ମୁମ୍ବାଇ: ଜହିର ଇକବାଲ ଓ ସୋନାକ୍ଷୀ ସିହ୍ନାଙ୍କ ବିବାହ ଜୁନ ୨୩ ତାରିଖରେ ଖୁବ ସାଧାରଣ ଭାବେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ବିବାହ ପରେ ଦୁହେଁ ଭୋଜିର ବିରାଟ ବଡ଼ ଆୟୋଜନ କରିଥିଲେ। ଜହିର ଓ ସୋନାକ୍ଷୀଙ୍କ ବିବାହରେ ଉଭୟଙ୍କ ପରିବାର ବେଶ ଖୁସି ଥିବା ଜଣାପଡ଼ିଛି। ନବଦମ୍ପତି ଭାବେ ନୂଆ ଜୀବନ ଆରମ୍ଭ କରିଥିବା ଜହିର ଓ ସୋନାକ୍ଷୀ ବି ବିବାହ ପରେ ଜୀବନକୁ ବେଶ ଉପଭୋଗ କରୁଛନ୍ତି। ଦୁହିଁଙ୍କୁ ଯେଉଁଠାରେ ବି ଦେଖିବାକୁ ମିଳୁଛି ଖୁବ ଖୁସିଥିବା ନଜର ଆସୁଛନ୍ତି।
ଜହିର ଓ ସୋନାକ୍ଷୀ ନିଜର ବିବାହ ଓ ସମ୍ପର୍କକୁ ନେଇ ନିକଟରେ ଏକ ସାକ୍ଷାତକାରରେ ଖୋଲାଖୋଲି ଆଲୋଚନା କରିଛନ୍ତି। ଏହି ସାକ୍ଷାତକାରରେ ଜହିର ସେହି ଦିନକୁ ମନେ ପକାଇଛନ୍ତି ଯେଉଁଦିନ ସେ ସୋନାକ୍ଷୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କହିବେ ବୋଲି ଶତ୍ରୁଘ୍ନଙ୍କୁ ଭେଟିବାକୁ ଯାଇଥିଲେ।
ଜହିର କହିଛନ୍ତି, ‘ଶ୍ବଶୁର ବାପା ଶତ୍ରୁଘ୍ନଙ୍କୁ ମୁଁ ପୂର୍ବରୁ ଅନେକ ଥର ଭେଟିଛି। କିନ୍ତୁ ଯେଉଁଦିନ ସୋନାକ୍ଷୀଙ୍କୁ ବିବାହ କରିବି ବୋଲି କହିବାର ଥିଲା ସେଦିନ ମୋତେ ଶତ୍ରୁଘ୍ନ ଅଙ୍କଲକୁ ଦେଖି ଖୁବ ଭୟ ଲାଗିଥିଲା। ମୋର ଶରୀର ଝାଳରେ ବୁଡ଼ିଯିବା ସହିତ କମ୍ପିବାକୁ ଲାଗିଥିଲା। ପାଟିରୁ ଗୋଟିଏ ଶବ୍ଦ ବି ବାହାରୁ ନଥିଲା।
ତଥାପି ସାହାସ ଧରି ତାଙ୍କ କୋଠରିକୁ ଯାଇଥିଲି। ଆଉ କହିଥିଲି ଅଙ୍କଲ ଆପଣଙ୍କୁ ତ ସୋନାକ୍ଷୀ କହିଥିବ ଆମେ ଦୁହେଁ ବିବାହ କରିବାକୁ ସ୍ଥିର କରିଛୁ। ମୁଁ ସୋନାକ୍ଷୀଙ୍କୁ ଖୁବ ଭଲପାଏ। ମୋ କଥା ଶୁଣି ଶତ୍ରୁଘ୍ନ ଅଙ୍କଲ କିଛି ସମୟ ଚୁପ ରହିବା ପରେ କହିଥିଲେ ଆଚ୍ଛା ଏମିତି କଥା । ଖୁବ ଭଲ। ମୋର ଆଶୀର୍ବାଦ ତୁମ ଦୁହିଁଙ୍କ ଉପରେ ଅଛି। ଏପରି ଭାବେ ଅଙ୍କଲ ସହିତ ଏକଘଣ୍ଟା ସମୟ ଧରି କଥା ହେବାପରେ ମନ ଖୁସିରେ ଘରକୁ ଫେରି ଆସିଥିଲି।’