ନବରଙ୍ଗପୁର: ଗତବର୍ଷ ରାଜ୍ୟରେ ସରକାର ବଦଳିଛି। ବିଜେପି କ୍ଷମତାକୁ ଆସିବାକୁ ୧୪ ମାସ ପୂରିଛି। କିନ୍ତୁ ଯେଉଁ ଶ୍ଲୋଗାନ ଦେଇ ଦଳ କ୍ଷମତାକୁ ଆସିଥିଲା, ତାହାର ସମାଧାନ ହୋଇପାରି ନାହିଁ। ପୂର୍ବରୁ ଯାହା ଥିଲା, ଏବେ ମଧ୍ୟ ସମାନ ଅବସ୍ଥାର ଚିତ୍ର ଦେଖିବାକୁ ମିଳୁଛି। ଗାଁକୁ ମହାପ୍ରୟାଣ ଗାଡ଼ି ପହଞ୍ଚି ପାରୁ ନାହିଁ। ତେଣୁ ଦୀର୍ଘ ୪ କିଲୋମିଟର ଶବକୁ ଖଟିଆରେ ବୋହି ଗାଁକୁ ନେଇଛନ୍ତି ପରିବାରବର୍ଗ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖାଲିଆ ପଞ୍ଚାୟତ ଜାମପାଣି ଗାଁରେ।
ଜାମପାଣି ଗ୍ରାମର ଟଙ୍କଧର ଗୌଡ଼ଙ୍କ ୧୫ବର୍ଷର ଝିଅ ଉଷାରାଣୀ ଗୌଡ଼ ଗତକାଲି ଅସୁସ୍ଥ ଅନୁଭବ କରିଥିଲେ। ଉଷାଙ୍କୁ ପରିବାରବର୍ଗ ପ୍ରଥମେ ଝରିଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସଂକଟାପନ୍ନ ହେବାରୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଷାଙ୍କର ଆଜି ମୃତ୍ୟୁ ଘଟିଥିଲା।
ଶବକୁ ପରିବାରବର୍ଗ ମହାପ୍ରୟାଣ ଗାଡ଼ି ସାହାଯ୍ୟରେ ଉମରକୋଟରୁ ଚନ୍ଦାହାଣ୍ଡି ବ୍ଲକର ଜମପାଣି ଗାଁକୁ ଆଣୁଥିଲେ। ଗାଁ ଠାରୁ ୪ କିଲୋମିଟର ଦୂର ମୁଣ୍ଡିଗୁଡ଼ା ନିକଟରୁ ରାସ୍ତା ଅତି ଶୋଚନୀୟ ଥିବା ଯୋଗୁଁ ଆଉ ଶବ ବାହକ ଗାଡ଼ିଟି ଆଗକୁ ଯାଇ ପାରିନଥିଲା। ଶେଷରେ ପରିବାର ବର୍ଗ ଶବକୁ ଏକ ଖଟିଆ ସାହଯ୍ୟରେ ଦୀର୍ଘ ୪ କିଲୋମିଟର ବୋହି ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ଗାଁଟି ଚନ୍ଦାହାଣ୍ଡି ଓଝରିଗାଁ ବ୍ଲକର ସୀମାନ୍ତରେ ଏବଂ ଦୁର୍ଗମ ଅଂଚଳରେ ରହିଛି। ବହୁ ଦିନ ଧରି ଗ୍ରାମବାସୀମାନେ ଦାବି କରି ଆସୁଥିଲେ ହେଁ ପ୍ରଶାସନ ଏହି ଗାଁକୁ ପକ୍କା ରାସ୍ତା କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବର୍ଷା ମାସ ଆସିବା ମାତ୍ରକେ ଏହି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆରମ୍ଭ ହେଉଥିବା ଗ୍ରାମବାସୀ କହିଛନ୍ତି। ଏହା ଦିନକର ନୁହେଁ ପ୍ରତି ଦିନର ଘଟଣା ବୋଲି ଗ୍ରାମବାସୀମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/17/mahaprayana-2025-08-17-22-11-17.jpg)