ଜାମିଆ ଛାତ୍ରଙ୍କ ଟୁଇଟ ଲାଇକ୍‌ କରିବାକୁ ନେଇ ଅକ୍ଷୟ କୁମାର କହିଲେ, ‘ଭୁଲରେ ଏହା ହୋଇଯାଇଥିଲା, ମୁଁ ସମର୍ଥନ କରୁ ନାହିଁ’

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଅନେକ ସ୍ଥାନରେ ହିଂସା ଜାରି ରହିଛି। ନୂଆଦିଲ୍ଲୀସ୍ଥିତ  ‘ଜାମିଆ ମିଲିଆ ଇସ୍‌ଲାମିଆ’ର ଛାତ୍ରମାନେ ଏହାକୁ ନେଇ ବିରୋଧ କରୁଛନ୍ତି। ରବିବାର ଦିନ ଦିଲ୍ଲୀର ଜାମିଆ ନଗ ଠାରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୁଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ପ୍ରାୟ ୫୦ ଜଣ ଛାତ୍ରଙ୍କୁ ପୁଲିସ ଧରି ନେଇ ପ୍ରାୟ ଛଅ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା। ସୋମବାର ସେମାନଙ୍କୁ କାଲକାଜି ଏବଂ ନିୟୁ ଫ୍ରେଣ୍ଡସ୍‌ କଲୋନି ଥାନାରୁ ମୁକ୍ତ କରାଯାଇଛି।

ଏହି ଘଟଣାକୁ ନେଇ ଅକ୍ଷୟ କୁମାରଙ୍କ ଟୁଇଟ ଭାଇରାଲ ହୋଇଛି। ଅକ୍ଷୟ କୁମାରଙ୍କ ଦ୍ୱାରା ଜାମିଆ ଛାତ୍ର କରିଥିବା ଟୁଇଟ ଭୁଲରେ ଲାଇକ୍‌ ହୋଇଯାଇଥିଲା। ଏହାପରେ ସେ ଏହାକୁ ଅନ୍‌ଲାଇକ୍‌ କରି ଦେଇଥିଲେ। ଅକ୍ଷୟ କୁମାର ଟୁଇଟ କରି କହିଥିଲେ, ‘ମୁଁ ସ୍କ୍ରଲ୍‌ କରୁଥିିଲି, ଭୁଲରେ ଜାମିଆ ଛାତ୍ର କରିଥିବା ଟୁଇଟ ଲାଇକ୍‌ ହୋଇଯାଇଥିଲା। ଯେତେବେଳେ ଭୁଲରେ ଏହା ହୋଇଯାଇଥିବା ମୁଁ ଜାଣି ପାରିଲି ସଙ୍ଗେସଙ୍ଗେ ତାହାକୁ ଅନଲାଇକ୍‌ କରି ଦେଇଥିଲି। ମୁଁ ଏଭଳି ଗତିବିଧିକୁ ଆଦୌ ସମର୍ଥନ କରେ ନାହିଁ।’

ଅକ୍ଷୟଙ୍କ ଏହି ଟୁଇଟରେ ଲୋକମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର