ନୂଆଦିଲ୍ଲୀ: ଦେଶର ଅନ୍ୟତମ ଜଣାଶୁଣା ଗାୟକ ଜୁବିନ ଗର୍ଗଙ୍କର ହଠାତ ମୃତ୍ୟୁ ହେବା ଖବରକୁ ଆଜି ପର୍ଯ୍ୟନ୍ତ ତାଙ୍କ ବନ୍ଧୁ, ପରିଜନ ଓ ପ୍ରଶଂସକମାନେ ବିଶ୍ବାସ କରି ପାରୁ ନାହାନ୍ତି। ଗାୟକଙ୍କ ନିକଟତର ଲୋକମାନେ ଆଜି ବି ଜୁବିନ ଜୀବିତ ଥିବା ଭାବୁଛନ୍ତି।
ସେପ୍ଟେମ୍ବର ୨୦ ଓ ୨୧ରେ ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁ ଥିବା ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଜୁବିନ ଗର୍ଗ ଗୀତ ଗାଇବା ପାଇଁ ଯାଇଥିଲେ । ସ୍କୁବା ଡାଇଭିଂ ବେଳେ ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ସିପିଆର ଦିଆଯାଇ ସିଙ୍ଗାପୁର ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ଆଇସିୟୁରେ ମୃତ ଘୋଷଣା କରିଥିଲେ ।
ଜୁବିନ ଗର୍ଗ ମୃତ୍ୟୁ ପୂର୍ବରୁ ଲୋକପ୍ରିୟ ସାହିତ୍ୟିକ ରୀତା ଚୌଧୁରୀଙ୍କ ସହ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ଜୁବିନ କହିଥିଲେ, ‘ମୁଁ ଖାଇବା ଅପେକ୍ଷା ଲୋକଙ୍କୁ ଖୁଆଇବାକୁ ଅଧିକ ଭଲ ପାଏ।’
ଜୁବିନଙ୍କ ଏହି ଇଚ୍ଛାକୁ ପୁରଣ କରିବାକୁ ଯାଇ ଗାୟକଙ୍କ ଦଶାହ କ୍ରିୟା ଶେଷ ହେବାପରେ ବଳକା ଆସାମୀ କେକ୍, ଦହି, ମିଠା, ଭାତ, ଲଙ୍କା, ପନୀର, ଖିର ଏବଂ ବୋତଲ ପାଣି ତାଙ୍କ ଗୌହାଟି ବାସଭବନରୁ ସଂଗ୍ରହ କରାଯାଇଥିଲା । ଏହାକୁ ସୋମବାର ଭୋର ୩ଟା ପର୍ଯ୍ୟନ୍ତ ଚାଲିଥିବା ଖାଦ୍ୟ ବଣ୍ଟନ ଅଭିଯାନରେ ଗରିବଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହି ଅଭିଯାନରେ ଅନେକ ଭୋକିଲାଲୋକ ପେଟ ପୁରା ଖାଇ ଖୁବ ଖୁସି ହୋଇ ଯାଇଥିଲେ।