ମୁମ୍ବାଇ: ଜାୟଦ ଖାନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ସେ ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଁ ହୁଁ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା | ଏହି ଫିଲ୍ମ ପରେ ପରେ ଜାଏଦ ଖାନଙ୍କ ଲୋକପ୍ରିୟତା ବଢ଼ିଥିଲା। ହେଲେ ଲୋକପ୍ରିୟତା ମିଳିଥିଲେ ବି ଜାୟଦଙ୍କ ଫିଲ୍ମ କମାଲ କରିପାରିନଥିଲା। ‘ମେଁ ହୁଁ ନା’ ପରେ ଅଭିନେତା ଆହୁରି ଅନେକ ଚଳଚ୍ଚିତ୍ର କରିଥିଲେ ବି ତାଙ୍କୁ ସଫଳତା ମିଳିପାରିନଥିଲା | ତାଙ୍କୁ ଫ୍ଲପ ହିରୋର ଟ୍ୟାଗ୍ ମିଳିବା ସହ ସେ ଫିଲ୍ମରୁ ନିଜକୁ ଦୂରେଇ ଦେଇଥିଲେ।
ବହୁ ବର୍ଷ ଧରି ଚଳଚ୍ଚିତ୍ର ନ କରିବା ସତ୍ତ୍ୱେ ବି ଜାଏଦ ଖାନ ଏବେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି | ଯଦି ତାଙ୍କ ସମ୍ପତ୍ତିର ମୂଲ୍ୟ ଦେଖିବା ତେବେ ସେ ମୋଟ ୧୫୦୦କୋଟି ଟଙ୍କାର ମାଲିକ ଅଟନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ଅଭିନେତା ନିଜେ କହିଛନ୍ତି ଯେ ସେ କିପରି ଫିଲ୍ମ ନକରି ଏତେ ଧନୀ ହୋଇପାରିଛନ୍ତି?
ଏକ ସାକ୍ଷାତକାରରେ ସେ କହିଛନ୍ତି, "କଥାରେ ଅଛି ‘ଯଦି ତୁମେ ଫରାରୀ କିଣିବାକୁ ସକ୍ଷମ ତେବେ ମର୍ସିଡିଜ୍ କିଣ, ଏବଂ ଯଦି ତୁମେ ମର୍ସିଡିଜ୍ କିଣିବାକୁ ସକ୍ଷମ ତେବେ ଫିଆଟ୍ କିଣ’ | ଆମେ ଏବେ ସୋସିଆଲ ମିଡିଆ ଯୁଗରେ ବଞ୍ଚୁଛୁ, ଯେଉଁଠାରେ ଲୋକେ ଦେଖାଣିଆ ନୀତି ଆପଣାଇଛନ୍ତି। ପାଖରେ ଧନ ନଥିଲେ ବି ସୋସିଆଲ ମିଡିଆରେ ନିଜକୁ ବଡ଼ ଦେଖାଇବା ପାଇଁ ସେମାନେ ସାମର୍ଥ୍ୟଠାରୁ ଅଧିକ ଜିନିଷ କିଣନ୍ତି। ଏହା ସେମାନଙ୍କୁ ପରେ ଯାଇ ଅସୁବିଧାରେ ପକାଏ। କିଛି ଲୋକ ପ୍ରକୃତରେ ଧନୀ ଅଟନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୮୦% ଲୋକ କେବଳ ଦେଖାଇବା ପାଇଁ ଋଣ କରି ଘର ଓ ଗାଡ଼ି କିଣନ୍ତି। ତା’ପରେ ସେମାନେ ନିଜ ଭୁଲକୁ ସଂଶୋଧନ କରିବା ପାଇଁ ଆହୁରି ବଡ଼ ବଡ଼ ଭୁଲ କରନ୍ତି |"
ସେ ଆହୁରି କହିଛନ୍ତି, "ପାଖରେ ଯେତିକି ଟଙ୍କା ଅଛି, ସେଥିରେ ଚଳିବାକୁ ଚେଷ୍ଟା କରନ୍ତୁ। ଦେଖାଇ ହେବା ପାଇଁ ଜିନିଷ କଲେ ଦିନେ ଦେବାଳିଆ ହୋଇଯିବେ। ଏସବୁ ଅଭ୍ୟାସ ଛାଡ଼ିବା ଜରୁରୀ।"
ତେବେ ଏଭଳି କହି ସେ ସ୍ପଷ୍ଟ କରିଛନ୍ତି ଯେ, ଅଯଥା ଖର୍ଚ୍ଚ ନକରି ସେ ଆଜି କୋଟିପତି ହୋଇପାରିଛନ୍ତି।