ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କର୍ମ’ ତା’ର କର୍ମଫଳ ପାଇଁ ଏବେ ଚର୍ଚ୍ଚାରେ। ରିଲିଜ୍‌ ପରେ ଫିଲ୍ମଟି ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛି। ଓଡ଼ିଶାରେ ରାଉରକେଲାରୁ କୋରାପୁଟ, ବରଗଡ଼ରୁ ବ୍ରହ୍ମପୁର- ସବୁଆଡ଼େ ‘କର୍ମ’ର କ୍ରେଜ୍‌। କେବଳ ଓଡ଼ିଶା କାହିଁକି, ରାଜ୍ୟ ବାହାରର ୧୫ରୁ ଅଧିକ ସହରରେ ମଧ୍ୟ ‘କର୍ମ’ ଦେଖିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ। 

Advertisment

‘କର୍ମ’ ରିଲିଜ୍‌ ହେବାଦିନ ୩୭ ଲକ୍ଷ ୨୦ ହଜାର ଟଙ୍କାର ବ୍ୟବସାୟ କରିଥିଲା। ପୁଣି ୫ଦିନ ଭିତରେ ୨କୋଟିରୁ ଅଧିକ ଏବଂ ପ୍ରଥମ ସପ୍ତାହରେ ୩ କୋଟିରୁ ଅଧିକ ଟଙ୍କା ବକ୍ସ ଅଫିସ୍‌ କଲେକ୍ସନ ହୋଇଛି। ଗତ କିଛିବର୍ଷ ହେବ ୯୯% ଓଡ଼ିଆ ଫିଲ୍ମ ଦିନେ ଦୁଇଦିନରେ ହଲ୍‌ରୁ ଉଠି ଯାଉଥିବାବେଳେ ‘କର୍ମ’ର କ୍ରେଜ୍‌ କମିବା ବଦଳରେ ବଢ଼ି ଚାଲିଛି। ଫିଲ୍ମଟି ପ୍ରଶଂସା ଶୁଣି ଅଧିକରୁ ଅଧିକ ଦର୍ଶକ ଫିଲ୍ମଟିକୁ ଦେଖିବାକୁ ଯାଉଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଓଡ଼ିଆ ଫିଲ୍ମର ମାନକୁ ଦେଖି ହତାଶହୋଇ ଅନେକ ବର୍ଷ ତଳୁ ଓଡ଼ିଆ ଫିଲ୍ମ ଦେଖିବା ଛାଡ଼ିଦେଇଥିବା ଓଡ଼ିଆ ଲୋକ। ‘କର୍ମ’ ଓଡ଼ିଶାର ଅନେକ ସହର ସମେତ ଦିଲ୍ଲୀ, ମୁମ୍ବାଇ,  ପୁନେରେ ରିଲିଜ୍‌ ହୋଇସାରିଥିଲା। ଏବେ ପୁଣି କୋଚି, ଜାମସେଦ୍‌ପୁର, ରାୟପୁର, ଇନ୍ଦୋର, ଚେନ୍ନାଇ, ଭାଇଜାଗ୍‌, ସୁରଟ ଓ କୋଲକାତା ଭଳି ୧୫ରୁ ଅଧିକ ସହରରେ ରିଲିଜ୍‌ ହୋଇଛି। ବଡ଼କଥା ହେଲା, ଏହି ସବୁ ସହରରେ ଥିବା ଓଡ଼ିଆଙ୍କ ସମେତ ଅନ୍ୟ ଭାଷାଭାଷୀ ମଧ୍ୟ ‘କର୍ମ’ ଦେଖିବାକୁ ଯାଉଛନ୍ତି ଓ ପ୍ରଶଂସା କରୁଛନ୍ତି।

ଫଳରେ ଦିନକୁ ଦିନ ଏହାର ସୋ' ସଂଖ୍ୟା ବଢ଼ିବାରେ ଲାଗିଛି। ଫିଲ୍ମର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଏବେ ଓଡ଼ିଶାରେ ଏହାର ପ୍ରତିଦିନ ୧୫୦ରୁ ଅଧିକ ସୋ’ ଚାଲିଛି। ସେଥିରେ କେବଳ ଭୁବେନଶ୍ବରରେ ପ୍ରତିଦିନ ୫୦ରୁ ଅଧିକ ସୋ’ ରହିଛି। ରାଜ୍ୟ ବାହାରେ ପ୍ରତିଦିନ ୫୦ରୁ ଅଧିକ ସୋ’ ହେଉଛି। ଆଜିସୁଦ୍ଧା ‘କର୍ମ’ର ଦେଢ଼ଲକ୍ଷ ଟିକେଟ୍‌ ବିକ୍ରି ହୋଇ ସାରିଲାଣି ଓ ୩ କୋଟି ୬୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଆଉ ୨ ଦିନରେ ୪ କୋଟିକୁ ଟପିଯିବ ବୋଲି ଶ୍ରୀ ପଟ୍ଟନାୟକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।