ସୋମନାଥ ଫିଲ୍ମସ୍ ବ୍ୟାନରରେ ନିର୍ମିତ ତଥା ସୁନୀଲ ପଟ୍ଟନାୟକଙ୍କ ପ୍ରଯୋଜିତ ଟେଲିସିନେମା ‘ପାରିକରିବେ ଭୋଳା ଶଙ୍କର ୩’ ରବିବାର (୮ ତାରିଖ) ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରିତ ହେବ। ଶ୍ରାବଣ ପୂର୍ଣ୍ଣିମାରେ ଶିଶୁଟିଏ ଗାଁର ଶିବମନ୍ଦିର ବାହାରେ ଚେତାଶୂନ୍ୟ ଅବସ୍ଥାରେ ମିଳେ। ଗାଁ ଲୋକ ତା’ର ନାଁ ଦିଅନ୍ତି ଶଙ୍କର। ସେ ସମସ୍ତଙ୍କ ସ୍ନେହଆଦର ପାଇ ବଡ଼ ହୋଇ ମନ୍ଦିରର ସୁରକ୍ଷାକର୍ତ୍ତା ସାଜେ। ଗାଁ ମନ୍ଦିରରେ ଥିବା ଏକ ଦିବ୍ୟମଣିକୁ ହାତେଇବାକୁ ପରାଶର ନାମକ ଜଣେ ତାନ୍ତ୍ରିକ ଅହରହ ଚେଷ୍ଟା ଜାରି ରଖିଥାଏ। କିନ୍ତୁ ସବୁ ଯୋଜନା ଶଙ୍କର ଯୋଗୁଁ ବିଫଳ ହୁଏ। ଶେଷରେ କୁଚକ୍ରାନ୍ତ କରି ଶଙ୍କର କଳାଯାଦୁ କରୁଥିବା ତାନ୍ତ୍ରିକ ବୋଲି ଗାଁ ଲୋକଙ୍କୁ ଜଣାଏ ଓ ଗାଁରୁ ବିଦା କରିଦିଏ। କିଛି ବର୍ଷ ପରେ ପୁଣି ସେ ମଣି ଚୋରି କରିବାର ଯୋଜନା କରୁଥିବା ବେଳେ ଗାଁକୁ ଫେରିଆସେ ଶଙ୍କର। ତେବେ ଶଙ୍କର କ’ଣ ତାକୁ ରୋକି ପାରିବ? ଶେଷରେ କ’ଣ ହେଉଛି ତାହା ଫିଲ୍ମର କାହାଣୀରୁ ଜାଣିବାକୁ ପାଇବେ ଦର୍ଶକ।
ଫିଲ୍ମରେ ରାଜ ରାଜେଶ, ମୌମିତା, ବାଦଲ ମହାନ୍ତି, ରବି ମିଶ୍ର ଓ ଉଦିତ ଗୁରୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରିୟବ୍ରତ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ବୈଦ୍ୟନାଥ ଦାଶ। ଡକ୍ଟର ନିର୍ମଳ ନାୟକ ଗୀତ ଲେଖିଥିବା ବେଳେ ଅସୀମା ପଣ୍ଡା, ଗୌରବ ଆନନ୍ଦ ଓ ବୈଭବ ପୃଷ୍ଟି କଣ୍ଠଦାନ କରିଛନ୍ତି। ଫିଲ୍ମର କାହାଣୀ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବା ପରି ହୋଇଛି ବୋଲି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।