ସମସାମୟିକ ଓଡ଼ିଆ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଯେଉଁ କେତେଜଣ ସଫଳତାର ପାହାଚ ଚଢ଼ୁଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରଣବ ପ୍ରସନ୍ନ ରଥ ଅନ୍ୟତମ। ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ବିଟେକ୍ କରିବା ପରେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ମନୋନିବେଶ କରିଥିଲେ ସେ। ପୁରୀର ଏହି ଯୁବପ୍ରତିଭାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ମଞ୍ଜରୀ ଟିଭିରେ ପ୍ରସାରିତ ସୋ’ ‘କିଡନାପ୍ କଂପାନି’ ଜରିଆରେ ପ୍ରଣବଙ୍କ ପ୍ରବେଶ ଘଟିଥିଲା। ଏଥିରେ ତାଙ୍କ ଅଭିନୟ ବି ଦେଖିବାକୁ ମିଳିଥିଲା। ଏହା ପରେ  ଅମିତ କୁମାର ଦାଶଙ୍କ ସହ ମିଶି ଅନୁପମ ପଟ୍ଟନାୟକ ଓ ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ର ସଂଳାପ ଲେଖିଥିଲେ। ତା’ପରେ ପ୍ରଣବ-ଅମିତ ଯୋଡ଼ି ବାବୁସାନଙ୍କ ଅଭିନୀତ ‘ପାବାର୍’ର ସଂଳାପ ପ୍ରସ୍ତୁତ କରି ସଫଳତା ହାସଲ କରିଥିଲେ। ଏହାଛଡ଼ା ଦୁହେଁ ମିଶି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ ୨’ରେ ବି କାମ କରିଥିଲେ। ଓଡ଼ିଆ ଛବି ‘ଫାଲଗୁନ ଚୈତ୍ର’ର ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ରଚନା କରିଥିଲେ ପ୍ରଣବ।  

Advertisment

ଇଞ୍ଜିନିୟରିଂ ଶିକ୍ଷା ପରେ ଚିତ୍ରନାଟ୍ୟ ଓ ସଂଳାପ ରଚନାକୁ କର୍ମ ପରିସର ଭାବେ ବାଛି ନେଇଛନ୍ତି ପ୍ରଣବ ପ୍ରସନ୍ନ ରଥ। ଓଡ଼ିଆ ସିନେମା ଓ ୱେବ୍‌ ସିରିଜ୍‌ର ସଫଳ ସଂଳାପକାର ପ୍ରଣବ ଜଣେ ଅଭିନେତା ମଧ୍ୟ।

ତେଣେ ଚିନ୍ମୟ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ପରବ’, ଶିଶିର କୁମାର ସାହୁ-ପିନାକୀ ସିଂହଙ୍କ ନିର୍ଦ୍ଦେଶିତ ‘ଫାଲଗୁନ ଚୈତ୍ର’, ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘ଶୁକଭାଇର ସୋଲେ’, ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ-୧’ ଓ  ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ ୨’ରେ ଅଭିନୟ ମଧ୍ୟ କରିଛନ୍ତି ପ୍ରଣବ। ଏବେ ତାଙ୍କ ହାତରେ ଚାରିଟି ନୂଆ ଓଡ଼ିଆ ଛବି ରହିଛି। ନିଜର ଭବିଷ୍ୟତ ‌ଯୋଜନା ସଂପର୍କରେ ପ୍ରଣବ କହନ୍ତି, ‘‘ଯେହେତୁ ମୁଁ ଜଣେ ଅଭିନେତା ଓ ସୁଟିଂ ସେଟ୍‌ରେ ସଂଳାପ ବି ଲେଖିଛି, ଏଣୁ  ଖୁବ୍ ଶୀଘ୍ର ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବାକୁ ଚାହିବି।’’
-ଶିବଶଙ୍କର ଓଝା