ମୁମ୍ବାଇ: ରାମାୟଣ କାହାଣୀ ଉପରେ ଆଧାରିତ ‘ଆଦିପୁରୁଷ’ ରିଲିଜ୍‌ ତାରିଖ ଘୋଷଣା ହେବା ପରେ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛି। ମାତ୍ର ବଲିଉଡ୍‌ରେ ଅ‌ନେକ ଦିନରୁ ରାମ‌ାୟଣ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ରାମାୟଣକୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ତେ‌ବେ ଶୁଣିବାକୁ ମିଳିଛି ଯେ ଏହି ରାମାୟଣର ମୁଖ୍ୟ ଚରିତ୍ର ଅର୍ଥାତ, ରାମ ଓ ସୀତାଙ୍କ ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟ ନଜର ଆସିବେ। ତେବେ ଏ ନେଇ ଆନୁ‌ଷ୍ଠାନିକ ଘୋଷଣା ଦୀପାବଳିରେ‌ ହେବ ବୋଲି ସୂଚନା ରହିଛି।

Advertisment

ଏହି ପ୍ରୋଜେକ୍ଟକୁ ନେଇ ଏକ ଧମାକାଦାର ଖବର ଶୁଣିବାକୁ ମିଳୁଥିଲା। ସୂଚନା ରହିଥିଲା ଯେ ନିର୍ମାତା ଏହି ଫିଲ୍ମ ପାଇଁ ‘କେଜିଏଫ୍‌’ ଫେମ୍‌ ୟଶ୍‌ଙ୍କୁ ନେବାକୁ ଚିନ୍ତା କରିଥିଲେ। ନିର୍ମାତା ରାବଣର ଚରିତ୍ର ନିଭାଇବାକୁ ୟଶ୍‌ଙ୍କୁ ଚୟନ କରିଥିଲେ। କିନ୍ତୁ ପରଦାରେ ରାମ-ରାବଣ ଯୁଦ୍ଧରେ ରଣବୀର ବନାମ ୟଶ୍‌ଙ୍କ ଯୁଦ୍ଧ ଦେଖିବାକୁ ମିଳିବାକୁ ଥିବାରୁ ଦର୍ଶକଙ୍କ ମନରେ ବି ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଥିଲା। ମାତ୍ର ରାବଣ ଚରିତ୍ର କରିବାକୁ ୟଶ୍‌ ମନା କରି ଦେଇଛନ୍ତି।

ରାମାୟଣର ସୁଟିଂ ଆଗାମୀ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ରାମ, ସୀତା ହେବାକୁ ଥିବା ରଣବୀର ଓ ଆଲିଆ ‘ରାମାୟଣ ଅଫିସ୍‌’ ଯାଇ ବୁଲି ଆସିଛନ୍ତି। ସେଠାରେ ନିତେଶ ତିୱାରୀ, ନମିତା ମାଲହୋତ୍ରା, ମଧୁ ମଣ୍ଟେନା ଆଦି ଉପସ୍ଥିତ ରହି ସେ ଦୁହିଁଙ୍କୁ ପୂରା ଚରିତ୍ରକୁ ବୁଝାଇଥିଲେ। ତେବେ ଏବେ ରାମାୟଣର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରାବଣ ଚରିତ୍ର କିଏ ନିଭାଇବ ତାହା ‌ଜାଣିବା ବାକି ରହିଲା।