ବଲିଉଡ୍ର ଅପେକ୍ଷାକୃତ ନବାଗତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କର ଆକ୍ସନ୍ ହିରୋ ହେବା ଭଳି ସୁଠାମ ଶରୀର ଥିଲେ ହେଁ ପୂର୍ବ ସିନେମାମାନଙ୍କରେ ତାଙ୍କ ଚରିତ୍ରମାନେ ତାଙ୍କର ଯେଉଁ ଭାବମୂର୍ତ୍ତି ଗଢ଼ିଛନ୍ତି ତା’ ସହିତ କ୍ରୋଧ, ହିଂସା, ପ୍ରତିଶୋଧ ଆଦି ଖାପ ଖାଇନଥାଏ। ସିଦ୍ଧାନ୍ତଙ୍କୁ ପସନ୍ଦ କରୁଥିବା ଦର୍ଶକମାନେ, ତାଙ୍କୁ ଜଣେ ମନୋହର, ଭାବପ୍ରବଣ, ମୃଦୁଭାଷୀ ଆକର୍ଷଣୀୟ ଯୁବକ ଭାବେ ଜାଣନ୍ତି। ତେବେ ଭଲ ଅଭିନେତାମାନେ ଚିରାଚରିତ ଛାଞ୍ଚରେ ସୀମିତ ନ ରହି ଆହ୍ବାନପୂର୍ଣ୍ଣ ଚରିତ୍ର ସହିତ ପରୀକ୍ଷାନିରୀକ୍ଷା କରିବାକୁ ପସନ୍ଦ କରନ୍ତି। ସିଦ୍ଧାର୍ଥ ସେହି କ୍ରମରେ ‘ୟୁଧ୍ରା’ ଚଳଚ୍ଚିତ୍ରର ହିଂସ୍ର ନାୟକ ସାଜି ନିଜକୁ ଜଣେ ପାରଙ୍ଗମ ଆକ୍ସନ୍ ହିରୋ ଭାବେ ଉପସ୍ଥାପିତ କରିଛନ୍ତି। ଏକ ଡ୍ରଗ୍ ଡିଲ୍କୁ କେନ୍ଦ୍ରରେ ରଖି ଅଭିନୀତ ଏହି କାହାଣୀ କିନ୍ତୁ ବିଶ୍ବସନୀୟ ଚିତ୍ରନାଟ୍ୟ ତଥା ଚମକପ୍ରଦ ରୋମାଞ୍ଚ ଓ ଆକ୍ସନ୍ ଅଭିଜ୍ଞତା ପ୍ରଦାନ କରିବାରେ ବିଶେଷ ସଫଳ ହୋଇପାରିନାହିଁ। କାହାଣୀର ମୁଖ୍ୟ ଚରିତ୍ର ‘ୟୁଧ୍ରା’ (ସିଦ୍ଧାନ୍ତ ଚତୁର୍ବେଦୀ) ଜନ୍ମରୁ ଅନାଥ। ତା’ ପିତା (ଜଣେ ପୁଲିସ ଅଧିକାରୀ) ଡ୍ରଗ୍ ମାଫିଆ ଫିରୋଜର ରାକେଟ୍କୁ ଉଜାଗର କରିଦେବା ଯୋଗୁଁ ଫିରୋଜ ତା’ ପିତାମାତାଙ୍କୁ ଦୁର୍ଘଟଣା କରାଇ ମାରିଦେଇଥିଲା। ‘ୟୁଧ୍ରା’ ତା’ ପିତାଙ୍କ ଦୁଇ ବନ୍ଧୁ ରହମାନ (ରାମ କପୁର) ଓ କାର୍ତ୍ତିକ ରାଠୋର (ଗଜରାଜ ରାଓ)ଙ୍କ ତତ୍ତ୍ବାବଧାନରେ ବଡ଼ ହୋଇଛି। ଫିରୋଜ ଓ ତା’ ପୁଅ ଶଫିକ୍ (ରାଘବ ଜୁୟାଲ) ଚଳାଉଥିବା ଡ୍ରଗ୍ ବ୍ୟବସାୟକୁ ବନ୍ଦ କରିବା ତଥା ପିତାମାତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାର ଅସମ୍ଭବପ୍ରାୟ ମିସନ୍ ୟୁଧ୍ରାକୁ କିପରି ବାରମ୍ବାର ମୃତ୍ୟୁ ସହିତ ମୁହାଁମୁହିଁ କରାଉଛି ସେ କାହାଣୀ ଜରିଆରେ ନିର୍ଦ୍ଦେଶକ ରବି ଉଦୟାଵର ଦର୍ଶକଙ୍କୁ ଅଢ଼େଇଘଣ୍ଟା ଧରି ଉତ୍କଣ୍ଠିତ ରଖିବାକୁ ଉଦ୍ୟମ କରିଛନ୍ତି।
ଆକ୍ସନ୍ ଦୃଷ୍ଟିରୁ ଏହାକୁ ଏ ବର୍ଷର ସବୁଠାରୁ ହିଂସାପୂର୍ଣ୍ଣ ସିନେମା ‘କିଲ୍’ ସହିତ ତୁଳନା କରାଯାଇପାରେ। ଆକ୍ସନ୍ ବ୍ୟତୀତ ଏ ଦୁଇ ସିନେମାକୁ ଯେଉଁ କଡ଼ିଟି ଯୋଡ଼ିଥାଏ, ସେ ହେଉଛନ୍ତି ଅଭିନେତା ରାଘବ ଜୁୟାଲ। ‘କିଲ୍’ରେ ରାଘବଙ୍କ ଖଳନାୟକ ଭୂମିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ବେଳେ ‘ୟୁଧ୍ରା’ରେ ସେହି ସମାନ ପ୍ରକାର ଭୂମିକାରେ କୌଣସି ନୂଆପଣ ନାହିଁ। ତେବେ ଏଥିପାଇଁ ତାଙ୍କୁ ଦାୟୀ କରିବା ଠିକ୍ ହେବ ନାହିଁ, ବାସ୍ତବରେ କାହାଣୀ ଲେଖକ ଓ ନିର୍ଦେଶକ ତାଙ୍କ ସାମର୍ଥ୍ୟକୁ ଅନ୍ବେଷଣ କରିନାହାନ୍ତି।
‘କିଲ୍’ ସଂପୂର୍ଣ୍ଣ ରୂପେ ଟ୍ରେନ୍ ବଗିର ସଂକୀର୍ଣ୍ଣ ପରିବେଶରେ ସୁଟିଂ ହୋଇଥିବା ବେଳେ ‘ୟୁଧ୍ରା’ର କାହାଣୀ ପୃଥିବୀର ବିଭିନ୍ନ ମନୋରମ ସ୍ଥାନରେ ମୁକ୍ତ ପରିବେଶକୁ ପର୍ଯ୍ୟାପ୍ତ ଉପଯୋଗ କରିଛି। ତଥାପି ‘ୟୁଧ୍ରା’ ରୋମାଞ୍ଚର ସ୍ତରକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିପାରିନାହିଁ। ଏହାର କେତେକ କାରଣ ହେଲେ ଏହାର ବେଖାପ ଗୀତ, ଅପରିପକ୍ବ କାହାଣୀ ଓ ଦ୍ବିତୀୟାର୍ଦ୍ଧର ଅନୁମେୟ ମୋଡ଼ ଇତ୍ୟାଦି। ରୋମାଞ୍ଚଧର୍ମୀ ଆକ୍ସନ୍ ସିନେମା ମଝିରେ ରୋମାଣ୍ଟିକ୍ ଗୀତର ଉପସ୍ଥିତି ଓ କାହାଣୀକୁ ଅଯଥା ଲମ୍ବାଇବା ଦ୍ବାରା ରୋମାଞ୍ଚର ଲୟ କିପରି ଭଙ୍ଗ ହୋଇଥାଏ ତାହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ‘ୟୁଧ୍ରା’। ଅଢ଼େଇଘଣ୍ଟାର ଏହି ଚଳଚ୍ଚିତ୍ରରୁ ଗୀତ ଓ ମଧ୍ୟାନ୍ତର ପରବର୍ତ୍ତୀ କେତେକ ନିଦ୍ରା ଉଦ୍ରେକକାରୀ ଦୃଶ୍ୟ କାଟିଦେଇ ନିଶ୍ଚିତ ଭାବେ ତାହାକୁ ଦୁଇ ଘଣ୍ଟାରେ ସୀମିତ ରଖାଯାଇପାରନ୍ତା, ଯାହା ଏହାକୁ ଅଧିକ ଉପଭୋଗ୍ୟ କରନ୍ତା। ତଥାପି ସିନେମାଟି ଆକ୍ସନ୍ପ୍ରେମୀଙ୍କୁ ନିରାଶ କରିବ ନାହିଁ। ମନୋରଂଜନ ପାଇଁ ଏହାକୁ ଥରଟିଏ ଦେଖାଯାଇପାରେ।