ନୂଆଦିଲ୍ଲୀ: ଆସାମର ପ୍ରସିଦ୍ଧ ଗାୟକ ଏବଂ ଯୁବପିଢ଼ିଙ୍କ ହୃଦୟସ୍ପନ୍ଦନ ବୋଲି କୁହାଯାଉଥିବା ଜୁବିନ ଗର୍ଗଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସିଙ୍ଗାପୁରରେ ସ୍କୁବା ଡାଇଭିଂ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଏବେ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ସିଙ୍ଗାପୁର ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଗିରଫ କରାଯାଇଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ, ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ଗର୍ଗ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ସମସ୍ତଙ୍କ ଉପରେ ତାଙ୍କର ସନ୍ଦେହ ରହିଛି।

Advertisment

ତେବେ ଜୁବିନଙ୍କ ମୃତ୍ୟୁ ଘଟଣାରେ ସ୍ୱତାଙ୍କ ସମ୍ପର୍କୀୟ ଭାଇ ସନ୍ଦିପନ ଗର୍ଗଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ସନ୍ଦିପନ ଗର୍ଗ ଆସାମ ପୁଲିସ ସେବା (ଏପିଏସ)ରେ ପୁଲିସ ଅଧୀକ୍ଷକ (ଭାରପ୍ରାପ୍ତ) ଭାବରେ କାର୍ଯ୍ୟ କରନ୍ତି। ତାଙ୍କୁ ଆସାମ ସିଆଇଡିର ଏସଆଇଟି ଗିରଫ କରିଛି। ସନ୍ଦିପନ, ଜୁବିନଙ୍କ ସହ ସିଙ୍ଗାପୁର ଯାଇଥିଲେ। ଗାୟକଙ୍କ ମୃତ୍ୟୁରେ ତାଙ୍କର ହାତ ଥିବା ସନ୍ଦେହ କରି ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ଉଲ୍ଲେଖଯୋଘ୍ୟ, ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଶଂସକ ଏବଂ ପରିବାର ସମସ୍ତେ ଭାବୁଥିଲେ ଯେ, ସ୍କୁବା ଡାଇଭିଂ ବେଳେ ତାଙ୍କର ଏଭଳି ହଠାତ୍ ମୃତ୍ୟୁ କିଭଳି ହୋଇଗଲା। ଏହି ରହସ୍ୟର ସମାଧାନ କରିବା ପାଇଁ, ତାଙ୍କର ବ୍ୟବଚ୍ଛେଦ ଦୁଇଥର କରାଯାଇଥିଲା। ଏବେ ତାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଅନେକ ଲୋକଙ୍କୁ ଗିରଫ କରିବା ଆରମ୍ଭ କରିଛି।

zubeen garg | zubeen-da