ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡ଼ଗ ଜିଲ୍ଲାରେ କନ୍ନଡ଼ ଅଭିନେତା ୟଶଙ୍କ ୩୮ତମ ଜନ୍ମ ଦିନ ଅବସରରେ ଫ୍ୟାନ୍ସମାନେ ତାଙ୍କ ପ୍ରିୟ ଅଭିନେତାଙ୍କ ବ୍ୟାନର ଲଗାଉଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ୬ଜଣ ଫ୍ୟାନ୍ସ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏଥିରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଜାନୁଆରି ୮ ତାରିଖରେ ଧୁମଧାମରେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ଏହି ଦୁଃଖଦ ଘଟଣା ବିଷୟରେ ଖବର ପାଇବା ପରେ ୟଶ ନିଜକୁ ଅଟକାଇ ପାରି ନଥିଲେ। ସେ ତୁରନ୍ତ କିଛି ସାଥୀଙ୍କ ସହ ମୃତ ଫ୍ୟାନ୍ସ ହନମନ୍ତା ହରିଜନ, ମୁରଲି ନଦାବିନମଣି ଓ ନବୀନ ଗାଜିଙ୍କ ପରିବାରଙ୍କୁ ଭେଟିବା ପାଇଁ ଚାଲି ଆସିଥିଲେ। ମୃତକଙ୍କ ପରିବାରକୁ ଭେଟି ୟଶ ସାନ୍ତ୍ବନା ଦେଇ କିଛିସମୟ କଥା ହେବାପରେ ଲୁହଭରା ଆଖିରେ ଘରକୁ ଫେରି ଯାଇଥିଲେ।
ଏଥିସହିତ ଅନ୍ୟ ଫ୍ୟାନ୍ସମାନଙ୍କୁ ଅନୁରୋଧ କରି ୟଶ କହିଛନ୍ତି, ‘ଜୀବନ ମୂଲ୍ୟବାନ। ତେଣୁ ତାହାର ଯତ୍ନ ପ୍ରଥମେ ନିଅନ୍ତୁ। ମୋତେ ଭଲ ପାଉଛନ୍ତି ଏହା ମୋ ପାଇଁ ଗର୍ବର ବିଷୟ। କିନ୍ତୁ ନିଜ ଜୀବନକୁ ବିପଦରେ ପକାଇ ଭଲ ପାଇବା ଜାହିର କରନ୍ତୁ ନାହିଁ। ଏହା ମୋତେ କଷ୍ଟ ଦେଉଛି। ମୋ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ବ୍ୟାନର ଲଗାଉଥିବା ତିନିଜଣ ଫ୍ୟାନଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହେବା ଖବର ପାଇବା ପରେ ମୋ ଉପରେ କ’ଣ ବିତୁଛି ତାହାକୁ ମୁଁ ଶବ୍ଦରେ କହି ପାରିବି ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/e5814f42-3ade-4dd1-ac63-e9b4dd4a2229.jpg)