ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ ୧୮ରୁ

ଭୁବନେଶ୍ବର: ଜୀ ସାର୍ଥକ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବ ଆଉ ଏକ ନୂଆ ମେଗା ସିରିୟଲ ‘ମା ଯାହାର ସାହା’। ଏହା ୧୮ତାରିଖରୁ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେବ। ବିଜ୍ଞାନ ଓ ଈଶ୍ୱର ଭକ୍ତିର ଅପୂର୍ବ ସଂଯୋଗ ଏହି ସିରିୟଲରେ ଦେଖିବାକୁ ମିଳିବ। ଓଡ଼ିଆ ମନୋରଂଜନ ଦୁନିଆରେ ‘ମା’ ଯାହାର ସାହା’ ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି ।

ବିଜ୍ଞାନକୁ ବିଶ୍ୱାସ କରୁଥିବା ଡା. ଶିବ ପ୍ରସାଦ ତ୍ରିପାଠୀ ଓ ମା’ କାଳୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖୁଥିବା ପାର୍ବତୀ ମଧ୍ୟରେ ପ୍ରେମ ସମ୍ପର୍କକୁ ଅତି ନିଚ୍ଛକ ଢଙ୍ଗରେ ପରିବେଷଣ କରାଯାଇଛି। ବିଜ୍ଞାନ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିବା ଜଣେ ଦାବି କରୁଥିବା ବେଳେ ଈଶ୍ୱର ହିଁ ସର୍ବଶକ୍ତିମାନ ଓ ସାରା ସଂସାର ଈଶ୍ୱରଙ୍କ ନିର୍ଦ୍ଦେଶରେ ଚାଲେ ବୋଲି ଅନ୍ୟ ଜଣେ ଦାବି କରନ୍ତି। ସେହିଭଳି ଶୈଳଭାମା ଓ ଶକ୍ତି ପ୍ରସାଦ ନାମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଘରେ ରହିଥିବା ଖଳନାୟକମାନଙ୍କୁ ବି ବେଶ୍‌ ଚମତ୍କାର ଭାବେ ଚିତ୍ରଣ କରାଯାଇଛି । ମା’ କାଳୀଙ୍କ ଆଶୀର୍ବାଦରେ କିଭଳି ସୁନା ସଂସାର ଆଗକୁ ବଢ଼େ ଓ କେଉଁ ଘଟଣା ପ୍ରଭାବିତ କରେ ତାହା ଅତି ନିଖୁଣ ଭାବେ ଦେଖାଯାଇଛି ।

ଓଡ଼ିଆ ଦର୍ଶକଙ୍କ ଭାବନାକୁ ବୁଝି ପାରୁଥିବା ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ନୂଆ ମେଗା ସିରିୟଲରେ ପାର୍ବତୀ ଭୂମିକାରେ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡା. ଶିବପ୍ରସାଦ ଭୂମିକାରେ ଆଲୋକ, ଶୈଳଭାମା ଚରିତ୍ରରେ ଛନ୍ଦିତା ପାଢ଼ୀ ଓ ଶକ୍ତିପ୍ରସାଦ ଭାବେ ବିରେନ ମିତ୍ର ଚମତ୍କାର ଅଭିନୟ କରିଛନ୍ତି। ପୂର୍ବରୁ ସୁନା ଝିଅ ଧାରାବାହିକକୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। ‘ମା ଯାହାର ସାହା’ ବି ଦର୍ଶକମାନଙ୍କ ଦ୍ବାରା ଆଦୃତ ହେବ ବୋଲି ଜୀ ସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ କହିଛନ୍ତି।

ସମ୍ବନ୍ଧିତ ଖବର