖଳିତ ଓ ସୁଖମୟ ହେବ ସେମାନେ ପରାମର୍ଶ ଦିଅନ୍ତୁ। ମୋ ବାବୁ ବଦଳିଯାଉ, ସେ ପୁଣି ଫେରିଆସୁ ତା’ର ସୁଖର ସଂସାରକୁ। କେତେ ସୁନ୍ଦର ବୁଝିବାର ଓ ପାରିବାର ମୋ ପୁଅ। କିଛିଦିନ ହେବ କାହିଁକି ସେ ଚିଡ଼ିଚିଡ଼ି, ଫଁ ଫଁ ଆଉ ଘର ପରିବାର ଲୋକଙ୍କ ପ୍ରତି ଆନମନା ହେଇଛି ତାହା ମୁଁ ଜାଣିପାରୁନି। ମୋ ବିନା ସେ ମୁହୂର୍ତ୍ତେ ରହିପାରେନି, ହେଲେ ଆଜିକାଲି ମୋତେ ବି ଖୋଜୁନି କି ଲୋଡୁନି। ତା’ର ଜଣେ କୋ-ଆର୍ଟିଷ୍ଟ୍‌ ତାକୁ ବିପଥଗାମୀ କରାଇଛି। ଏହାର ମଧ୍ୟ ଅନେକ ପ୍ରମାଣ ରହିଛି। ସେ ତା’ ସାଙ୍ଗରୁ ମୁକୁଳି ନ ଆସିଲେ ବାବୁର ଉଭୟ ବ୍ୟକ୍ତିଗତ ଜୀବନ ଓ ଅଭିନୟ କ୍ୟାରିୟର ବରବାଦ ହେଇଯିବ। ହେ ଈଶ୍ବର ଆମକୁ ଦୟାକର, ବାବୁ ଆମର ବଦଳିଯାଉ।’

ଆଖିରେ ଲୁହ ଓ କୋହଭରା କଣ୍ଠରେ ଏମିତି କହିଛନ୍ତି ଷ୍ଟାର୍‌ସନ୍ ବାବୁସାନ୍‌ଙ୍କ ମା’ ଅଭିନେତ୍ରୀ ଅପରାଜିତା। ବାବୁସାନ୍‌ଙ୍କ ବାପା ପରିଚିତ ଅଭିନେତା ଉତ୍ତମ ମହାନ୍ତି ଏବେ ଅସୁସ୍ଥ ଅଛନ୍ତି। ପୁଅ କାହିଁକି ଅବାଟକୁ ଯାଇଛି ପଚାରିଲେ ସେ କହୁଛନ୍ତି- ‘ପୁଅ କ’ଣ ଆଉ ଛୋଟ ହୋଇଅଛି। ତା’ର ପରା ମଥାକୁ ହାତ ପାଇଗଲାଣି। ତାକୁ କ’ଣ ଏବେ ଆଉ ତାଗିଦ କରିହେବ! ’

କିଛିଦିନ ତଳେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ‘ପ୍ରେମମ୍’। ଏଥିରେ ବାବୁସାନ୍‌ଙ୍କ ବିପକ୍ଷର ନାୟିକା ଥିଲେ ପ୍ରକୃତି ମିଶ୍ର। ଏଇ ଚଳଚ୍ଚିତ୍ରର ସୁଟିଂବେଳେ ଉଭୟଙ୍କ ଭିତରେ ମିଳାମିଶାରୁ ଅନ୍ତରଙ୍ଗତା ବଢ଼ିଥିଲା। ଏ ଦୁହେଁ ପ୍ରାୟ ପାଖାପାଖି ରହୁଥିଲେ। ବାବୁ ଧୀରେ ଧୀରେ ପ୍ରକୃତିଙ୍କ ଆଡ଼କୁ ଢଳିଥିଲେ ବୋଲି କହିଛନ୍ତି ତାଙ୍କ ମା’ ଅପରାଜିତା। ଅପରପକ୍ଷେ ପ୍ରକୃତି ସଫେଇ ଦେଇଛନ୍ତି ଆମ ଦି’ ଜଣଙ୍କ ଭିତରେ କେବଳ ବନ୍ଧୁତାର ସମ୍ପର୍କ। ବର୍ଷେରୁ ଅଧିକ ସମୟ ଧରି ବାବୁସାନ୍‌ ଆଉ ତାଙ୍କ ପତ୍ନୀଙ୍କ ପାଖକୁ ଆସୁନାହାନ୍ତି ବୋଲି କହିଛନ୍ତି ତାଙ୍କ ପତ୍ନୀ ତୃପ୍ତି। ସତକୁ ସତ କସ୍‌ମୋପଲିରେ ଆପାର୍ଟମେଣ୍ଟରେ ରହୁଥିବା ବାବୁ-ତୃପ୍ତିଙ୍କ ଠିକଣା ବଦଳିଯାଇଛି। ତୃପ୍ତି ଏବେ ନିଜ ବାପାଙ୍କ ଘରେ ରହୁଛନ୍ତି। କିଛିଦିନ ହେବ ବାବୁସାନ୍‌ କେଉଁଠି ରହୁଛନ୍ତି ତାଙ୍କର କିଛି ଠିକ ଠିକଣା ନାହିଁ। ଏପରିକି ବରମୁଣ୍ଡା ହାଉସିଂ ‌ବୋର୍ଡ ଅଞ୍ଚଳରେ ରହୁଥିବା ବାପା ଉତ୍ତମ ଓ ମା’ ଅପରାଜିତାଙ୍କ ପାଖକୁ ମଧ୍ୟ ଅନେକ ସମୟରେ ଆଉ ବାବୁ ଆସୁନାହାନ୍ତି। ଅନେକ ଦିନ ହେବ ବାବୁଙ୍କୁ ଅପେକ୍ଷା କରି କରି ଶେଷରେ ତୃପ୍ତି ତାଙ୍କୁ ଠାବ କରିଥିଲେ। ସତ୍ୟନଗରରେ ଥିବା ଏକ ଗେଷ୍ଟ୍‌ ହାଉସ୍‌ରୁ ଗୋଟିଏ ଗାଡ଼ିରେ ବାବୁସାନ୍‌ ଓ ପ୍ରକୃତି ଏୟାରପୋର୍ଟକୁ ବାହାରୁଥିବା ବେଳେ ହଠାତ୍ ସେଠାରେ ପହଞ୍ଚିଯାଇଥିଲେ ତୃପ୍ତି। ନିଜ ସ୍ବାମୀଙ୍କୁ ହାତ ଧରି ଭିଡ଼ିବା ସହ ଅଭିନେତ୍ରୀ ପ୍ରକୃତିଙ୍କୁ ମଧ୍ୟ କିଛି ପ୍ରଶ୍ନ କରିଥିଲେ। ଉଭୟଙ୍କ ଭିତରେ ବଚସାରୁ ପରସ୍ପରକୁ ହାତ ଉଠେଇଥିଲେ। ତେବେ ବି ବାବୁସାନ୍‌ ତୃପ୍ତିଙ୍କୁ ସହଯୋଗ କରି ନ ଥିଲେ। ଉଭୟଙ୍କୁ ଚେନ୍ନାଇ ଉତ୍କଳ ଆସୋସିଏସନ୍ ତରଫରୁ ଅତିଥି ଭାବେ ନିମନ୍ତ୍ରଣ ରହିଛି କହି ସେମାନେ ଚାଲିଯାଇଥିଲେ। ଏବେ ପ୍ରକୃତିଙ୍କ ବାପା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ମା’ କ୍ରିଷ୍ଣା ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ଏବଂ ଅପରାଜିତା ଓ ବୋହୂ ତୃପ୍ତି ପ୍ରକୃତି ଓ ବାବୁସାନ୍‌ଙ୍କ ନାମରେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଛନ୍ତି। ଉଭୟ ପ୍ରକୃତି ଓ ବାବୁସାନ୍ ପୋଲିସ ପାଖରେ ହାଜର ହେଇସାରିଛନ୍ତି। ପୋଲିସ ଏମାନଙ୍କ ମାମଲାର ତନାଘନା କରୁଛି।

ବାବୁସାନ୍‌ ଓରଫ ତନ୍ମୟ ମହାନ୍ତି, ସେ ବିବାହ କରିଛନ୍ତି ତାଙ୍କ ପିଲାଦିନର ସାଙ୍ଗ ତୃପ୍ତି ଶତପଥୀଙ୍କୁ। ୨୦୧୪ରେ ବାବୁସାନ୍‌ ଓ ତୃପ୍ତିଙ୍କ ମଧ୍ୟରେ ଶୁଭ ପରିଣୟ ହେଇଥିଲା। ସହିଦନଗର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ ଏବଂ ପରଦିନ ହୋଟେଲ୍ ମେ-ଫେୟାର୍ ପରିସରରେ ଉଭୟ ପରିବାର ପକ୍ଷରୁ ଏକ ପାରିବାରିକ ଭୋଜି ମଧ୍ୟ ଆୟୋଜିତ ହେଇଥିଲା। ବାବୁ-ତୃପ୍ତିଙ୍କ ରହିବା ଠିକଣା ଥିଲା ଖଣ୍ଡଗିରି-ଡୁମଡୁମା ଅଞ୍ଚଳରେ ଥିବା କସ୍‌ମୋପଲି ଆପାର୍ଟମେଣ୍ଟ୍‌। ପ୍ରାୟ ସମୟ ସିନେମା ସୁଟିଂରେ ବ୍ୟସ୍ତ ରହୁଥିବା ବାବୁସାନ୍‌ ବ୍ୟକ୍ତିଗତ ଜୀବନ ପ୍ରତି ଏତେଟା ଧ୍ୟାନ ଦେଇପାରୁ ନ ଥିଲେ। କୋଭିଡ୍-୧୯ର ସଂକ୍ରମଣ ଏବଂ ଏଥିନିମନ୍ତେ ସାରା ଦେଶରେ ଜାରି ହେଇଥିବା ବିଭିନ୍ନ ପ୍ରକାର କଟକଣା ଭିତରେ ସିନେମା ନିର୍ମାଣ ଠପ୍ ହେଇଯାଇଥିଲା। ଏତିକିବେଳେ ସେ ଘରେ ରହି ଅର୍ଗାନିକ୍ ଫାର୍ମିଙ୍ଗ୍ କରୁଥିଲେ। ସେତେବେଳେ ବାବୁସାନ୍‌ କହିଥିଲେ-ଲକ୍‌ଡାଉନ୍ ମୋତେ ବୃତ୍ତିଗତ ସୁଖଠାରୁ ବ୍ୟକ୍ତିଗତ ଜୀବନର ଗୁରୁତ୍ବ ଶିଖାଇଦେଲା। ଲକ୍‌ଡାଉନ୍ ମୋତେ ବାପା ବନେଇଦେଲା। ପ୍ରାୟ ଦେଢ଼ବର୍ଷ ତଳେ ଷ୍ଟାରସନ୍ ବାବୁସାନ୍‌ଙ୍କର ପୁଅଟିଏ ହେଇଛି।

ଓଡ଼ିଆ ଚଳଚ୍ଚିତ୍ର ରୋମିଓ ଦ ଲଭର ବୟରୁ ସଞ୍ଜୁ ଆଉ ସଞ୍ଜନା, ପ୍ରେମ ଅଢ଼େଇ ଅକ୍ଷର, ଲୋଫର୍, ୧୪୩-ଆଇ ଲଭ୍ ୟୁ, ଚକୋଲେଟ୍, ଇଡିଅଟ୍, ଲଭ୍ ମାଷ୍ଟର, ଲଭ୍ ଷ୍ଟେସନ୍, ଲୋକାଲ୍ ଟୋକା ଲଭ୍ ଚୋଖା, ଅଜବ ସଞ୍ଜୁର ଗଜବ ଲଭ୍, ମିଷ୍ଟର ମଜ୍‌ନୁ, ଦୋସ୍ତି, ଥୁକୁଲ୍, ଲୁଚକାଳି, ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲ୍‌ମାନ୍ ଖାନ୍, ଶ୍ରୀମାନ୍‌ ସୁରଦାସ ଭଳି ରୋମାଣ୍ଟିକ୍ ସିନେମାରେ ସେ ହ୍ୟାଣ୍ଡ୍‌ସମ୍ ହିରୋ ସାଜିଛନ୍ତି। ଲକ୍‌ଡାଉନ୍ ପରେ ସୁଟିଂ ହେଇଥିବା ବାବୁସାନ୍‌ଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ଓ ‘ପ୍ରେମମ୍’ ମଧ୍ୟ ମୁକ୍ତିଲାଭ କରିଛି।

ସମ୍ବନ୍ଧିତ ଖବର