ମୁମ୍ବାଇ: 'ବଡିଗାର୍ଡ' ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜଲ୍‌ କିଚ୍ ୨୦୨୩ ମସିହା ଅଗଷ୍ଟ ମାସରେ ଦ୍ୱିତୀୟ ଥର ପାଇଁ ମାଆ ହୋଇଛନ୍ତି। ଜନ୍ମ ନେଇଥିବା ତାଙ୍କ କୁନି ଝିଅର ନାମ ଆରା ରଖିଛନ୍ତି ଅଭିନେତ୍ରୀ। ସୋସିଆଲ୍‌ ମିଡିଆ ଜରିଆରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି ‌ହେଜଲ୍‌।

Advertisment

ମାଆ ବନିବା ପରେ ହେଲଜ୍‌ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଥିବା କାରଣରୁ ସେ ତାହାକୁ କାଟି କର୍କଟ ପୀଡ଼ିତ ପିଲାଙ୍କ ୱିଗ୍‌ ବନାଇବା ଉଦ୍ଦେଶ୍ୟରେ ଦାନ କରି ଦେଇଥିବା ଜାଣିବାକୁ ମିଳିଛି।

୨୦୨୩ ମସିହା ଅକ୍ଟୋବର ୧୩ ତାରିଖରେ ଯୁବରାଜ ସିଂଙ୍କ ପତ୍ନୀ ହେଜଲ୍‌ ଏହି କେଶ ଦାନ ବିଷୟରେ ସେୟାର୍‌ କରିଛନ୍ତି। ଅତ୍ୟଧିକ ମାତ୍ରାରେ କେଶ ଝଡ଼ିବା କାରଣରୁ ସେ ତାହାକୁ ଦାନ କରିଦେବା ଶ୍ରେୟସ୍କର ବୋଲି ଚିନ୍ତା କରିଥିବା ପ୍ରକାଶ କରିଛନ୍ତି।

ଏହା ସହିତ ଅଭିନେତ୍ରୀ ଏକ ନୋଟ୍ ଲେଖି କହିଛନ୍ତି, ‘‘ମୁଁ ସବୁବେଳେ ନୂଆ ମାଆମାନଙ୍କୁ କେଶ କାଟିବାର ଦେଖିଛି। ହେଲେ କାହିଁକି ମୁଁ ବୁଝି ପାରୁନଥିଲି। ପ୍ରସବ ପରେ କେଶ ଝଡ଼ିବା ବିଷୟରେ ମୁଁ ଜାଣିଲି। କୁନି ଅତିଥିମାନେ ଘରକୁ ଆସିବା ପରେ ଏପରି ଘଟଣା ଘଟେ ବୋଲି ଜାଣିପାରିଲି।’’

ହେଜଲ ଆହୁରି ମଧ୍ୟ କହିଛନ୍ତି, ‘‘ଯେତେବେଳେ ମୁଁ ପୁନର୍ବାର କେଶ କାଟିଲି, ମୁଁ ସ୍ଥିର କଲି ଯେ କର୍କଟ ରୋଗରେ ପୀଡିତ ଲୋକମାନଙ୍କ ପାଇଁ ୱିଗ୍ ତିଆରି କରିବା ପାଇଁ ମୁଁ ମୋର କେଶ ଦାନ କରିବି।’’