ଚତୁର୍ଥ ପର୍ଯ୍ୟାୟ ପ୍ରଚାର ଥମିଲା, ୭୧ ଆସନ ପାଇଁ୯୪୩ ପ୍ରାର୍ଥୀ ମଇଦାନରେ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୨୯ ଏପ୍ରିଲରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏଥିରେ ବିହାରର ୫ଟି ଲୋକସଭା ଆସନ, ଝାଡ଼ଖଣ୍ଡର ୩, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ରର ୧୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୩, ରାଜସ୍ଥାନର ୧୩ ଏବଂ ପଶ୍ଚିମ ବଂଗର ୮ଟି ଲୋକସଭା ଆସନ ଅନ୍ତର୍ଭୁକ୍ତ । ଏହି ପର୍ଯ୍ୟାୟରେ ମୋଟ ୯୪୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ବିହାରର ଦରଭଂଗା, ଉଜିୟାରପୁର, ସମସ୍ତିପୁର, ବେଗୁସରାଇ ଏବଂ ମୁଂଗେର ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ବେଗୁସରାଇ ସର୍ବାଧିକ ଚର୍ଚ୍ଚାରେ ରହିଛି। ଏହି ଆସନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ଜେଏନ୍‌ୟୁର ପୂର୍ବ ଛାତ୍ରନେତା କହ୍ନେୟା କୁମାର। କହ୍ନେୟାଙ୍କ ପାଇଁ ଅନେକ ବଲିଉଡ ଅଭିନେତା ଏବଂ ଜେଏନ୍‌ୟୁ ଛାତ୍ର ପ୍ରଚାରରେ ଅହରହ ଲାଗିଛନ୍ତି। ଏହି ଆସନରେ ଆର୍‌ଜେଡିର ତନବୀର ହାସନ ମଧ୍ୟ ପ୍ରାର୍ଥୀ ହୋଇଥିବାରୁ ମୁକାବିଲା ତ୍ରିକୋଣୀୟ ହେବ ବୋଲି କୁହାଯାଉଛି । ବିହାରର ୫ଟି ଲୋକସଭା ଆସନ ପାଇଁ ମୋଟ ୬୬ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅଛନ୍ତି ଚତୁର୍ଥ ପର୍ଯ୍ୟାୟରେ ଭିଆଇପି ପ୍ରାର୍ଥୀଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳାନାଥଙ୍କ ପୁଅ ନକୁଳନାଥ ସାମିଲ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ନକୁଳନାଥ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ସେ ତାଙ୍କ ମୋଟ ସମ୍ପତ୍ତି ୬୬୦ କୋଟି ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ନକୁଳନାଥ ଛିନ୍ଦୱାଡ଼ା ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ୁଛନ୍ତି। ମଧ୍ୟପ୍ରଦେଶରେ ପ୍ରାୟ ସବୁ ଆସନରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ଏଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ ଜୋର୍‌ଦାର ପ୍ରଚାର କରିଥିବା ବେଳେ କଂଗ୍ରେସ ପକ୍ଷରୁ ଦଳ ସଭାପତି ରାହୁଲ ଗାନ୍ଧୀ ପ୍ରଚାର ମଂଗ ଧରିଥିଲେ। ଲୋକସଭାର ୫୪୩ ଆସନରୁ ୩୦୩ ଆସନରେ ଭୋଟ୍‌ ଗ୍ରହଣ ସରିଛି। ପ୍ରଥମ ପର୍ଯ୍ୟାୟରେ ୯୧, ଦ୍ବିତୀୟ ପର୍ଯ୍ୟାୟରେ ୯୫ ଏବଂ ତୃତୀୟ ପର୍ଯ୍ୟାୟରେ ୧୧୭ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ପଂଚମ ପର୍ଯ୍ୟାୟ ମତଦାନ ମେ’ ୬ ତାରିଖରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର