ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ ନମିଳିବାରୁ ଜଣେ ମୃତ ମହିଳାଙ୍କ ଶରୀରକୁ ପରିବାର ଲୋକ ଏକ ବାଇକ୍ ଯୋଗେ ଦାହ ପାଇଁ ନେଉଥିବା ଦୃଶ୍ୟ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।
ଜାଣିବାକୁ ମିଳିଛି ଯେ ମହିଳା ଜଣକ କରୋନା ପଜିଟିଭ୍ ଥିଲେ। ମାତ୍ର ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ତାଙ୍କ ଜୀବନ ଚାଲିଯାଇଛି। ମହିଳା କରୋନା ପଜିଟିଭ୍ ଥିଲେ ବୋଲି ତାଙ୍କ ମୃତ୍ୟୁ ପରେ ଜାଣିବାକୁ ମିଳିଛି।
୫୦ ବର୍ଷୀୟା ମହିଳା ଜଣକ ମଧ୍ୟରେ ସାମାନ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ସୋମବାର ଦିନ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପାଇଁ ତାଙ୍କଠାରୁ ନମୁନା ବି ଗ୍ରହଣ କରାଯାଇଥିଲା। ମାତ୍ର ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ହିଁ ମହିଳା ଜଣକ ଆଖି ବୁଜି ଦେଇଛନ୍ତି।
ହସ୍ପିଟାଲ୍ଗୁଡ଼ିକରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲୁଥିବାରୁ ଆମ୍ବୁଲାନ୍ସ ମିଳିବା ଏବେ କାଠିକରପାଠ ହେଉଛି। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓ ଜ୍ବାଇଁ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିଥିଲେ। ମାତ୍ର ଆମ୍ବୁଲାନ୍ସ ମିଳିବାରେ ସମସ୍ୟା ଉପୁଜିବାରୁ ସେ ଦୁହେଁ ମିଶି ମହିଳାଙ୍କ ମୃତ ଶରୀରକୁ ଦାହ କରିବା ପାଇଁ ଏକ ବାଇକ୍ ଯୋଗେ ତାଙ୍କ ଗାଁକୁ ନେଇ ଯାଇଥିଲେ।