ପୁରାଣ, ଇତିହାସ ଓ କଳ୍ପନା ମିଶ୍ରିତ କାହାଣୀ ଏବଂ ଜାପାନୀ ଆନିମେସନ୍ ଶୈଳୀର ଅନୁକରଣରୁ ପ୍ରସ୍ତୁତ ହୋଇଛି ତେଲୁଗୁ ଚଳଚ୍ଚିତ୍ର ‘ମିରାଇ’। ଗତ ବର୍ଷର ‘ହନୁ-ମାନ’ ସିନେମାରେ ନାୟକ ତେଜା ସଜ୍ଜାଙ୍କ ଲୋକପ୍ରିୟତା ଯୋଗୁଁ ଏହି ସିନେମାଟି ବିଶେଷ ଉତ୍କଣ୍ଠା ବହନ କରୁଛି। ଏଥିରେ ମଧ୍ୟ ସେ ଜଣେ ମହାମାନବ ଚରିତ୍ରରେ ଅଭିନୟ କରିଛନ୍ତି। ପ୍ରଚୁର ଆକ୍ସନ୍ ଓ ଭିଏଫ୍ଏକ୍ସ ଉପଯୋଗରେ ପ୍ରସ୍ତୁତ ପ୍ରାୟ ତିନି ଘଣ୍ଟାର ଏହି ସିନେମାର କାହାଣୀ ଅଭିନବ ହୋଇଥିଲେ ହେଁ ଗତିଶୀଳତାର ଅଭାବ ଓ ମୁଖ୍ୟ ଚରିତ୍ରମାନଙ୍କ ଅତିରଞ୍ଜିତ ଉପସ୍ଥାପନା ଏହାକୁ ଅସାଧାରଣ ସ୍ତରକୁ ଉନ୍ନୀତ କରିବାରେ ସଫଳ ହୋଇନାହିଁ। ତେବେ ଏହି ସିନେମାର ଆକର୍ଷଣୀୟ ଦୃଶ୍ୟଗ୍ରହଣ, ଜଟିଳ ଆକ୍ସନ ସିକ୍ବେନ୍ସ ଓ ସୁସଂଗତ ସଂଗୀତକୁ କେବଳ ପ୍ରେକ୍ଷାଳୟରେ ଉପଭୋଗ କରିହେବ।
ଏହି ସିନେମାଟି ଆରମ୍ଭ ହୁଏ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ଜିଣିବା ପରେ ସେ କିପରି ବୌଦ୍ଧ ଧର୍ମ ଗ୍ରହଣ କରୁଛନ୍ତି ଏବଂ ତାଙ୍କ ବିନାଶକାରୀ ଶକ୍ତିକୁ ନଅଟି ଗ୍ରନ୍ଥ ମଧ୍ୟରେ ବାଣ୍ଟିଦେଇ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଯୋଦ୍ଧା ଓ ଜଣେ ଋଷିଙ୍କୁ ପ୍ରଦାନ କରୁଛନ୍ତି। ଏହା ପରେ ୨୦୦୦ ମସିହାରେ ନବମ ଗ୍ରନ୍ଥ ଥିବା ଆଶ୍ରମରେ ଅମ୍ବିକା (ଶ୍ରୀୟା ସରନ) ଚରିତ୍ର ଏକ ସ୍ବପ୍ନ ଦେଖନ୍ତି ଯେ ମହାବୀର ଲାମା (ମଞ୍ଚୁ ମନୋଜ) ନାମକ ଦାନବ ସମସ୍ତ ନଅଟି ଗ୍ରନ୍ଥକୁ ସଂଗ୍ରହ କରି ଅସୀମ ଶକ୍ତିର ଅଧିକାରୀ ହେବାର ଲକ୍ଷ୍ୟରେ ବାହାରିଛି। ଅମ୍ବିକାଙ୍କୁ ନିଜ ପୁତ୍ର ସନ୍ତାନ ‘ବେଦ’ (ତେଜା ସଜ୍ଜା)କୁ ପରିତ୍ୟାଗ କରିବାକୁ ପଡୁଛି କାରଣ ସେ ଆଗକୁ ଯାଇ ମହାବୀର ସହ ଲଢ଼େଇ କରିବ। ଏହାର ୨୪ ବର୍ଷ ପରେ ଯୁବକ ‘ବେଦ’ ଜଣେ ଅନାଥ ଭାବେ ବଡ଼ ହୋଇଯାଇଛି, ତାକୁ ତା’ ଭାଗ୍ୟ ବିଷୟରେ ମନେ ପକାଇଦେବା ପାଇଁ ଉକ୍ତ ଆଶ୍ରମର ଶିଷ୍ୟା ବିଭା (ଋତିକା ନାୟକ) ତାକୁ ଖୋଜି ବାହାର କରୁଛି। ବେଦ ଯେ ଅସାଧାରଣ ଶକ୍ତିର ଅଧିକାରୀ ତାହା ବୁଝାଇବା ଭିତରେ ସିନେମାର ପ୍ରଥମାର୍ଦ୍ଧ ସମାପ୍ତ ହୋଇଯାଉଛି। ଏହା ଭିତରେ କେତେକ ହାସ୍ୟରସାତ୍ମକ ଦୃଶ୍ୟ ଅବତାରଣା କରାଯାଇଛି, ଯେଉଁଗୁଡ଼ିକ ପ୍ରଭାବହୀନ ଓ ଅନାବଶ୍ୟକ ମନେ ହେଲା। ତେବେ ଖଳନାୟକ ଚରିତ୍ରର ପ୍ରେକ୍ଷାପଟ କାହାଣୀର ବ୍ୟାଖ୍ୟା ସହିତ ସିନେମାର ଦ୍ବିତୀୟାର୍ଦ୍ଧଟି ଗତିଶୀଳ ଓ ଘଟଣାବହୁଳ ହୋଇଛି। ନାୟକ ବେଦ ହିମାଳୟ ଗର୍ଭରୁ ‘ମିରାଇ’ ନାମକ ଅଲୌକିକ ବାଡ଼ିଟି ପାଇବା ପରେ ଅପାର ଶକ୍ତିଶାଳୀ ଖଳନାୟକ ସହ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହେଉଛି।
ଏଥିରେ କୌଣସି ସନ୍ଦେହ ନାହିଁ ଯେ କାର୍ତ୍ତିକ ଗଟ୍ଟମନେନୀଙ୍କ ସିନେମାଟୋଗ୍ରାଫର ଭୂମିିକା ତାଙ୍କ ନିର୍ଦେଶନା ଓ କାହାଣୀ ରଚନା ଠାରୁ ବହୁଗୁଣ ଉଲ୍ଲେଖନୀୟ। ଭାରତର ବିଭିନ୍ନ ସହର ତଥା ଅନ୍ୟ ଦେଶମାନଙ୍କରେ ଉତ୍ତୋଳିତ ଦୃଶ୍ୟଗୁଡ଼ିକ ଏହି ସିନେମାର ସବୁଠାରୁ ଆକର୍ଷଣୀୟ ଦିଗ। କିନ୍ତୁ କେତେକ ଭିଏଫ୍ଏକ୍ସ ଦୃଶ୍ୟ ନିଶ୍ଚିତ ଭାବେ ଅପରିପକ୍ବ ସ୍ତରର। ସେହିପରି ଗୌର ହରିଙ୍କ ପୃଷ୍ଠଭୂମି ସଂଗୀତର ଆତିଶଯ୍ୟ କେତେକ ସ୍ଥାନରେ ବିରକ୍ତିକର ଲାଗେ। ଏକ ଶକ୍ତିଶାଳୀ ନାୟକ ଚରିତ୍ରରେ ଅଭିନୟ ଲାଗି ତେଜାଙ୍କ ଚୟନ ମଧ୍ୟ କିଛି ଦୃଶ୍ୟରେ ବେଖାପ ଲାଗିଲା। ଖଳନାୟକ ଭାବେ ମଞ୍ଚୁ ମନୋଜଙ୍କ ଅଭିନୟ ଅଧିକ ବିଶ୍ବସନୀୟ କିନ୍ତୁ ସ୍ମରଣୀୟ ସ୍ତରର ନୁହେଁ। ତେବେ ଖୁସିର କଥା ଯେ ଓଡ଼ିଆ ପରିବାରରେ ଜନ୍ମିତ ରିତିକା ନାୟକ ଏହି ସିନେମାର ମୁୁଖ୍ୟ ନାୟିକା ଭୂମିକାରେ ଅଭିନୟର ସୁଯୋଗ ପାଇଛନ୍ତି।
‘ମିରାଇ’
ନିର୍ଦେଶକ: କାର୍ତ୍ତିକ ଗଟ୍ଟମନେନୀ
ମୁଖ୍ୟ ଚରିତ୍ରରେ: ତେଜା ସଜ୍ଜା, ଋତିକା ନାୟକ, ମଞ୍ଚୁ ମନୋଜ, ଶ୍ରୀୟା ସରନ