ସିନେ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଆରୋଗ୍ୟ କାମନା

ବାସ୍ତବ: ଦ ରିୟଲିଟି ଚଳଚ୍ଚିତ୍ରରୁ ଅଭିନୟ କରିଆସୁଥିବା ସିନେ ନିର୍ଦ୍ଦେଶକ ମହେଶ ମଞ୍ଜରେକର ଏହ୍‌ସାସ, କାଣ୍ଟେ, ପ୍ରାନ୍ ଜାଏ ପର ଶାନ୍ ନା ଯାଏ, ପ୍ଲାନ୍, ରନ୍, ମୁସାଫିର, ଜିନ୍ଦା, ଜୱାନୀ ଦିୱାନୀ, ଦଶ କହାନିଆଁ, ମୀରାବାଈ ନଟ୍ ଆଉଟ୍, ୱ‌ାଣ୍ଟେଡ୍, ତିନ୍ ପତି, ଦବଙ୍ଗ, ରେଡି, ବଡିଗାର୍ଡ, ଓଏମ୍‌ଜି, ଜୟ ହୋ, ବାଦ୍‌ଶାହ, ସଞ୍ଜୁ ପରି ଫିଲ୍ମରେ ଅଭିନୟ କରିଛନ୍ତି। ବଡ଼କଥା ହେଉଛି, ପ୍ରାୟ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଛନ୍ତି। ହିନ୍ଦୀ ଓ ମରାଠୀ; ଦୁଇ ସିନେମା ଇଣ୍ଡଷ୍ଟ୍ରିରେ ନିଜର ପତିଆରା ଜାରି ରଖିଥିବା ମହେଶ ଏବେ ବ୍ଲାଡର୍‌ କ୍ୟାନ୍ସର୍‌ରେ ପୀଡ଼ିତ। ଦେହ ଅସୁସ୍ଥ ହେବାରୁ ମହେଶଙ୍କୁ ମୁମ୍ବାଇର ଚର୍‌ନିସ୍ଥିତ ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍ ହସ୍‌ପିଟାଲ୍‌ରେ ପାଖାପାଖି ଦଶଦିନ ରହିବାକୁ ପଡ଼ିଲା। ଅପରେସନ୍‌ ବି ହେଲା। ଘରକୁ ଫେରିବା ପରେ ଧୀରେଧୀ‌ରେ ସେ ସୁସ୍ଥ ହେଉଛନ୍ତି।

ଇଣ୍ଡିଆନ୍ ଆଇଡଲ୍‌କୁ ନିମନ୍ତ୍ରିତ ହୋଇଥିବା ମହେଶ ମଞ୍ଜରେକରଙ୍କ ସାମ୍‌ନାରେ ୧୨ଜଣ ପ୍ରତିଯୋଗୀ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ଯୋଜନା ଥିଲା। କିଛି ଦିନ ତଳେ ମହେଶଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯୋଜନା ହେଇଥିଲା ନୂଆ ହିନ୍ଦୀ ସିନେମା ‘ଅନ୍ତିମ: ଦ ଫାଇନାଲ୍‌ ଟ୍ରୁଥ୍’, ଯେଉଁଥିରେ ସଲମାନ୍ ଖାନ୍ ଓ ଆୟୂଷ ଶର୍ମା ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଥା’ନ୍ତେ। ଏହା ବ୍ୟତୀତ ବିନାୟକ ଦାମୋଦର ସାୱରକରଙ୍କ ଆତ୍ମଜୀବନୀ ଉପରେ ନିର୍ମାଣ ହେବାକୁ ଥିବା ‘ସ୍ବତନ୍ତ୍ର ବୀର ସାୱରକର’ ଚଳଚ୍ଚିତ୍ରରେ ମଧ୍ୟ ସେ ନିର୍ଦ୍ଦେଶନା ଦେବାର ଚୂଡ଼ାନ୍ତ ହେଇଥିଲା। ଯଦିଓ ବହୁତ ସିନେମାରେ ତାଙ୍କର ଦଖଲ ନାହିଁ, କିନ୍ତୁ ଯେତିକି ଫିଲ୍ମରେ ସେ ନିର୍ଦ୍ଦେଶନା ଓ ଅଭିନୟ କରିଛନ୍ତି, ତାହା ଦର୍ଶକାଦୃତ ହେଇଛି। ମହେଶ ଜଣେ ବାସ୍ତବବାଦୀ ନିର୍ଦ୍ଦେଶକ ଓ ଅଭିନେତା। ତେଣୁ ସିନେ ଇଣ୍ଡଷ୍ଟ୍ରିର କଳାକାର ଓ ଟେକ୍‌ନିସିଆନ୍‌ଙ୍କ ବ୍ୟତୀତ ସାଧାରଣ ଦର୍ଶକ ବି ମହେଶଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର