ଦିନକୁ ଜବତ ହେଉଛି ଶହେ କୋଟି, ଭୋଟ୍ ପାଇଁ ଉଡ଼ୁଛି ଟଙ୍କା

ବ୍ୟାପିଗଲାଣି ମଦ ଓ ଡ୍ରଗ୍ସ, ସୁନା ଓ ଉପହାର ସାମଗ୍ରୀ ବି ବଣ୍ଟା ହେଉଛି

ନୂଆଦିଲ୍ଲୀ: ଦିନକୁ ଜବତ ହେଉଛି ଶହେ କୋଟି ଟଙ୍କା ନଗଦ, ମଦ, ସୁନା, ନିଶାଦ୍ରବ୍ୟ ଏବଂ ଅନ୍ୟ ନିଷିଦ୍ଧ ଉପହାର ସାମଗ୍ରୀ। ବର୍ତମାନ ପର୍ଯ୍ୟନ୍ତ ଜବତ ହେଲାଣି ୨୬୦୦ କୋଟିରୁ ଅଧିକ। ଗତ ୨୦୧୪ ନିର୍ବାଚନ ତୁଳନାରେ ଏହା ଦୁଇଗୁଣାରୁ ଅଧିକ। ୨୦୧୪ରେ ଜବତ ହୋଇଥିଲା ୧୨୦୦ କୋଟି ଟଙ୍କା ନଗଦ ଓ ନିଷିଦ୍ଧ ସାମଗ୍ରୀ। ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଗକୁ ଆହୁରି ରହିଛି ୫ଟି ପର୍ଯ୍ୟାୟ ଭୋଟ୍। ବ୍ୟାପକ ଚଢ଼ାଉ ସତ୍ତ୍ବେ ପ୍ରତିଦିନ ଅଧିକରୁ ଅଧିକ ଟଙ୍କା ନଗଦ ଜବତ ହେଉଥିବାରୁ ନିର୍ବାଚନ ଶେଷ ବେଳକୁ ଏହି ପରିମାଣ ସବୁ ରେକର୍ଡ ଭାଙ୍ଗି ଦେବ ବୋଲି ଆଶଙ୍କା କରାଯାଉଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନୂଆ ନୂଆ ତରିକା ଗ୍ରହଣ କରାଯାଉଛି। କେ‌ଉଁଠି ଆମ୍ବୁଲାନ୍ସରେ ଟଙ୍କା ବୁହା ହେଉଛି ତ କେଉଁଠି ମଧ୍ୟାହ୍ନ ଭୋଜନ ବାକ୍ସ (ଲଞ୍ଚ ବକ୍ସ)ରେ ଭୋଟରଙ୍କୁ ଟଙ୍କା ବଣ୍ଟା ହେଉଛି। ପେଟ୍ରୋଲ, ମାଗଣା ଖାଦ୍ୟ ପ୍ୟାକେଟ, ଛତା ଓ ଟର୍ଚ ଭଳି ଉପହାର ବଣ୍ଟା ଯାଉଛି। ଏମାନଙ୍କୁ ଧରିବା ଲାଗି ଚାରି ଆଡ଼େ ଛାଇ ଯାଇଛନ୍ତି ନିର୍ବାଚନ କମିସନଙ୍କ ପର୍ଯ୍ୟବେକ୍ଷକ, ସର୍ଭେଲାନ୍ସ ଟିମ୍ ଏବଂ ଆୟକର ବିଭାଗ ଭଳି ଅନେକ ଏନଫୋର୍ସମେଣ୍ଟ ଟିମ୍। ଜାତୀୟ ରାଜପଥଠାରୁ ଆରମ୍ଭ କରି ବିମାନ ବନ୍ଦର, ରେଳ ଷ୍ଟେସନ, ହୋଟେଲ ଓ ଫାର୍ମ ହାଉସମାନଙ୍କରେ ଚଢ଼ାଉ କରାଯାଉଛି। ରାସ୍ତା ଉପରେ କାର, ବସ ଓ ଅନ୍ୟ ଯାନଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉଛି। ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ୧୭ ତାରିଖ ସୁଦ୍ଧା ‌ସାରା ଦେଶରୁ ୨୬୨୮ କୋଟି ୪୩ ଲକ୍ଷ ଟଙ୍କା ଓ ନିଷିଦ୍ଧ ସାମଗ୍ରୀ ଜବତ ହେଲାଣି। ସେଥିମଧ୍ୟରୁ ୬୯୪ କୋଟି ୫୦ ଲକ୍ଷ ହେଉଛି ନଗଦ ଟଙ୍କା। ଗୁଜରାଟରୁ ସର୍ବାଧିକ ୫୪୩ କୋଟି ଟଙ୍କା ନଗଦ ଓ ସାମଗ୍ରୀ ଜବତ କରାଯାଇଥିବା ବେଳେ ତାମିଲନାଡ଼ୁରୁ ୫୧୪ କୋଟି, ଦିଲ୍ଲୀରୁ ୩୯୦ କୋଟି, ଆନ୍ଧ୍ର ପ୍ରଦେଶରୁ ୨୧୬ କୋଟି, ପଞ୍ଜାବରୁ ୨୦୯ କୋଟି ଏବଂ ଉତ୍ତର ପ୍ରଦେଶରୁ ୧୭୨ କୋଟି ଟଙ୍କା ଓ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି। ତେବେ ସର୍ବାଧିକ ନଗଦ ରାଶି ୨୦୮ କୋଟି ଟଙ୍କା ତାମିଲନାଡ଼ରୁ ଜବତ କରାଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶରୁ ୧୩୭ କୋଟି ଟଙ୍କା ଜବତ କରାଯାଇଛି। ଗତ ପହିଲା ତାରିଖ‌େର ତାମିଲନାଡ଼ୁରେ ଜଣେ ଦଳୀୟ କର୍ମୀଙ୍କ ଘରୁ ଜବତ ହୋଇଥିଲା ୧୧ କୋଟି ଟଙ୍କା। ଏହିସବୁ ଟଙ୍କା ବସ୍ତା ଏବଂ କାର୍ଟୁନରେ ଲୁଚାଇ ରଖାଯାଇଥିଲା।

ଏଥର ନିର୍ବାଚନରେ ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଡ୍ରଗ୍ସ ବା ନିଶା ଦ୍ରବ୍ୟର ରାଜ। ବର୍ତମାନ ସୁଦ୍ଧା ୧୧୫୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି। ଗୁଜରାଟରୁ ସର୍ବାଧିକ ପରିମାଣର ଡ୍ରଗ୍ସ ଜବତ କରାଯାଇଥିବା ବେଳେ ଏହା ପଛକୁ ରହିଛି ପଞ୍ଜାବ। ଗତ ମାର୍ଚ ୨୮ ତାରିଖରେ ନିର୍ଦିଷ୍ଟ ସୂଚନା ପାଇ ଭାରତୀୟ କୋଷ୍ଟ ଗାର୍ଡ ଗୁଜରାଟର ପୋରବନ୍ଦରରୁ ୧୦୦ କି‌େ‌ଲା ଓଜନର ହେରୋଇନ ଜବତ କରିଥିଲେ। ପାକିସ୍ତାନରୁ ଏହି ଡ୍ରଗ୍ସ ଆଣିଥିଲେ ଇରାନୀ ନାଗରିକ। ଏହାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ସୁନା ଓ ଅନ୍ୟ ଦାମୀ ସାମଗ୍ରୀ ମଧ୍ୟ ଜବତ ହୋଇଛି। ୫୧୨ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିବା ବେଳେ ୨୧୮ କୋଟି ଟଙ୍କାର ମଦ ଓ ୫୧ କୋଟି ଟଙ୍କାର ଉପହାର ସାମଗ୍ରୀ ଜବତ କରାଯାଇଛି। କେବଳ ତାମିଲନାଡୁରୁ ୨୯୪ କୋଟି ଟଙ୍କାର ସୁନା ଜବତ ହୋଇଥିବା ବେଳେ ଉତ୍ତର ପ୍ରଦେଶରୁ ୭୧ କୋଟି, ମହାରାଷ୍ଟ୍ରରୁ ୪୫ କୋଟି ଏବଂ ଆନ୍ଧ୍ର ପ୍ରଦେଶରୁ ୩୩ କୋଟି ଟଙ୍କାର ସୁନା ଅଳଙ୍କାର ଜବତ ହୋଇଥିବା‌ ନିର୍ବାଚନ କମିସନ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର