ଶିବାନୀ ଗଣନଟ୍ୟ ୨୦୦୬ ମସିହାରେ ପ୍ରସ୍ତୁତ କରିଥିଲା ସୁଶ୍ରୀ ହରପ୍ରିୟାଙ୍କ ରଚିତ ସୁଶାନ୍ତ ଦାସଙ୍କ ନିର୍ଦ୍ଦେଶିତ ନାଟକ ‘ମୁଁ ଝିଅଟେ ମେଡ୍ ଇନ୍ ଓଡ଼ିଶା’। ପିତୃ-ମାତୃହୀନ ଝିଅ ଜାଗି ପ୍ରଚଳିତ ବ୍ୟବସ୍ଥା ବିରୋଧରେ ପ୍ରତିଶୋଧ ନେବାକୁ କିଭଳି ଆତଙ୍କବାଦୀ ପାଲଟିଯାଏ ଓ ଶେଷରେ ପ୍ରତିଶୋଧ ନିଏ ତାହା ଏଥିରେ ଦର୍ଶାଯାଇଛି। ଏହି କ୍ରମରେ ଆସେ ଯାତ୍ରା ତ୍ରିରଙ୍ଗାର ନାଟକ ‘ରାତିର ରାଣୀ’। ଡାକବଙ୍ଗଳା ଚୌକିଦାର ସନିଆର ଭଉଣୀ ରାଣୀ ଥିଲା ଖୁବ୍ ସୁନ୍ଦରୀ। ବାହାସାହା ହୋଇ ସଂସାର ଗଢ଼ିବା ତା’ର ସ୍ୱପ୍ନ। କିନ୍ତୁ ଠିକାଦାର ସଂଗ୍ରାମ ରାୟଚୌଧୁରୀର ଲୋଲୁପ ଦୃଷ୍ଟିର ଶିକାର ହୁଏ ରାଣୀ। ପ୍ରତିବାଦ କରିବାକୁ ଗଳାଚିପି ମାରିଦିଏ ଠିକାଦାର। ତା’ ଇସାରାରେ ପୁଲିସ୍ ବଳାତ୍କାର ଓ ହତ୍ୟା ଅପରାଧରେ ରାଣୀର ଭାଇ ସନିଆକୁ ବାନ୍ଧିନିଏ। ପରେ ରାଣୀର ପ୍ରେତାତ୍ମା ତା’ ଉପରେ ଅତ୍ୟାଚାର କରିଥିବା ଚରିତ୍ରମାନଙ୍କ ଉପରେ ପ୍ରତିଶୋଧ ନିଏ।
ସେହିପରି ଇଷ୍ଟର୍ଣ୍ଣ ରେଡ୍ ପ୍ରଯୋଜିତ ‘ଲେଡି ଡନ୍’ ଏକ ନାରୀ ପ୍ରତିଶୋଧର କାହାଣୀ। ଅଞ୍ଜଳି ନାମକ ଜଣେ ସାଧାରଣ ଗୃହିଣୀ ଯେଉଁ ହାତରେ ତୁଳସୀ ଚଉରା ମୂଳେ ସଞ୍ଜବତୀ ଜାଳି ପରିବାରର ମଙ୍ଗଳ କାମନା କରୁଥିଲା, ପରିସ୍ଥିତିରେ ପଡ଼ି ସେହି ହାତରେ ବନ୍ଧୁକ ଧରି ଡନ୍ ସାଜି ସମାଜକୁ ଭିନ୍ନ ବାର୍ତ୍ତା ଦିଏ। ପୁଣି ଏଭଳି ଅନେକ ନାଟକ ରହିଛି ଯେଉଁଥିରେ ନାରୀକୁ ତ୍ୟାଗର ପ୍ରତିଭୂ ଭାବେ ଚିତ୍ରଣ କରାଯାଇଛି। ବାଘାଯତିନ୍ ଲୋକନାଟ୍ୟର ସନ୍ତୋଷ ନାରାୟଣ ଦାସଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ବାଜେ ଝିଅକୁ ଛୁଇଁବା ମନା’ ଏବଂ ଇଷ୍ଟର୍ଣ୍ଣ ଭାଓଲେଟ୍ ପ୍ରଯୋଜିତ ନାଟକ ‘ମୋ ପତି ତୋ ପରମେଶ୍ୱର’ ଏହି ଶ୍ରେଣୀରେ ଆସେ।
ଓଡ଼ିଆ ଯାତ୍ରାମଞ୍ଚରେ ଏପରି ବହୁ ନାଟକ ଅଭିନୀତ ହୋଇଛି, ଯେଉଁଥିରେ ନାରୀ ଚରିତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। କେଉଁଠି ନାରୀକୁ ତ୍ୟାଗର ପ୍ରତିମୂର୍ତ୍ତି ଭାବେ ଚିତ୍ରିତ କରାଯାଇଛି ତ ଆଉ କେଉଁଠି ଅନ୍ୟାୟ ଅତ୍ୟାଚାରର ଶିକାର ହେବା ପରେ ନାରୀ ପ୍ରତିଶୋଧ ନେଇଥିବା ଦେଖିଛନ୍ତି ଦର୍ଶକ।
ସମ୍ପ୍ରତି ନାରୀଟିଏ ଉତ୍କଟ ସମସ୍ୟାର ସମ୍ମୁଖୀନ ହୋଇ କିଭଳି ପରାଜୟ ବରଣ କରିବାକୁ ବାଧ୍ୟ ହେଉଛି, ତାହା ବହୁ ନାଟକରେ ପ୍ରତିଫଳିତ ହୋଇଛି। ଏପରି ଏକ ନାଟକ ହେଲା ଇଷ୍ଟର୍ଣ୍ଣ ବ୍ଲୁ ପ୍ରଯୋଜିତ ‘ପାକିସ୍ତାନ ଝିଅ ଭାରତ ବୋହୂ’। ପ୍ରଦୀପ ବେହେରା ଏହାର ନାଟ୍ୟକାର ଓ ଲାଲା ବୀରେନ୍ ରାୟ ନିର୍ଦ୍ଦେଶକ। ୨୦୦୫ ମସିହାରେ ସଚ୍ଚିଦାନନ୍ଦ ଗଣନାଟ୍ୟ ଓଡ଼ିଆ ଯାତ୍ରା ଦର୍ଶକଙ୍କୁ ଭେଟିଦେଇଥିଲା ନାଟକ ‘ଝିଅ ଓଡ଼ିଆ ଭାରି ବଢ଼ିଆ’। ଏହା ଥିଲା ସାମାଜିକ ସମସ୍ୟାରେ ପେଷି ହୋଇଯାଇଥିବା ଜଣେ ନାରୀର କାହାଣୀ। ନାଟ୍ୟକାର କୈଳାସ ମଲ୍ଲିକଙ୍କ ରଚିତ ଓ ବିନୋଦ ରାଉତଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଅବକ୍ଷୟ ଆକ୍ରାନ୍ତ ରୁଗ୍ଣ ବାତାବରଣ ଭିତରେ ଜଣେ ଓଡ଼ିଆ ଝିଅର ସ୍ୱପ୍ନ କିପରି ଶ୍ୱାସରୁଦ୍ଧ ହୋଇଯାଇଛି ତାହା ଦର୍ଶାଯାଇଛି। ରାଜନୈତିକ ପଟ୍ଟଭୂମି ଉପରେ ପର୍ଯ୍ୟବସିତ ‘ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ୍’ ଅନ୍ୟତମ। ଏହାର ନାଟ୍ୟକାର ଥିଲେ ହର ବାରିକ ଓ ନିର୍ଦ୍ଦେଶନା ଦେଇଥିଲେ ମୀନକେତନ ଦାସ। ଏହି କ୍ରମରେ ଅନ୍ୟ ଉଲ୍ଲେଖନୀୟ ନାଟକଗୁଡ଼ିକ ହେଲା, ‘ଚରିତ୍ରହୀନା’, ‘ଭଙ୍ଗାସବାରି’,‘ବଦନାମ ଗଳିର ଝିଅ’, ‘ଚିରା କାଗଜ’, ‘ମୁଁ ସମ୍ବଲପୁରୀ ନାନୀ’, ‘ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ’, ‘ବାଦାମବାଡ଼ିର ବଦମାସ୍ ଝିଅ’, ‘ଧୀରେ ଧୀରେ ଚାଲ ଗୋରୀ ଧୀରେ ଧୀରେ ଚାଲ’, ‘ଦେହ ବିକିଗଲି ପାରିକୁଦକୁ’ ଓ ‘ମୁଁ ଅନେଶତ ରାଣୀ ରାଜା’।
- ନାରାୟଣ କୁମାର ରାଉତରାୟ